ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିିନିଆ ପଶ୍ଚିମ ଓଡ଼ିଶା ଗସ୍ତ କରିବେ। ସେଠାରେ ସେ ୩୦ ହଜାର କୋଟି ଟଙ୍କା ନିବେଶର ୨୦ଟି ପ୍ରକଳ୍ପକୁ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ରାଜ୍ୟରେ ୧୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଚଳିତ ମାସ ୨୭ରେ ସେ ସମ୍ବଲପୁରର ଲପଙ୍ଗାରେ ହିଣ୍ଡାଲ୍‌କୋ ପକ୍ଷରୁ ସ୍ଥାପନ କରାଯାଇଥିବା ଭାରତର ପ୍ରଥମ ଏଫ୍‌ଆର୍‌ବି ୟୁନିଟ୍‌କୁ ଉଦ୍‌ଘାଟନ କରିବେ। ୨୭ ତାରିଖରେ ସେ ରାଉରକେଲାରେ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ୨୦୨୬କୁୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ସିଆଇଆଇ ସହଯୋଗରେ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପଶ୍ଚିମ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା, ନିବେଶ ବଢ଼ାଇବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା।ନିକଟ‌ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ହାଇଦ୍ରାବାଦ ଓ କୋଲକାତାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ଯୋଗଦେଇ ସେଠାରୁ ସମୁଦାୟ ୧.୬୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆଣିଛନ୍ତି। ଶିଳ୍ପାୟନକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ଭିତରେ ମଧ୍ୟ ଉଦ୍ୟମ କରାଯାଉଛି। ସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ଉପରେ ସରକାର ଜୋର ଦେଉଛନ୍ତି। ରାଜ୍ୟରେ ଶ୍ରୀ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଶାସନ ଭାର ଗ୍ରହଣ କରିବା ପରଠାରୁ ପଶ୍ଚିମ ଓଡ଼ିଶା ପାଇଁ ୧,୨୮,୪୭୨ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁର କରାଯାଇଛି। ସେହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୬୯,୩୩୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ଯେ ଓଡ଼ିଶାର ଶିଳ୍ପ ରୂପାନ୍ତରଣରେ ପଶ୍ଚିମ ଓଡ଼ିଶା ଆଗରେ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆମେ ଅଭିବୃଦ୍ଧିର ଲାଭକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବାକୁ ପ୍ରୟାସ କରୁଛୁ। ନିବେଶକମାନଙ୍କ ସହ ଯୋଡ଼ିହେବା ଲାଗି ଏଣ୍ଟରପ୍ରାଇଜ୍‌ ଓଡ଼ିଶା ଚମତ୍କାର ମଞ୍ଚ ପ୍ରଦାନ କରିବ ବୋଲି ସେ କହିଛନ୍ତି।

Advertisment

ଆହୁରି ପଢ଼ନ୍ତୁ:ଖାଇକୁ ଖସିଲା ସେନା ଗାଡ଼ି: ଭୟଙ୍କର ଦୁର୍ଘଟଣାରେ ୧୦ ଯବାନ ସହିଦ, ୧୦ ଆହତ