SportzWiki Hindi
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରରେ ବର୍ତ୍ତମାନ ନୂଆ ତରିକାରେ ଚାଲିଛି ଆଇପିଏଲ୍ ବେଟିଂ। ଅନ୍ଲାଇନରେ ଏହି ବେଟିଂ ଚାଲିଛି। ସାଇବର୍ ଅପରାଧ ବିଶେଷଜ୍ଞଙ୍କ ଅଭାବରୁ ପୁଲିସ ଏ ସମ୍ପର୍କରେ ଠୋସ୍ ତଥ୍ୟ ପାଇପାରୁ ନାହିଁ। ବେଆଇନ ବେଟିଂ ସମ୍ପର୍କରେ ତଥ୍ୟ ପାଇଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହେଉନାହିଁ। ବର୍ତ୍ତମାନ ପାରଳାଖେମୁଣ୍ଡିରେ ଚାଲିଛି ‘ଓରା ୨୪’ ନାମକ ଅନ୍ଲାଇନ ସାଇଟ୍ ମାଧ୍ୟମରେ ବେଟିଂ। ଉକ୍ତ କମ୍ପାନି ପ୍ରତି ମ୍ୟାଚ୍ ପାଇଁ ଭିନ୍ନଭିନ୍ନ ଯୋଜନା ମାଧ୍ୟମରେ ବେଟିଂ ପରିଚାଳନା କରୁଛନ୍ତି। ପ୍ରତି ବଲ୍ ପାଇଁ ବାଜି ଲାଗୁଛି। ମ୍ୟାଚ୍ ଆରମ୍ଭରୁ ଛକା, ଚୌକା, କେଉଁ ବ୍ୟାଟ୍ସମ୍ୟାନ କେତେ କରିବ, କେଉଁ ବୋଲର କେତୋଟି ୱିକେଟ୍ ନେବ, ତା ଉପରେ ବେଟିଂ ଚାଲୁଛି। ବିଭିନ୍ନ ୟୁପିଆଇ ମାଧ୍ୟମରେ ଟଙ୍କା କାରବାର ମଧ୍ୟ ହେଉଛି।
ଗତକାଲି ରାଜସ୍ଥାନ ବନାମ ବେଙ୍ଗାଲୁରୁ ଖେଳର ଶେଷ ପର୍ଯ୍ୟାୟରେ ଜଣେ ବ୍ୟକ୍ତି ରାଜସ୍ଥାନ ସପକ୍ଷରେ ୧୭ ଟଙ୍କା ୪୦ ପଇସା ଟ୍ରାନ୍ସଫର୍ କଲେ ପ୍ରାୟ ୧୦ ହଜାର ଟଙ୍କା ଜିତିବାର ସୁବିଧା ରହିଥିଲା। କେବଳ ସେତିକି ନୁହେଁ ବିଭିନ୍ନ ଦଳ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଆକର୍ଷଣୀୟ ବେଟିଂ ବିକଳ୍ପ ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରୁଛି। ଏ ସମ୍ପର୍କରେ ଅଭିଭାବକ ଏବଂ ପରିବାର ସଦସ୍ୟଙ୍କ ପାଖରେ କୌଣସି ତଥ୍ୟ ରହୁ ନଥିବା ଯୋଗୁଁ ସେମାନଙ୍କର ଅଜାଣତରେ ପିଲାମାନେ ହଜାର ହଜାର ଟଙ୍କା ଅନ୍ଲାଇନ୍ ବେଟିଂରେ ଉଡ଼ାଇ ଦେଉଛନ୍ତି।
Follow Us