ହେଡ୍‌ କନେଷ୍ଟବଳଙ୍କୁ ମିଳିବ ତଦନ୍ତ ଦାୟିତ୍ୱ

ପୁଲିସ୍‌ ସଂସ୍କାର ଯୋଜନା

ହେଡ୍‌ କନେଷ୍ଟବଳଙ୍କୁ ମିଳିବ ତଦନ୍ତ ଦାୟିତ୍ୱ

Photo by : dnaindia.com

କଟକ : ରାଜ୍ୟରେ ଥାନା ସ୍ତରରେ ପୁଲିସ ଅଫିସରଙ୍କ ଭଳି ହେଡ୍‌ କନେଷ୍ଟବଳ ଓ ହାବିଲ୍‌ଦାରଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ପ୍ରଦାନ କରାଯିବ । ରାଜ୍ୟ ପୁଲିସ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଥିବା ବେଳେ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବାକୁ ଯାଉଛି । ଜାତୀୟ ପୁଲିସ ଡିଜି ସମ୍ମିଳନୀରୁ ଫେରିବା ପରେ ଓଡ଼ିଶାର ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ଗଣମାଧ୍ୟମକୁ ଏ ପ୍ରକାର ସୂଚନା ଦେଇଛନ୍ତି ।

ମଧ୍ୟପ୍ରଦେଶର ଗ୍ଵାଲିଅର୍‌ରେ ୬ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟ ଓ୍ଵାରି ପୁଲିସ ଡିଜି ଏବଂ ସମସ୍ତ ଅର୍ଦ୍ଧସାମରିକ ସୁରକ୍ଷା ବଳର ମୁଖ୍ୟଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାମଲାର ତଦନ୍ତ ଭାର ଅଫିସରଙ୍କ ସମେତ ହେଡ୍‌ କନେଷ୍ଟବଳ, କନେଷ୍ଟବଳ କିମ୍ବା ହାବିଲ୍‌ଦରା ନେବା ସମ୍ପର୍କରେ ଆଲେଚାନା କରାଯାଇଥିଲା । ଦେଶରେ ଏବେ କେରଳ, ଦିଲ୍ଲୀ, ରାଜସ୍ଥାନ ସମତେ ୧୦ଟି ରାଜ୍ୟରେ ହେଡ୍‌ କନେଷ୍ଟବଳଙ୍କୁ ମାମଲାର ତଦନ୍ତ ଅଧିକାର ଦିଆଯାଇଛି। ଓଡ଼ିଶା କ୍ଷେତ୍ରରେ ଯଦି ଦେଖାଯାଏ ତେବେ ଏଠି ପୁଲିସ ଷ୍ଟେସନ୍‌ରେ ପାଖାପାଖି ଏକ ଲକ୍ଷରୁ ଅଧିକ ସଂଖ୍ୟାରେ ମାମଲା ପ୍ରତ୍ୟେକ ବର୍ଷ ରୁଜୁ କରାଯାଉଛି। ସେହି ଅନୁଯାୟୀ ଅଫିସର ନଥିବାରୁ ମାମଲା ପରିଚାଳନା ଏବଂ ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ଏସବୁକୁ ଦୃଷ୍ଟିରେ ରଖି ଓଡ଼ିଶାରେ କନେଷ୍ଟବଳ ଏବଂ ହାବିଲ୍‌ଦାରଙ୍କୁ ମାମଲା ପରିଚାଳନା ଦାୟିତ୍ୱ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି ।

ରାଜ୍ୟର ମୋଟ ୫୪୦ଟି ଥାନାରେ ପାଖାପାଖି ୮ ହଜାର କନେଷ୍ଟବଳ ଏବଂ ୧୨ ଶହ ହାବିଲ୍‌ଦାର କାର୍ଯ୍ୟ କରୁଛନ୍ତି। ପୁଲିସ ବିଭାଗ ପକ୍ଷରୁ ଦକ୍ଷ କର୍ମଚାରୀଙ୍କୁ ଚୟନ କରାଯିବା ପରେ ଏ ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରାଯାଇ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶନାମା ଜାରି କରାଯିବ। ସେମାନଙ୍କୁ ଅପମୃତ୍ୟୁ ମାମଲା ଏବଂ ନନ୍‌ କଗ୍‌ନିଜେବୁଲ୍‌ ମାମଲାର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରାଯିବ । କେଉଁ ପ୍ରକାର ମାମଲା ପରିଚାଳନା କରାଯିବ, ଏଥିପାଇଁ ସମ୍ପୃକ୍ତ ଥାନାର ଥାନା ଅଧିକାରୀ ନିଷ୍ପତ୍ତି ଗ୍ରହଣ କରିବେ । ଓଡ଼ିଶା ରାଜ୍ୟ କନେଷ୍ଟବଳ ଓ ହାବିଲ୍‌ଦାର ମହାସଂଘ ପକ୍ଷରୁ ୨୦୧୭ ଅକ୍ଟୋବର ୨୪ ତାରିଖରେ ରାଜ୍ୟ ପୁଲିସ ଡିଜିଙ୍କୁ ଭେଟି କନେଷ୍ଟବଳ ଓ ହାବିଲ୍‌ଦାରଙ୍କୁ ତଦନ୍ତ କରିବାର କ୍ଷମତା ପ୍ରଦାନ କ୍ଷେତ୍ରରେ ଦାବି ଉପସ୍ଥାପନ କରାଯାଇଥିଲା। ପୂର୍ବରୁ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ବିଚାର ବିମର୍ଶ କରିଥିବା ବେଳେ ଏବେ ପୁଲିସ ଡିଜିଙ୍କ ଉଚ୍ଚ ସ୍ତରୀୟ ବୈଠକରେ ପରେ ଏ ପ୍ରକାର ଦାବିରେ ସରକାର ମୋହର ମାରିବାକୁ ଯାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe