ଓଡ଼ିଶାରେ ଯୋଗାଭ୍ୟାସରେ ସାମିଲ ହେଲେ ତିନି କେନ୍ଦ୍ରମନ୍ତ୍ରୀ

Advertisment
ଓଡ଼ିଶାରେ ଯୋଗାଭ୍ୟାସରେ ସାମିଲ ହେଲେ ତିନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କୋଣାର୍କରେ ଅନୁଷ୍ଠିତ ଯୋଗ ଦିବସରେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି। ଠିକ୍ ସେହିପରି ପୁରୀଠାରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଣେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯୋଗାଭ୍ୟାସରେ ସାମିଲ ହୋଇଛନ୍ତି।

କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ, ବରଂ ସିଧାସଳଖ ଲୋକମାନେ ଯୋଗ ଦିବସ ଅଭିମୁଖେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି।

ଏଣେ ବିଶ୍ବ ଯୋଗ ଦିବସ ପାଇଁ କର୍ଣ୍ଣାଟକର ଐତିହ୍ୟ ସହର ମହୀଶୂରରେ ଜାତୀୟସ୍ତରୀୟ ସମାବେଶର ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଭ୍ୟାସ କରିଛନ୍ତି। ଏଥିରେ ପ୍ରାୟ ୧୫ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ। କାର୍ଯ୍ୟକ୍ରମର ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯୋଗ ଜୀବନରେ ଶାନ୍ତି ଆଣିଦିଏ। ଯୋଗ ଦ୍ବାରା ସାରା ଦେଶର ନାଗରିକଙ୍କୁ ଏକତ୍ର କରିହେବ। ପ୍ରତ୍ୟେକ ‌ପ୍ରତ୍ୟହ ଯୋଗ କରିବାକୁ ଭୁଲିବେ ନାହିଁ। ତେଣୁ ସମସ୍ତେ ଯୋଗ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe