ଆଇପିଏଲ୍ ବେଟିଂ ରାକେଟ୍‌: ଫେରାର୍‌ ଦୁଇ ବୁକିଙ୍କୁ ଧରିଲା ପୁଲିସ

୧.୯୫ଲକ୍ଷ, କାର୍‌, ୭ଟି ମୋବାଇଲ୍‌ ଜବତ

ଆଇପିଏଲ୍ ବେଟିଂ ରାକେଟ୍‌: ଫେରାର୍‌ ଦୁଇ ବୁକିଙ୍କୁ ଧରିଲା ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁରରେ ଚାଲିଥିବା ଆଇପିଏଲ୍‌ ବେଟିଂ ରାକେଟ୍‌ର ଫେରାର୍‌ ଥିବା ଦୁଇଜଣ ବୁକିଙ୍କୁ ପୁଲିସ କାବୁ କରିଛି। ସେମାନେ ହେଲେ ବିଶାଲ କୁମାର ଅଗ୍ରୱାଲ ଓ ଅଜିତ କୁମାର ବରାଡ଼ ଓରଫ୍‌ ବାଦଲ ବୋଲି ଏଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ମୋଟ ୧ଲକ୍ଷ ୯୫ହଜାର ୫ଶହ ଟଙ୍କା, ୭ଟି ମୋବାଇଲ୍‌, କାର୍‌, ଏଟିଏମ୍‌ କାର୍ଡ ଏବଂ ପରିଚୟପତ୍ର ଜବତ କରାଯାଇଛି। ଉଭୟେ ପୁଲିସ ଆଖିରେ ଧୂଳି ଦେଇ ହାଇଦ୍ରାବାଦ ଚମ୍ପଟ ମାରିବା ପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ପୁଲିସ ଠିକଣା ସମୟରେ ଉଭୟଙ୍କୁ ମାଡ଼ି ବସିଛି।

ଆଇପିଏଲ୍‌ କ୍ରିକେଟ୍‌ ଆରମ୍ଭ ହେବା ଠାରୁ ବ୍ରହ୍ମପୁରରେ ବେଟିଂ କାରବାର ଆରମ୍ଭ ହୋଇଥିଲା। ବହୁ ଯୁବବର୍ଗ ଅନ୍‌ଲାଇନ୍‌ ବେଟିଂରେ ସାମିଲ ହୋଇଥିଲେ। କୋଟି କୋଟି ଟଙ୍କାର ବେଟିଂ ହୋଇଥିଲା। ଏଜେଣ୍ଟଙ୍କ ଜରିଆରେ ଏଭଳି କାରବାର ଚାଲିଥିବା ବେଳେ ଗତ ଅକ୍ଟୋବର ୨୯ତାରିଖରେ ଗୋସାଇଁ ନୂଆଗାଁ ଥାନା ପୁଲିସକୁ ସଫଳତା ମିଳିଥିଲା। ଆଇପିଏଲ୍‌ ବେଟିଂ ରାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ଆର୍‌. ଲାଲି ଆଚାରୀ ଓ ସହଯୋଗୀ ପ୍ରଶାନ୍ତ ସୁବୁଦ୍ଧିଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୩୩ଲକ୍ଷ ୬୧ହଜାର ଟଙ୍କା ଜବତ ହୋଇଥିଲା। ଏହି ଘଟଣାରେ ଆହୁରି କେତେକ ବୁକି ଫେରାର୍‌ ରହିଥିଲେ। ପୁଲିସ ବିଶାଲଙ୍କ ଉପରେ ନଜର ରଖିଥିଲା।

publive-image

ଗତକାଲି ବିଶାଲ ଓଡ଼ିଶା ଛାଡ଼ି ହାଇଦ୍ରାବାଦ ଫେରାର୍‌ ହେବାକୁ ଯୋଜନା କରିଥିଲା। ବିଶାଲ ଭୁବନେଶ୍ବର ବିମାନ ବନ୍ଦରରେ ଥିବା ନେଇ ସୂଚନା ମିଳିବା ପରେ ବ୍ରହ୍ମପୁର ପୁଲିସ ସେଠାରେ ଚଢ଼ଉ କରି ତାଙ୍କୁ ଉଠାଇ ଆଣିଥିଲା। ବିଶାଲଙ୍କୁ ଜେରା କରିବା ପରେ ସହଯୋଗୀ ଅଜିତ ସମ୍ପର୍କରେ ସୂଚନା ପାଇଥିଲା। ଅଜିତ ଏକ କାର୍‌ରେ ହାଇଦ୍ରାବାଦ ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୋପାଳପୁର ଜଙ୍କସନ୍‌ରେ ଚଢ଼ଉ କରି ତାଙ୍କୁ କାବୁ କରି ନେଇଥିଲା। ଆଜି ଉଭୟଙ୍କୁ ଗୋସାଇଁ ନୂଆଗାଁ ଥାନା କେସ୍ ନମ୍ବର ୧୪୧/୨୦ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe