Image Courtesy of Zee News
ଝାରସୁଗୁଡ଼ା: ହୀରାକୁଦ ବିସ୍ଥାପିତଙ୍କୁ କେଉଁଠି ରହିବାକୁ ଜାଗା ମିଳୁନି ତ ଆଉ କେଉଁଠି ଏଯାଏଁ ବିଜୁଳି ସଂଯୋଗ ହୋଇପାରିନି। କିନ୍ତୁ ଏଭଳି ଏକ ବିସ୍ଥାପିତ ଗାଁ ରହିଛି ଯେଉଁଠି ସରକାର କୌଣସି ଯୋଜନା ଆରମ୍ଭ କରିବା ପୂର୍ବରୁ ଏଠାରେ ତାହା କାର୍ଯ୍ୟକାରୀ ହୋଇସାରିଛି। ପରିମଳ ଓ ପାନୀୟ ଜଳଯୋଗାଣ ଶତ ପ୍ରତିଶତ ଘରେ ପହଞ୍ଚି ସାରିଛି। ସବୁ ଘରକୁ ବିଜୁଳି ସଂଯୋଗ ହୋଇସାରିଛି। ସବୁ ଘରେ ଶିକ୍ଷିତ ସୃଷ୍ଟି ହୋଇପାରିଛନ୍ତି। କେବଳ ସେତିକି ନୁହେଁ ସ୍ଥାନୀୟ ‘କଳାଡଣ୍ହା ନାଚ’ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ହୋଇପାରିଛି ଗାଁ। ଏହା ହେଉଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅତାବିରା ପଞ୍ଚାୟତ ଅନ୍ତର୍ଗତ ଡୁମେରଢ଼ିପା ଗାଁ।
ହେଲେ ଗ୍ରାମର ଏ ସମସ୍ତ କାର୍ଯ୍ୟ ପାଇଁ ସେମାନେ କେବେହେଲେ ସରକାରୀ ସହାୟତା ବା ଅନୁଦାନକୁ ହାତ ପତେଇ ନାହାନ୍ତି। ବରଂ ଗ୍ରାମର ପ୍ରତିଘରୁ ସଂଗୃହୀତ ‘ଗୋଷ୍ଠୀ ପାଣ୍ଠି’ ହିଁ ଏହି ବିକାଶର ମୂଳ ମଞ୍ଜି ବୋଲି ଗ୍ରାମବାସୀ କହିଛନ୍ତି। ଏହା ଗ୍ରାମବାସୀଙ୍କ ଏକତାର ଆଉ ଏକ ନିଦର୍ଶନ। ଗ୍ରାମର ବରିଷ୍ଠ ବ୍ୟକ୍ତି ତଥା ଶିକ୍ଷକ ରାମଚନ୍ଦ୍ର ମେହେରଙ୍କ ସୂଚନା ଅନୁସାରେ, ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହେବା ପରେ ୧୫ରୁ ଅଧିକ ଗ୍ରାମର ଲୋକ ଆସି ଏଠାରେ ବସତି ସ୍ଥାପନ କରିଥିଲେ। ଯେଉଁଥିରେ କେନାପାଲି, ପଞ୍ଚପୁଡ୍ଗିଆ, ପଲସଦା, ସାଗରପାଲି, ମହାଦେବପାଲି, ଅମଲିପାଲି, ଭଅଁରାଚକା, ଅନ୍ଧିଆରୀ, ପଦ୍ମପୁର, ପିଥିଣ୍ଡା, ଲୁହାବଗା ଭଳି ଗ୍ରାମର ବାସିନ୍ଦା ଥିଲେ। ଏଠାରେ ପୂର୍ବରୁ ଏକ ଡିମିରି ଗଛ ଥିବାରୁ ଗାଁର ନାମ ଡୁମେରଟିକ୍ରା ହୋଇଥିଲା।
ପରବର୍ତ୍ତୀ ସମୟରେ ନାମ ପରିବର୍ତ୍ତନ ହୋଇ ତାହା ଡୁମେରଢ଼ିପା ହୋଇଛି। ଭିନ୍ନ ଭିନ୍ନ ସ୍ଥାନରୁ ଭିନ୍ନ ମାନସିକତାର ଲୋକେ ଏକତ୍ରିତ ହେବା ପରେ ସୃଷ୍ଟ ଏହି ଗାଁରେ ୭୦ ଦଶକ ବେଳକୁ ଏକ ପଟାଭାଡ଼ି ତିଆରି କରାଯାଇଥିଲା। ଉକ୍ତ ପଟାଭାଡ଼ିର ଉନ୍ନତି ନିମନ୍ତେ ଚାନ୍ଦାକରି ଚାଳଛପର ଘର କରାଯାଇଥିଲା। ତାହା ହିଁ ଥିଲା ଏହି ଗୋଷ୍ଠୀ ପାଣ୍ଠି ଆରମ୍ଭର ମୂଳ ପାଣ୍ଠି। ପ୍ରତିଟି ଘରୁ ଚାନ୍ଦା ତଥା ମେଳା ମହୋତ୍ସବର ବଳକା ଅର୍ଥରେ ଗୋଷ୍ଠୀ ପାଣ୍ଠି ଗଠନ କରାଗଲା। ସେତେବେଳେ ମାତ୍ର ୫୦ ଟଙ୍କାରେ ଆରମ୍ଭ ହୋଇଥିବା ଏହି ଗୋଷ୍ଠୀ ପାଣ୍ଠି ଆଜି ୧୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗ୍ରାମବାସୀଙ୍କ କହିବାନୁସାରେ, ଏହି ପାଣ୍ଠିରୁ ସେମାନେ ଗାଁର ଚାଳଛପର ଭାଗବତ ଘରକୁ ପକ୍କା କରିପାରିଛନ୍ତି। ୧୯୯୭ରେ ଗ୍ରାମରେ ପଞ୍ଚସଖା ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟ ସରକାରଙ୍କ ଦ୍ବାରା ମଞ୍ଜୁରୀପ୍ରାପ୍ତ ହୋଇଥିଲା। ଗାଁ ନିକଟରେ ଥିବା ମହିମା ମଠରେ ମହିମା ଯଜ୍ଞ ସମୟରେ ପ୍ରତିବର୍ଷ ଗାଁର ଯୁବକ ସଂଘ ମାଗଣା ଜଳଛତ୍ର କରିଆସୁଛି।
ଏହି ପାଣ୍ଠିରୁ ଗାଁର ବିବିଧ ବିକାଶ ହେବା ପରେ ସମ୍ପୂର୍ଣ୍ଣ ଗ୍ରାମରେ ଜଳ ଓ ପରିମଳ ଯୋଜନା ଆରମ୍ଭ ହୋଇଥିଲା। ଯେଉଁଥିରେ ପ୍ରତିଘରେ ପାଇଖାନା ଓ ଗାଧୁଆ ଘର ନିର୍ମାଣ, ପ୍ରତି ଘରକୁ ଟାଙ୍କି ଓ ପାଇପ୍ ଯୋଗେ ଚବିଶଘଣ୍ଟିଆ ପାନୀୟଜଳ ଯୋଗାଣ ଆରମ୍ଭ ହୋଇଥିଲା। ଅବଶ୍ୟ ଗ୍ରାମବାସୀଙ୍କ ନିଜସ୍ବ ପାଣ୍ଠିରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପକୁ ପରବର୍ତ୍ତୀ ସମୟରେ ଜିଲ୍ଲା ପରିମଳ ସମିତି ଓ ସ୍ଥାନୀୟ ବିଧାୟକ ପାଣ୍ଠିରୁ ସହାୟତା ଆସିଥିଲା। ସ୍ବଚ୍ଛ ଭାରତ ଯୋଜନା ଆରମ୍ଭ ପୂର୍ବରୁ ଅର୍ଥାତ୍ ୨୦୦୭ ମସିହାରୁ ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ ହୋଇସାରିଛି। ଖାଲି ସେତିକି ନୁହେଁ, ୨୦୧୨-୧୩ ମସିହାରୁ ବର୍ଷକୁ ଥରୁଟିଏ ଏହି ଗୋଷ୍ଠୀ ପାଣ୍ଠିରୁ ଗ୍ରାମର ପ୍ରତି ଘରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ତୀର୍ଥ ଭ୍ରମଣରେ ବି ନିଆଯାଇଥାଏ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୨୦୦୩ ମସିହାରେ ରାଜସ୍ବ ଗ୍ରାମ ଘୋଷଣା ହୋଇଥିଲେ ବି ଏ ପର୍ଯ୍ୟନ୍ତ ମାନ୍ୟତାକୁ ଅନାଇ ରହିଥିବା ଡୁମେରଢ଼ିପା ଏହି ଗୋଷ୍ଠୀ ପାଣ୍ଠି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
  
 Follow Us