ଦୁର୍ନୀତି ଢାଙ୍କିବାକୁ ତଦନ୍ତ ଢାଲ

Advertisment
ଦୁର୍ନୀତି ଢାଙ୍କିବାକୁ ତଦନ୍ତ ଢାଲ

MSN

ଆନନ୍ଦପୁର: ଏଆର୍‌ଏସ୍‌ଏସ୍‌ ଠିକାସଂସ୍ଥା ମାଟି ଲୁଟିଲା। ତହସିଲ ଜରିମାନା ପାଇଁ ନୋଟିସ୍‌ କଲା। ସୃଷ୍ଟି ହୋଇଥିବା ‌ଖାଲକୁ ପୋଖରୀ ଦେଖାଇ ବ୍ଲକ୍‌ରେ ମନରେଗା ଯୋଜନାରେ ବିଲ୍‌ କରାଗଲା। ତହସିଲ କରିଥିବା ଜରିମାନା ଠିକାସଂସ୍ଥାଠାରୁ ଆଦାୟ ହୋଇ ନଥିବା ବେଳେ ଏପଟେ ସରକାରୀ ଅନୁଦାନକୁ ଚଳୁ କରିଦିଆଗଲା। ନାମକୁ ମାତ୍ର ତଦନ୍ତ ନିର୍ଦେଶ ହେଲା। ତଦନ୍ତ ପ୍ରକ୍ରିୟାରେ ଦୁର୍ନୀତିରେ ସମ୍ପୃକ୍ତ ଥିବା ଲୋକଙ୍କୁ ସାମିଲ କରାଯାଇଥିବାରୁ ଏହାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି।

ଜାନୁଆରି ୨୫ରେ ଘସିପୁରା ତହସିଲର ସାଇଁକୁଳ ରାଜସ୍ବ ସର୍କଲ ହସନପୁରରେ ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କରୁଥିବା ଏଆର୍‌ଏସ୍ଏସ୍ ଠିକାସଂସ୍ଥା ମୁଖ୍ୟରାସ୍ତା କଡ଼ରେ ଥିବା ସରକାରୀ ଜମିରୁ ମେସିନ୍ ଲଗାଇ ମାଟି ଓ ମୋରମ ଉତ୍ତୋଳନ କରିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ତହସିଲଦାର ବାବୁଲ ପେରେଇ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ୨୯ ତାରିଖରେ ସାଇଁକୁଳ ଆର୍‌ଆଇ ବିଷ୍ଣୁପ୍ରିୟା ସାହୁ ପହଞ୍ଚି ମାଟିଖୋଳା ବନ୍ଦ କରିବାକୁ ତାଗିଦ କରିଥିଲେ। କିନ୍ତୁ ଠିକାସଂସ୍ଥା କର୍ତ୍ତୃପକ୍ଷ ଏହାକୁ ବେଖାତିର କରିଥିଲେ। ଫେବ୍ରୁଆରି ୭ରେ ଏହି ଘଟଣାରେ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ତହସିଲ କୋର୍ଟରେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଠିକାସଂସ୍ଥା କର୍ତ୍ତୃପକ୍ଷ ହାଜର ନ ହେବାରୁ ସଂସ୍ଥାକୁ ୨୧ ଲକ୍ଷ ଟଙ୍କା ଜରିମାନା ଦାଖଲ ପାଇଁ ଡିମାଣ୍ଡ ନୋଟିସ୍ ହୋଇଥିଲା। ହେଲେ ଏଯାଏ ଜରିମାନା ରାଶି ପଇଠ ହୋଇନି।

ଅନ୍ୟପକ୍ଷରେ ଠିକାସଂସ୍ଥା ମାଟି ଖୋଳି ନେବା ପରେ ସେଠାରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ଅତି ଚତୁରତାର ସହ ପୋଖରୀ (ସାହାଣୀଦେଈ ନୂତନ ପୋଖରୀ ଖନନ, ହସନପୁର) ଦର୍ଶାଯାଇ ଏକ ସୂଚନାଫଳକ ଲଗାଯାଇଥିଲା। ମେ ୫ରେ କିଛି ଲୋକଙ୍କୁ ଅଣାଯାଇ କୋଡ଼ି, ‌ଶାବଳ, ଝୁଡ଼ି ଧରାଇ ଦିଆଯାଇ ଫଟୋ ଉଠା ଯାଇଥିଲା। ପରେ ମନରେଗା ଯୋଜନା‌ରେ ପୋଖରୀ ଖୋଳା ବିଲ୍‌ ବାବଦକୁ ସରକାରୀ ତହବିଲରୁ ୯ ଲକ୍ଷ ୮୧ ହଜାର ଟଙ୍କା ପଇଠ କରାଯାଇଥିଲା। ଏନେଇ ଅଗଷ୍ଟ ୫ରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବିଡିଓ ଅସିତ କୁମାର ମହାନ୍ତି ଏହାର ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ପ୍ରଦାନ କରିବାକୁ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀପ୍ରିୟା ଜେନା, ଏପିଓ ସ୍ବାଗତିକା ପ୍ରିୟଦର୍ଶିନୀ ଧଳ, କନିଷ୍ଠ ଯନ୍ତ୍ରୀ ଶ୍ବେତପଦ୍ମା ନନ୍ଦ, ଜିଆର୍‌ଏସ୍ ଆଶୀର୍ବାଦ ବେହେରାଙ୍କୁ ନିର୍ଦେଶ ଦେଇଥିଲେ। ରିପୋର୍ଟ ପ୍ରଦାନକୁ ୧୫ଦିନ ବିତିଥିଲେ ଏହାକୁ ଚପାଇ ରଖାଯାଇଛି।

ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀପ୍ରିୟା ଜେନାଙ୍କୁ ପଚାରିବାରୁ, ତଦନ୍ତ ସମୟରେ ସ୍ଥାନୀୟ ଲୋକେ ଶ୍ରମିକଙ୍କ ଦ୍ବାରା ପୋଖରୀ ଖୋଳାଯାଇଛି ବୋଲି ବୟାନ ଦେଇଥିବା କହିଛନ୍ତି। ପୂର୍ବରୁ ଠିକାସଂସ୍ଥା ବେଆଇନ ଭାବେ ମାଟି ଖୋଳୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ପ୍ରଶାସନକୁ ସୂଚନା ଦେଇଥିଲେ। ସେହିପରି ମାଟି ଉତ୍ତୋଳନ ପରେ ସୃଷ୍ଟି ହୋଇଥିବା ଖାଲ ନିକଟରେ ଶ୍ରମିକଙ୍କୁ ଠିଆ କରାଯାଇ ମିଛିମିଛିକା କାମ କରାଯାଉଥିବା ବେ‌ଳର ଫଟୋ ଉଠାଯାଉଥିଲା। ଏହାକୁ ମଧ୍ୟ ଲୋକେ ବିରୋଧ କରିବାରୁ ଶ୍ରମିକମାନେ ଫେରି ଯାଇଥିଲେ। ଏଭଳି ସ୍ଥିତିରେ ସହକାରୀ ଯନ୍ତ୍ରୀଙ୍କ କଥାର କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ବାରି ହେଉଛି। ତଦନ୍ତକାରୀ ଦଳ ସ୍ଥାନୀୟ ଲୋକଙ୍କ ବୟାନ ସଂଗ୍ରହ କରିନାହାନ୍ତି, ବରଂ ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ କିଛି ସମର୍ଥକଙ୍କ ବୟାନ ସଂଗ୍ରହ କରି ରିପୋର୍ଟ ଦେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe