Indian Bureaucracy
କଟକ : ପୁଲିସ ବିଭାଗ ମାନବାଧିକାର ସୁରକ୍ଷା ସେଲ୍ (ଏଚଆରପିସି) ଆଇଜି ତଥା ବରିଷ୍ଠ ଆଇପିଏସ୍ ଅଫିସର ଏନ.ବି.ଭାରତୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଚଆରପିସି ଏଡିଜି ଏସ୍.ଏମ୍. ନରଭଣେ ଏଭଳି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ବିଭାଗରେ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ଆଇଜି ଭାରତୀଙ୍କ କାର୍ଯ୍ୟାଳୟ ବନ୍ଦ ରହିବା ଏବଂ ଗୃହ ବିଭାଗର ନୋଟିସ ତାଙ୍କୁ ଦିଆଯାଇ ନପାରିବାରୁ ତାହାକୁ ତାଙ୍କ କାର୍ଯ୍ୟାଳୟ କବାଟରେ ଲଗାଇ ଦିଆଯିବା ଭଳି ରୋଚକ ଘଟଣା ‘ସମ୍ବାଦ’ରେ ଗଲା ୧୯ ତାରିଖ ଦିନ ଫଟୋ ସହିତ ପ୍ରକାଶ ପାଇବା ପରେ ବିଭାଗରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏଚଆରପିସିରେ ବିଶୃଙ୍ଖଳା ସଂପର୍କରେ ଏଡିଜି ନରଭଣେ ପୂର୍ବରୁ ପୁଲିସ ଡିଜିଙ୍କୁ ଜଣାଇଥିଲେ। ଡିଜି ମଧ୍ୟ ରାଜ୍ୟ ଗୃହ ବିଭାଗକୁ ଘଟଣା ସଂପର୍କରେ ଅବଗତ କରିଥିଲେ। କିନ୍ତୁ ଶୃଙ୍ଖଳିତ ପୁଲିସ ବିଭାଗରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନେଇ ଏଭଳି ଘଟଣା ଏବେ ଯେତିକି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି, ଏ ସଂପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ଅଧିକ ହଟଚମଟ ଆରମ୍ଭ ହୋଇଯାଇଛି।
ଆଇଜି ଭାରତୀଙ୍କ କାର୍ଯ୍ୟାଳୟ କବାଟରେ ଯେଉଁ ‘ଲଟକା’ ଝୁଲା ଯାଇଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ ଗୃହ ବିଭାଗ ଜାନୁଆରି ୩ ତାରିଖରେ ଏକ ନୋଟିସ ଜାରି କରିଥିଲା। କିନ୍ତୁ ସେହି ନୋଟିସକୁ ଭାରତୀଙ୍କୁ ଦିଆଯାଇ ନ ପାରିବାରୁ ତାହାକୁ ତାଙ୍କୁ କାର୍ଯ୍ୟାଳୟ କବାଟରେ ଲଗାଇ ଦିଆଯାଇଥିଲା। ୨୦୧୭ ମସିହାରେ ଭାରତୀ ଯେତେବେଳେ ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ ସେତେବେଳେ ତାଙ୍କ ବିରୋଧରେ ବିଶୃଙ୍ଖଳା ଅଭିଯୋଗ ଆସିଥିଲା। ଏ ସଂପର୍କରେ ତାଙ୍କୁ ଉତ୍ତର ରଖିବାକୁ ଏକ ମାସ ସମୟ ଦିଆଯାଇଥିଲେ ବି ସେ ଲିଖିତ ଉତ୍ତର ଦେଇ ନଥିଲେ। ପରବର୍ତ୍ତୀ ସମୟରେ ସପ୍ତାହେ ଭିତରେ ଉପସ୍ଥିତ ରହି ପକ୍ଷ ରଖିବାକୁ କୁହାଯାଇଥିଲେ ବି ତାହାକୁ ସେ ମାନି ନଥିଲେ। ଫଳରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୋସିଡିଂ ଆରମ୍ଭ ହେବା ସହ ଏଥିପାଇଁ ତାଙ୍କୁ ନୋଟିସ ଦିଆଯାଇଥିଲା। ତାଙ୍କ ବିରୋଧରେ ରହିଥିବା ଅଭିଯୋଗର ତଦନ୍ତ ତତ୍କାଳୀନ ପୁଲିସ ମୁଖ୍ୟାଳୟ ଏଡିଜି ବିନୟତୋଷ ମିଶ୍ର କରିଥିଲେ। କିନ୍ତୁ ଏତେ ସବୁ ଅଭିଯୋଗ ଆଉ ପଦକ୍ଷେପ ପରେ ବି ଏନ.ବି.ଭାରତୀଙ୍କୁ ଡିଆଇଜିର ଆଇଜି ପାହ୍ୟାକୁ କିଭଳି ପଦୋନ୍ନତି ଦିଆଯାଇଥିଲା? ବିଶୃଙ୍ଖଳା ଅଭିଯୋଗ ଆଉ ବିଭାଗୀୟ ପ୍ରୋସିଡିଂ ଚାଲିଥିବା ବେଳେ ପୁଲିସ ବିଭାଗରେ ଜଣେ ଅଧିକାରୀଙ୍କୁ ପଦୋନ୍ନତି ମିଳିବା ନିୟମ ପରିସରଭୁକ୍ତ କି? ବୋଲି ଏବେ ପ୍ରଶ୍ନ ଉଠିଲାଣି।
Follow Us