ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ: ‘ଜୈବ ବିବିଧତାର ସଂରକ୍ଷଣ ନିତାନ୍ତ ଆବଶ୍ୟକ’

Advertisment
ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ: ‘ଜୈବ ବିବିଧତାର ସଂରକ୍ଷଣ ନିତାନ୍ତ ଆବଶ୍ୟକ’

ଭୁବନେଶ୍ବର : ମଣିଷ ସମାଜ ପାଇଁ ସମଗ୍ର ଜୀବଜଗତ ବିପଦ ମଧ୍ୟକୁ ଟାଣି ହୋଇ ଆସୁଛି। ଆମେ ହେଉଛୁ ସୃଷ୍ଟିର ଏକ ଅଂଶ ଏବଂ ଆମ ଯୋଗୁଁ ସୃଷ୍ଟି ରହିନି। ଜୈବ ବିବିଧତାର ସଂରକ୍ଷଣ ଓ ସୁରକ୍ଷା ବଳରେ ଆମ ନିଜେ ହିଁ ନିଜକୁ ବଞ୍ଚାଇବାକୁ ପଡ଼ିବ। ଆମର ସ୍ବାର୍ଥ ପାଇଁ ଜୈବ ବିବିଧତାର ସଂରକ୍ଷଣ ନିତାନ୍ତ ଆବଶ୍ୟକ ବୋଲି କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟର ପ୍ରାକ୍ତନ ମହାନିର୍ଦେଶକ ତଥା ଓଡ଼ିଶା ଭୂସଂପତ୍ତି ଅଧିକାର ପ୍ରାଧିକରଣର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ କହିଛନ୍ତି। ଓଡ଼ିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ ଏହା କହିଛନ୍ତି।

କୃଷି ସଂପ୍ରସାରଣ ଓ ପରିଚାଳନା ପ୍ରତିଷ୍ଠାନ (ଇମେଜ) ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ସନ୍ଦୀପ ତ୍ରିପାଠୀ କହିଛନ୍ତି, ଓଡ଼ିଶା ଜୈବ ବିବିଧତାରେ ସମୃଦ୍ଧ। ସଦ୍ୟତମ ଜାତୀୟ ଜଙ୍ଗଲ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୯୯୩ ବର୍ଗ କିଲୋମିଟର ଜଙ୍ଗଲ ଅଭିବୃଦ୍ଧି ହୋଇଛି। ତେବେ ଜଳବାୟୁ ପରିବର୍ତ୍ତନ ଜୈବ ବିବିଧତା ପାଇଁ ବଡ଼ ବିପଦ ବୋଲି ସେ କହିଛନ୍ତି। ବୋର୍ଡର ଅଧ୍ୟକ୍ଷ ରାଜୀବ କୁମାର ସ୍ବାଗତ ଭାଷଣ ଦେଇ କହିଲେ, ରାଜ୍ୟରେ ଜୈବ ବିବିଧତାର ସୁରକ୍ଷା ଓ ସଂରକ୍ଷଣ ଲାଗି ରାଜ୍ୟ ସରକାର ୧୯ଟି ବନ୍ୟପ୍ରାଣୀ ଅଭୟାରଣ୍ୟ, ଗୋଟିଏ ଲେଖାଏ ଜାତୀୟ ଉଦ୍ୟାନ, ପ୍ରସ୍ତାବିତ ଜାତୀୟ ଉଦ୍ୟାନ, ଜୈବ ମଣ୍ଡଳ ଓ ୨ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ୫୧୭୪ ପ୍ରଜାତିର ଉଦ୍ଭିଦ ଚିହ୍ନଟ ଓ ନାମକରଣ କରାଯାଇଥିବା ବେଳେ ୨୮ଟି ସ୍ଥାନୀୟ ପ୍ରଜାତି ଓ ୧୫୭ଟି ବିଲୁପ୍ତପ୍ରାୟ ପ୍ରଜାତି ରହିଥିବା ସେ ସୂଚନା ଦେଇଛନ୍ତି।

କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ମୁଖ୍ୟ ବନସଂରକ୍ଷକ ସୁଦର୍ଶନ ପଣ୍ଡା, ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶଶି ପଲ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର ରଥ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର) ସୁଶୀଲ କୁମାର ପପ୍‌ଲି, ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦେଶକ ସୁରେଶ ପନ୍ଥ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ ମୁରୁଗେସନ୍‌, ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ବିଜୟ କେତନ ପଟ୍ଟନାୟକ, ଜିତେନ୍ଦ୍ର କୁମାର ଏବଂ ନନ୍ଦନକାନନ ନିର୍ଦେଶକ ମନୋଜ ନାୟର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଧିକାରୀ, ୩୦ଟି ଜିଲ୍ଲାର ଜୈବ ବିବିଧତା ପରିଚାଳନା ବନ୍ଧୁ ଓ ଗବେଷକ ଏବଂ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଏହି ଅବସରରେ ଓଡ଼ିଶାରେ ଜୈବ ବିବିଧତା ଉପରେ ଏକ ବୃତ୍ତଚିତ୍ର ଏବଂ ‘ଦେବୀ ମୁହାଣରେ କଙ୍କଡ଼ା ପ୍ରଜାତି’ ଓ ‘ବନ୍ୟଜନ୍ତୁ ପରିଚାଳନାର ବିସ୍ତୃତ ମାର୍ଗ ଦର୍ଶିକା’ ନାମକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ପରେ ଅତିଥିମାନେ ବିଶ୍ବବିଦ୍ୟାଳୟର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଜୈବ ବିବିଧତା ପରିଚାଳନା କମିଟି ସଭ୍ୟମାନେ ସେମାନଙ୍କ ସମସ୍ୟା ଉପସ୍ଥାପନ କରିଥିଲେ। ଶେଷରେ ଓଡ଼ିଶା ଜୈବ ବିବିଧତା ବୋର୍ଡର ସଦସ୍ୟ ସଚିବ ନିହାର ରଂଜନ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe