୨୨ ଦିନ ପାଇଁ ଆଇଓସିଏଲ୍‌ ସଟ୍‌ଡାଉନ୍‌, ୨ ବର୍ଷ ପରେ ହେବ ମରାମତି କାର୍ଯ୍ୟ

୨୨ ଦିନ ପାଇଁ ଆଇଓସିଏଲ୍‌ ସଟ୍‌ଡାଉନ୍‌, ୨ ବର୍ଷ ପରେ ହେବ ମରାମତି କାର୍ଯ୍ୟ

Odisha News Insight

ଜଗତସିଂହପୁର : ପାରାଦୀପରେ ଥିବା ଭାରତୀୟ ତୈଳ ବିଶୋଧନାଗାର ପ୍ରକଳ୍ପ (ଆଇଓସିଏଲ) ଜୁଲାଇ ୨୫ ତାରିଖରୁ ମରାମତି ପାଇଁ ସଟଡାଉନ୍ ହେବ। ମରାମତି କାମ ପାଇଁ ୨୨ ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ଅଗଷ୍ଟ ୧୫ ତାରିଖ ଯାଏ କାରଖାନା ବନ୍ଦ ରହିବ। ମରାମତି କାର୍ଯ୍ୟରେ ଏକ ବିଶେଷଜ୍ଞ ଟିମ୍ ନିୟୋଜିତ ହେବେ। ସେମାନଙ୍କୁ ସହଯୋଗ କରିବା ପାଇଁ ଏହି ସମୟରେ କାରଖାନାରେ ସ୍ଥାନୀୟ ଅଂଚଳର ୭୦୦–୮୦୦ ଲୋକ କାର୍ଯ୍ୟ କରିବେ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।

ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ସୂଚନା ମୁତାବକ, ୨୦୧୮ ମାର୍ଚ୍ଚ ପରଠାରୁ ଆଇଓସିଏଲର ମରାମତି କାର୍ଯ୍ୟ ହୋଇନାହିଁ। ଏଣୁ ବର୍ତମାନ ସମୟରେ କମ୍ପାନିର ମରାମତି ନିହାତି ଆବଶ୍ୟକ ଥିଲା। ବିଶେଷଜ୍ଞ ଟିମ୍ ସହ କାର୍ଯ୍ୟ କରିବାକୁ ଥିବା ସ୍ଥାନୀୟ ଅଂଚଳର ଶତାଧିକ ଲୋକ ଜିଲ୍ଲା ପ୍ରଶାସନର ସମସ୍ତ ନିୟମକୁ ମାନି କାର୍ଯ୍ୟ କରିବେ। ଏହାସହ ଏ ସମସ୍ତଙ୍କ ପାଇଁ ଆଇଓସିଏଲରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇଓସିଏଲ୍‌କୁ ଆସୁଥିବା ପ୍ରବାସୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ଦିନ ୧୩୦ ସ୍ବାବ୍ ସଂଗ୍ରହ କରାଯାଉଛି। ଗୋଟିଏ ଦିନରେ ଏହାର ଫଳାଫଳ ଜଣାପଡ଼ୁଛି। ଏଣୁ ଯଦି ଏହି ସଟ୍‌ଡାଉନ୍‌ ସମୟରେ ଆହୁରି ଅଧିକ ସ୍ବାବ୍ ନେବାର ଆବଶ୍ୟକତା ପଡ଼େ, ସେ ଦିଗରେ ପଦେକ୍ଷପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଯେହେତୁ ସ୍ଥାନୀୟ ଅଂଚଳର ଏତେ ସଂଖ୍ୟାରେ ଲୋକ କାମ କରିବେ, ସେଥିପାଇଁ ଗହଳଚହଳ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇଓସିଏଲ ନିକଟରେ ୧୪୪ ଧାରା ଜାରି କରାଯାଇଛି। ଆଇଓସିଏଲ ପାଖାପାଖି କୌଣସି ଦୋକାନ ବଜାର ଖୋଲିବ ନାହିଁ। ଏହାସହ ମରାମତି କାର୍ଯ୍ୟ କରୁଥିବା ସମସ୍ତଙ୍କୁ ମାସ୍କ, ଗ୍ଲୋଭସ୍‌ ଓ ସାନିଟାଇଜର ଯୋଗାଇ ଦିଆଯିବ। ଏଭଳି କାର୍ଯ୍ୟ ସମୟରେ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe