ରାଉରକେଲାରେ ଆଇପିଏଲ୍‌ ବେଟିଂ, ଦୈନିକ ଉଡୁଛି ୫ କୋଟି!

Advertisment
୨୪ରେ ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌, ବେଟିଂ ବଜାର ଚଳଚଞ୍ଚଳ

ରାଉରକେଲା : ଗତକାଲିଠୁ ଆରମ୍ଭ ହୋଇଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)। ଉଦ୍‌ଘାଟନୀ ମ୍ୟାଚ୍ ସୁରୁ ହେବାସହିତ ସମାନ୍ତରାଳରେ ପୁଣି ରାଉରକେଲା ସହର ଓ ଆଖପାଖରେ ଆରମ୍ଭ ହୋଇଯାଇଛି ଆଇପିଏଲ୍‌ ଜୁଆ ବା ବେଟିଂ। ଟସ୍‌ରୁ ନେଇ ଖେଳ ଶେଷ ବୋଲିଂ ପର୍ଯ୍ୟନ୍ତ ଲାଗୁଛି ବାଜି।

ପ୍ରାପ୍ତ ସୂଚନା ଅନୁସାରେ, ସହରର ଡେଲିମାର୍କେଟ, ଟ୍ରାଫିକ୍‌ ଗେଟ୍‌, ସେକ୍ଟର-୧୯ ଇସ୍ପାତ ମାର୍କେଟ, ଉଦିତନଗର, ବାସନ୍ତୀ କଲୋନି,ଛେଣ୍ଡ, ସିଭିଲଟାଉନସିପ୍‌, ପାନପୋଷ, ବେଦବ୍ୟାସ ଓ ବନ୍ଧମୁଣ୍ଡାରେ ଚାଲୁଛି ବେଧଡ଼କ ଖେଳ। କେବଳ ସହର ନୁହେଁ, ଏହାର ଆଖପାଖ ବୀରମିତ୍ରପୁର, ବିସ୍ରା, ଜରେଇକେଲା, ନୂଆଗାଁରରେ ମଧ୍ୟ ଚାଲୁଛି ବେଟିଂ। ବାଜି ଲାଗୁଛି ୫ ହଜାରରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା। ଏମିତି ଦୈନିକ ପାଖାପାଖି ୪ରୁ ୫ କୋଟି ଉଡୁଛି ବୋଲି ଏକ ଆକଳନରୁ ପ୍ରକାଶ। ଏବେ ଖେଳ ମୁଖ୍ୟତଃ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଜରିଆରେ ହେଉଛି। ଏ ଖେଳର ଚେର ଲମ୍ବିଛି ରାଉରକେଲାରୁ ଦିଲ୍ଲୀ ଓ ମୁମ୍ବାଇ ପର୍ଯ୍ୟନ୍ତ। ସ୍ଥାନୀୟ କିଛି ଜଣାଶୁଣା ଜୁଆଡି ଏହାର ସ୍ଥାନୀୟ ଦାୟିତ୍ବରେ ଅଛନ୍ତି।

ବେଟିଂରେ ବାଜି ଲଗାଉଛନ୍ତି ମୁଖ୍ୟତଃ ବ୍ୟବସାୟୀ, ଶିଳ୍ପପତି ଓ ଇଞ୍ଜିନିୟରିଂ କଲେଜର ଛାତ୍ର। ଗତ ୨୦୧୯ରୁ ରାଉରକେଲା ସହର ଓ ଏହାର ଆଖପାଖରେ ଆଇପିଏଲ୍‌ ବେଟିଂ ଚାଲି ଆସୁଥିଲେ ହେଁ ପୁଲିସ ରୋକିବାକୁ ବିଫଳ ହୋଇଛି। ବିଗତ ଦିନରେ ପ୍ଲାଣ୍ଟସାଇଟ୍‌ ଓ ବନ୍ଧମୁଣ୍ଡା ପୁଲିସ ଆଇପିଏଲ୍‌ ବେଟିଂ କରୁଥିବା କିଛି ଏଜେଣ୍ଟକୁ ଗିରଫ କରି ଜେଲ୍‌କୁ ପଠାଇଥିଲା। ଜେଲରୁ ମୁକୁଳିବା ପରେ ସେମାନେ ପୁଣି ଆରମ୍ଭ କରି ଦେଇଛନ୍ତି ନିଜର ପୁରୁଣା ଧନ୍ଦା। ରାଉରକେଲା ଓ ବନ୍ଧମୁଣ୍ଡାର ପ୍ରାୟ ୫୦ରୁ ଅଧିକ ଏଜେଣ୍ଟ ‌ବେଟିଂ କରୁଥିବା ଜଣାପଡିଛି। ଦିଲ୍ଲୀ ଓ ମୁମ୍ବାଇରେ ଖେଳକୁ ସଂଚାଳନ କରୁଥିବା କିଙ୍ଗପିନ୍‌ମାନଙ୍କ ଇସାରା ଏଜେଣ୍ଟମାନେ ବାଜି ଲଗାଉଛନ୍ତି। ଏମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ସହରର କିଛି ପ୍ରମୁଖ ହୋଟେଲ, ଢ଼ାବା ଓ ନିଛାଟିଆ ସ୍ଥାନ। ଗତବର୍ଷ ଷ୍ଟେସନ ଇଲାକାର କିଛି ହୋଟେଲରେ ପୁଲିସ ଚଢ଼ଉ କରି କେତେଜଣ ଏଜେଣ୍ଟକୁ ଗିରଫ କରିଥିଲା।

ସୂଚନା ମୁତାବକ, ପୂର୍ବରୁ ଚଢ଼ଉ ହୋଇଥିବା ହୋଟେଲ ମାଲିକମାନେ ଜୁଆକୁ ପ୍ରଶ୍ରୟ ଦେବାକୁ ରାଜି ନଥିବାରୁ ଏଥର ନୂଆ ଅନ୍ୟ କିଛି ହୋଟେଲକୁ ବଛା ଯାଇଛି। ଟସ୍‌ରୁ ଆରମ୍ଭ ହେଉଛି ବେଟିଂ। ପରେ ବୋଲିଂ, ୱିକେଟ ପତନ, ରନ୍‌, ଚୌକା, ଛକା ଆଦି ପାଇଁ ବାଜି ଲାଗୁଛି। କେବଳ ସହର ନୁହେଁ ସହରକୁ ଲାଗିଥିବା ଆଖାପାଖ ଗାଁରେ ମଧ୍ୟରେ ଖେଳ ଆରମ୍ଭ ହୋଇଯାଇଛି। ଏ ଜୁଆ ସଂପର୍କରେ ସହରର ଦାଣ୍ଡ ହାଟରେ ଆଲୋଚନା ହେଉଥିବାବେଳେ ଏ ସଂପର୍କରେ କିନ୍ତୁ ରାଉରକେଲା ଜୋନାଲ୍ ଡିଏସ୍‌ପି ଅସୀମ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ‘‘ଏ ମାମଲାରେ କିଛି ସୂଚନା ନାହିଁ। ସୂଚନା ମିଳିବାପରେ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe