ଶିମଲାରେ ଅନ୍ତର୍ଜାତୀୟ ସାହିତ୍ୟ ଉତ୍ସବ ‘ଉନ୍ମେଷ’: ଯୋଗଦେଲେ ଓଡ଼ିଆ କବି, ଗାଳ୍ପିକ ଓ ପ୍ରାବନ୍ଧିକ

Advertisment
ଶିମଲାରେ ଅନ୍ତର୍ଜାତୀୟ ସାହିତ୍ୟ ଉତ୍ସବ ‘ଉନ୍ମେଷ’: ଯୋଗଦେଲେ ଓଡ଼ିଆ କବି, ଗାଳ୍ପିକ ଓ ପ୍ରାବନ୍ଧିକ

Amar Ujala

ଭୁବନେଶ୍ବର : ହିମାଚଳପ୍ରଦେଶର ଶିମଲାଠା‌ରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଏବଂ ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ସାହିତ୍ୟ ଉତ୍ସବ ‘ଉନ୍ମେଷ’ ଉଦ୍‌ଯାପିତ ହୋଇଯାଇଛି। ଗେଟି ହେରିଟେଜ କମ୍ପ୍ଲେକ୍ସଠାରେ ଜୁନ୍ ୧୬ରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ସାହିତ୍ୟ ସମାବେଶରେ ଦେଶବିଦେଶର ୪୦୦ରୁ ଅଧିକ ଲେଖକଲେଖିକା ଯୋଗ ଦେଇଥିଲେ। ଗଳ୍ପ, କବିତା ଓ ନିବନ୍ଧ ପାଠ ସହିତ ଆଦିବାସୀ ସାହିତ୍ୟ, ସିନେମା, ପୁସ୍ତକ ପ୍ରକାଶନ, ଇତିହାସ, ମାତୃଭାଷାର ମହତ୍ତ୍ବ, ସ୍ବାଧୀନତା ଆନ୍ଦୋଳନରେ ସାହିତ୍ୟ ଓ ଗଣମାଧ୍ୟମର ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗରେ ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ଓଡ଼ିଶାରୁ ବିଶିଷ୍ଟ କଥାକାର ଗୌରହରି ଦାସ, ବିଜୟାନନ୍ଦ ସିଂହ, ପାରମିତା ଶତପଥୀ, ଯତୀନ୍ଦ୍ର ନାୟକ, ସୁମନ୍ୟୁ ଶତପଥୀ, ରଞ୍ଜନ କୁମାର ଦାସ, ଶୁଭଶ୍ରୀ ଲେଙ୍କା, ପ୍ରବାସିନୀ ମହାକୁଡ଼, ସୁଭାଷ ଶତପଥୀ, ମହେନ୍ଦ୍ର କୁମାର ମିଶ୍ର, କ୍ଷେତ୍ରବାସୀ ନାଏକ, ଚନ୍ଦ୍ରଶେଖର ହୋତା, ପରମ୍ବା ଶ୍ରୀ ଯୋଗମାୟା, ଆନ୍‌ପା ମାର୍ଣ୍ଡି, ମୀରା ପରିଡ଼ା ଏବଂ ସାଧନା ମିଶ୍ର ଆଦି ଲେଖକଲେଖିକା ବିଭିନ୍ନ ଅଧିବେଶନରେ ଯୋଗ ଦେଇଥିଲେ। ଇଣ୍ଟରନ୍ୟାସନାଲ ବୁକର ପୁରସ୍କାର ବିଜେତା ଔପନ୍ୟାସିକା ଗୀତାଞ୍ଜଳି ଶ୍ରୀ, ପ୍ରଖ୍ୟାତ ଗୀତିକାର ଗୁଲଜାର, ମୃଦୁଳା ଗର୍ଗ, ବିଶ୍ବାସ ପାଟିଲ, ବେନିୟାମିନ, ଅରୁଣ କମଲ ଆଦି ଖ୍ୟାତନାମା ଲେଖକଙ୍କ ଯୋଗଦାନ ଉତ୍ସବକୁ ମୁଖରିତ କରିଥିଲା।

ବିଭିନ୍ନ ସନ୍ଧ୍ୟାରେ ଭାରତନାଟ୍ୟମ, ତାଳବାଦ୍ୟ କଚେରି, ନଗାଡ଼ା ଏବଂ ଦାସ୍ତାନ-ଏ କର୍ଣ୍ଣ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ କବି ଶୁଭଶ୍ରୀ ଲେଙ୍କାଙ୍କ ଓଡ଼ିଆ କବିତା ପୁସ୍ତକର ହିନ୍ଦୀ ଅନୁବାଦ ‘ଅପନି ପରିଧି କା ଆକାଶ’ ବିଶିଷ୍ଟ ଲେଖକମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। କେନ୍ଦ୍ର ସାହିତ୍ୟ ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବାର, ଉପସଭାପତି ମାଧବ କୌଶିକ ଏବଂ ସଚିବ କେ.ଶ୍ରୀନିବାସରାଓଙ୍କ ତତ୍ତ୍ବାବଧାନରେ ଏହି ସାରସ୍ବତ ସମାବେଶ ସଫଳତାର ସହ ଶେଷ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe