ସମାଜ ବିକାଶରେ ନିଜର ଜ୍ଞାନ ବିନିଯୋଗ କରନ୍ତୁ: ରାଷ୍ଟ୍ରପତି

Advertisment

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବ

ସମାଜ ବିକାଶରେ ନିଜର ଜ୍ଞାନ ବିନିଯୋଗ କରନ୍ତୁ: ରାଷ୍ଟ୍ରପତି

ବ୍ରହ୍ମପୁର/ଗୋପାଳପୁର: ସମାବର୍ତ୍ତନ ଉତ୍ସବ କେବଳ ପ୍ରମାଣପତ୍ର ପ୍ରାପ୍ତିର ଉତ୍ସବ ନୁହେଁ, ଏହା ହେଉଛି ସାଧନା ଓ ସଫଳତାର ସ୍ବୀକୃତି ପର୍ବ। ଏହା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସ୍ବପ୍ନ ଓ ଦ୍ବାର ଉନ୍ମୋଚନ କରିବ। ପୁରାତନ କାଳରେ ବିଦ୍ୟାର୍ଥୀମାନେ ଗୁରୁକୁଳରେ ଅଧ୍ୟୟନ କରୁଥିଲେ। ବିଦ୍ୟାର୍ଥୀଙ୍କ ଶିକ୍ଷା ସମାପ୍ତ ପରେ ଜୀବନରେ କିପରି ସେମାନେ ସଫଳ ‌ହେବେ ସେ ନେଇ ଋଷିମାନେ ଦୀକ୍ଷାନ୍ତ ବାର୍ତ୍ତା ଦେଉଥିଲେ। ନିଜର ବିଦ୍ୟାବୁଦ୍ଧିକୁ ସମାଜ କଲ୍ୟାଣରେ ଲଗାଇବା ପାଇଁ ଗୁରୁମାନେ ଉପଦେଶ ଦେଉଥିଲେ। ଏଣୁ ଆଜି ପିଲାମାନେ ଯେଉଁ ସଫଳତା ପାଇଛନ୍ତି, ତାହା ସମାଜ କଲ୍ୟାଣ ଦିଗରେ ବିନିଯୋଗ କରନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କର ଦୀକ୍ଷାନ୍ତ ଭାଷଣରେ ଓଡ଼ିଶାର ଦକ୍ଷିଣାଞ୍ଚଳ କେବଳ ଓଡ଼ିଶା ଇତିହାସରେ ନୁହେଁ, ଭାରତ ଇତିହାସରେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ମାଟିର ସୁପୁତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟ ବଳଦେବ ରଥ ନିଜ ରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ଏହି ଭୂମି ଅନେକ ସଂଗ୍ରାମୀ ଓ ଜନସେବକଙ୍କ ଜନ୍ମଭୂମି ଏବଂ କର୍ମଭୂମି। ଭାରତର ପୂର୍ବତନ ରାଷ୍ଟ୍ରପତି ଭିଭି ଗିରି, ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାଶ, ବିଜୁ ପଟ୍ଟନାୟକ, ଲକ୍ଷ୍ମଣ ନାୟକ, ଚକରା ବିଷୋୟୀ, ରାଜା ବିକ୍ରମ ଦେବ, ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଆଶା ପତ୍ରିକାର ସମ୍ପାଦକ ଶଶିଭୂଷଣ ରଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ଓ ବିନାୟକ ଆଚାର୍ଯ୍ୟ ପ୍ରମୁଖଙ୍କୁ କୋଳେଇ ଏ ମାଟି ଗୌରବାନ୍ବିତ। ଏହି ଅଞ୍ଚଳରେ ଶିକ୍ଷାର ବିକାଶ ତଥା ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଭୂମିକା ଅତୁଳନୀୟ। ଏହି ବିଶ୍ବବିଦ୍ୟାଳୟରୁ ଆଜି ସ୍ବର୍ଣ୍ଣପଦକ ଲାଭ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ପ୍ରତିଶତ ଛାତ୍ରୀ ରହିଛନ୍ତି। ସେହିପରି ଡକ୍ଟରେଟ୍‌ ଲାଭ କରିଥିବା ଗବେଷକଙ୍କ ମଧ୍ୟରୁ ଅଧା ହେଉଛନ୍ତି ମହିଳା ଗବେଷିକା। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଲିଙ୍ଗଗତ ସମାନତାର ଉତ୍କୃଷ୍ଟ ଉଦାହରଣ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି।

ଭଞ୍ଜବିହାର ପରିସରରେ ଥିବା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରାରମ୍ଭିକ ଭାଷଣ ରଖିବା ସହିତ ବିଶ୍ବବିଦ୍ୟାଳୟର ରିପୋର୍ଟ ଉପସ୍ଥାପନ କରିଥିଲେ। କୁଳାଧିପତି ଶ୍ରୀ ଦାସ କହିଥିଲେ ଯେ, ଭାରତର ଅର୍ଥନୀତିରେ ସୁଧାର ଆସୁଛି। ଯୁବପିଢ଼ିକୁ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ବ ଦେଉଛନ୍ତି। ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଦ୍ବାରା ଆଗାମୀ ୨୫ବର୍ଷରେ ଭାରତ ଆହୁରି ଆଗକୁ ବଢ଼ିବ ବୋଲି କୁଳାଧିପତି କହିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ କହିଲେ, ରାଜ୍ୟରେ ବିଶ୍ବବିଦ୍ୟାଳୟ ଏବେ ୧୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ନୂଆ-ଓ ଛାତ୍ରବୃତ୍ତି ପାଇଛନ୍ତି। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆଉ ଅର୍ଥାଭାବ କି ଅନ୍ୟ କୌଣସି ବାଧା ରହିନି ବୋଲି ସେ କହିଥିଲେ। ସମାବର୍ତ୍ତନ ଉତ୍ସବରେ ଜଣଙ୍କୁ ଡିଏସ୍‌ସି, ୩ ଜଣଙ୍କୁ ଡି.ଲିଟ୍, ୪୩ ଜଣଙ୍କୁ ପିଏଚ୍‌ଡି ଉପାଧି ଓ ୩୫ ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe