୨୬ରୁ ଆଇପିଏଲ୍‌ ଆରମ୍ଭ: ବେଟିଂ ବଜାର ଚଳଚଞ୍ଚଳ, ଅନ୍‌ଲାଇନ୍‌ ବେଟିଂ ପାଇଁ ମାଳମାଳ ୱେବ୍‌ସାଇଟ୍‌

Advertisment
୨୬ରୁ ଆଇପିଏଲ୍‌ ଆରମ୍ଭ: ବେଟିଂ ବଜାର ଚଳଚଞ୍ଚଳ, ଅନ୍‌ଲାଇନ୍‌ ବେଟିଂ ପାଇଁ ମାଳମାଳ ୱେବ୍‌ସାଇଟ୍‌

Cricket Addictor

ସମ୍ବଲପୁର: ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଭାରତର ସବୁଠାରୁ ବଡ଼ କ୍ରିକେଟ୍‌ ଋତୁ ଆଇପିଏଲ୍‌(ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌) ଆରମ୍ଭ ହେବାକୁ ଯାଉଛି। ଶନିବାର ରାତି ୭ଟା ୩୦ରେ ଆଇପିଏଲ୍‌-୧୫ର ଉଦ୍‌ଘାଟନୀ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଯାହାକୁ ନେଇ ସାରା ବିଶ୍ବର କ୍ରିକେଟ୍‌ ପ୍ରେମୀ ବେଶ୍‌ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। କେବଳ କ୍ରିକେଟ୍‌ ପ୍ରେମୀ ନୁହେଁ, ସାରା ବିଶ୍ବର କ୍ରିକେଟ୍‌ ଖେଳାଳିମାନେ ମଧ୍ୟ ଆଇପିଏଲ୍‌ରେ ଖେଳିବା ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି। ଚଳିତବର୍ଷ ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ୧୦ଟି ଦଳ ସାମିଲ ହୋଇଥିବାରୁ ଏଥର ବିଜେତା ହେବାକୁ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ମଧ୍ୟ ଦେଖିବାକୁ ମିଳିବ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି। ଏସବୁ ଭିତରେ ବେଟିଂ ବଜାର ମଧ୍ୟ ଚଳଚଞ୍ଚଳ ହୋଇସାରିଲାଣି।

ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ବେଟିଂ ବଜାର ଖୋଲି ସାରିଥିବା ବେଳେ ବେଟିଂ ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି ମଧ୍ୟ ହୋଇସାରିଲାଣି। ଅତ୍ୟାଧୁନିକ ଜ୍ଞାନ କୌଶଳ ସହାୟତାରେ  ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ଅନ୍‌ଲାଇନ୍‌ ବେଟିଂ ପାଇଁ ସର୍ବୋତ୍କୃଷ୍ଟ ମାଧ୍ୟମ ପାଲଟିଥିବା ବେଳେ କିଛି ନେତାଙ୍କ ଆଢ଼ୁଆଳରେ ଅଫ୍‌ଲାଇନ୍‌ ବେଟିଂ ପାଇଁ ବି ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କହାଯାଉଥିବା ସମ୍ବଲପୁର ଏଥିରେ ପଛରେ ରହିନାହିଁ। ପୌର ନିର୍ବାଚନ ପାଇଁ ପୁଲିସ ବିଭାଗ ବ୍ୟସ୍ତ ରହିଥିବା ବେଳେ ବେଟିଂ ରାକେଟ୍‌ ଗୁଡ଼ିକ ଜାଲ ବିଛାଇବା ଆରମ୍ଭ କରିସାରିଲେଣି। ବଡ଼ବଡ଼ ନେତାଙ୍କ ସମ୍ପର୍କୀୟମାନେ ଏହି ବେଟିଂ ରାକେଟ୍‌ଗୁଡ଼ିକୁ ଚଲାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଲିସ ସେମାନଙ୍କ ପାଖ ମାଡ଼ି ପାରିବ ନା ନାହିଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦୀର୍ଘବର୍ଷରୁ କିଛି ପ୍ରମୁଖ ରାଜନେତାଙ୍କ ସମ୍ପର୍କୀୟମାନେ ଏହି ବେଟିଂ କାରବାରର ମଙ୍ଗ ଧରିଥିବା ବେଳେ ଆଜି ପର୍ଯ୍ୟନ୍ତ କିନ୍ତୁ ସେମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇପାରିନାହିଁ। କିନ୍ତୁ ଏହା ସତ ଯେ, ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ଆଇପିଏଲ୍‌ରେ ଜୋର୍‌ଦାର ବେଟିଂ ଚାଲିଥିବା ବେଳେ ପୁଲିସ ଏକାଧିକ ବେଟିଂ ରାକେଟ୍‌ ଠାବ କରିବାରେ ସଫଳ ମଧ୍ୟ ହୋଇଛି। ପୁଲିସ ଚଢ଼ଉ କରି ଲକ୍ଷାଧିକ ଟଙ୍କା ଜବତ କରିବା ସହ ବେଟିଂ ଲଗାଉଥିବା କିଛି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଥିଲା। ତେବେ ମଙ୍ଗ ଧରୁଥିବା ମୁଖ୍ୟ ଆସାମୀମାନଙ୍କୁ ଧରିବାରେ ପୁଲିସ ବିଫଳ ହେଉଥିବାରୁ ସବୁ ବର୍ଷ ଏହି ବେଟିଂ କମିବା ବଦଳରେ ବଢ଼ିବାରେ ଲାଗିଛି।

ଚଲିତବର୍ଷ ୨ଟି ନୂଆ ଦଳ ସାମିଲ ହୋଇଥିବା ବେଳେ ସବୁ ଦଳରେ ଖେଳାଳି ପରିବର୍ତ୍ତନ ହୋଇଛନ୍ତି। ଚଳିତବର୍ଷ ଆଇପିଏଲ୍‌ ସିଜିନ୍‌-୧୫ରେ ଭାଗ ନେଉଥିବା ଦଳଗୁଡ଼ିକ ହେଲା ଚେନ୍ନାଇ ସୁପରକିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜୁରାଟ ଟାଇଟନ୍ସ, କୋଲକାତା ନାଇଟ୍‌ ରାଇଡର୍ସ, ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଚାବ କିଙ୍ଗ୍‌ସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ।

କେଉଁ ଦଳ କାହା ଉପରେ ଭାରି ପଡ଼ିବ ତାହା କହିବା ସମ୍ଭବ ହୋଇ ନଥିବାବେଳେ ବେଟିଂ ବଜାରରେ ତାକୁ ନେଇ ନିଆଁ ଲାଗିବାର ସମ୍ଭାବନା ଥିବା ବିଶେଷଜ୍ଞ ମତ ଦେଇଛନ୍ତି। ଚଳିତବର୍ଷ ଆଇପିଏଲ୍‌ ଟାଇଟଲ୍‌ କିଏ ଜିତିବ, ସେ ନେଇ ଅନ୍‌ଲାଇନ୍‌ରେ ଏବେଠାରୁ ବେଟିଂ ଆରମ୍ଭ ହୋଇଗଲାଣି। ଅନ୍‌ଲାଇନ୍‌ରେ ଶହ ଶହ ୱେବ୍‌ସାଇଟ୍‌ ଓ ଆପ୍ଲିକେସନ୍‌ ମାଧ୍ୟମରେ ବେଟିଂ ପାଇଁ ଲିଙ୍କ୍‌ ଦିଆଯାଇଛି। ଅନ୍‌ଲାଇନ୍‌ ବେଟିଂ ପୂର୍ବ ଅପେକ୍ଷା ବୃଦ୍ଧି ପାଇବାର ଆଶଙ୍କା ରହିଥିବା ବେଳେ ସାମାଜିକ ଗଣମାଧ୍ୟମ ଏବଂ ବିଭିନ୍ନ ୱେବ୍‌ସାଇଟ୍‌ ମାଧ୍ୟମରେ ବେଟିଂ ପାଇଁ ବହୁ ଲିଙ୍କ ଏବେଠୁ ଦେଖିବାକୁ ମିଳିଲାଣି। ଟେଲିଗ୍ରାମ୍‌ରେ ମାଳମାଳ ବେଟିଂ ଗ୍ରୁପ୍‌ ଏବେ ଆଇପିଏଲ୍‌ ପାଇଁ ଚଳଚଞ୍ଚଳ ହୋଇସାରିଲାଣି। ତେବେ ଏହି ବେଟିଂ ଗ୍ରୁପ୍‌ ମାଧ୍ୟମରେ ସାଇବର୍‌ ଠକେଇର ସମ୍ଭାବନା ମଧ୍ୟ ରହୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ପଶ୍ଚିମ ଓଡ଼ିଶାରେ ପୂର୍ବରୁ ଆଇପିଏଲ୍‌ ସମୟରେ ବେଟିଂ ଜୋର୍‌ଦାର ଚାଲିଥିବା ବେଳେ ଚଳିତବର୍ଷ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ଗତବର୍ଷ ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ପୁଲିସ ଆଇପିଏଲ୍‌ ବେଟିଂ ବେଳେ ଚଢ଼ଉ କରି ଏକାଧିକ ସ୍ଥାନରୁ ଲକ୍ଷାଧିକ ଟଙ୍କା ଜବତ କରିଥିଲା। ଗତବର୍ଷ ଆଇପିଏଲ୍‌ ବେଟିଂ କରୁଥିବା ବେଳେ ଦେବଗଡ଼ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା। ସେଭଳି ଝାରସୁଗୁଡ଼ା ପୁଲିସ ମଧ୍ୟ ୨ ଜଣଙ୍କୁ ଗିରଫ କରିବା ସହ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା। ଏହି ବେଟିଂ ଘଟଣାରେ ଦେଶ ବାହାରକୁ ଲିଙ୍କ ଥିବା ସୂଚନା ମିଳିଥିଲା। ଦୁବାଇରୁ ଭାୟା କୋଲକାତା ଦେଇ ପଶ୍ଚିମ ଓଡ଼ିଶାରେ ବେଟିଂ ଚାଲିଥିବା ଜଣାପଡ଼ିଥିଲା। ତେବେ ସମ୍ବଲପୁର ବେଟିଂ ହବ୍‌ ବୋଲି ଚର୍ଚ୍ଚା ହେଉଛି। ବେଟିଂ ବଜାର ଏବେଠୁ ଚଳଚଞ୍ଚଳ ହୋଇସାରିଥିବା ବେଳେ ଏହାକୁ ରୋକିବା ପାଇଁ ପୁଲିସ କି ପଦକ୍ଷେପ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe