ଶ୍ରୀଜଗନ୍ନାଥ ମନ୍ଦିରର ଭୁଲ୍‌ ଫଟୋ ଛାପି ନିଃସର୍ତ୍ତ କ୍ଷମାପ୍ରାର୍ଥନା କଲା ରେଳବାଇ

Advertisment
ଶ୍ରୀଜଗନ୍ନାଥ ମନ୍ଦିରର ଭୁଲ୍‌ ଫଟୋ ଛାପି ନିଃସର୍ତ୍ତ କ୍ଷମାପ୍ରାର୍ଥନା କଲା ରେଳବାଇ

India Today

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଏକ ଭୁଲ୍‌ ଫଟୋ ଛାପିବା ଘଟଣାରେ ଆଜି ଭାରତୀୟ ରେଳବାଇ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛି। ଏଥିସହ ଭୁଲ୍‌ ଫଟୋ ଛାପିଥିବା ସମସ୍ତ ପୋଷ୍ଟରକୁ ମଧ୍ୟ ପ୍ରତ୍ୟାହାର କରିନେଇଛି ଭାରତୀୟ ରେଳବାଇ।

ଘଟଣାର ବିବରଣୀରୁ ପ୍ରକାଶ, ରେଳବାଇ ପକ୍ଷରୁ ଚାଲୁଥିବା ଭାରତ ଦର୍ଶନ ସ୍ୱତନ୍ତ୍ର ଟ୍ରେନ୍‌ର ପ୍ରଚାର ପ୍ରସାର ପାଇଁ ଭାରତୀୟ ରେଳବାଇର ଅନ୍ୟତମ ସହଯୋଗୀ ସଂସ୍ଥା ଇଣ୍ଡିଆନ୍‌ ରେଲେଓ୍ଵ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ (ଆଇଆର୍‌ଟିସି) ପକ୍ଷରୁ ଏକ ସଦୃଶ୍ୟ ରଙ୍ଗିନ୍‌ ପୋଷ୍ଟର ଛପା ଯାଇଥିଲା। ତେବେ, ଏହି ପୋଷ୍ଟରରେ ଅନ୍ୟ ଏକ ମନ୍ଦିରର ଫଟୋ ଛପାଯାଇ ସେଥିରେ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବୋଲି ଉଲ୍ଲେଖ କରାଯାଇଥିଲା। ଏବଂ ଏହି ପୋଷ୍ଟରକୁ ଦେଶର ସମସ୍ତ ବଡ଼ ବଡ଼ ରେଳ ଷ୍ଟେସନ୍‌ ସମେତ ଦର୍ଶନୀୟ ସ୍ଥାନମାନଙ୍କରେ ମରା ଯାଇଥିଲା।

publive-image DataReign

ଏହିପରି ଏକ ପୋଷ୍ଟର ମୁମ୍ବାଇର ଛତ୍ରପତି ଶିବାଜୀ ଷ୍ଟେସନ୍‌ରେ ଲଗା ଯାଇଥିବା ବେଳେ, ଦୁଇଦିନ ତଳେ ମୁମ୍ବାଇ ଯାଇଥିବା ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଶମ୍ଭୁ ଖୁଣ୍ଟିଆଙ୍କ ଦୃଷ୍ଟିଗୋଚର ହୋଇଥିଲା। ସେ ସଙ୍ଗେ ସଙ୍ଗେ ଭୁଲ୍‌ ଛପା ଯାଇଥିବା ଏହି ପୋଷ୍ଟରର ଏକ ଫଟୋ ଉଠାଇ ତାଙ୍କ ଫେସ୍‌ବୁକ୍‌ରେ ଛାଡ଼ି ଦେବା ସହ ଏହି ଘଟଣାକୁ ରେଳ ବିଭାଗର ବରିଷ୍ଠ କର୍ମକର୍ତ୍ତାଙ୍କ ଦୃଷ୍ଟିକୁ ଆଣିଥିଲେ। ତେବେ, ସେମାନେ ଏଘଟଣା ବାବଦରେ କିଛି ଜାଣନ୍ତି ନାହିଁ ବୋଲି କହି ଘଟଣାଟିକୁ ଏଡ଼ାଇ ଯାଇଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ଏହି ଘଟଣାକୁ କେନ୍ଦ୍ର କରି ଫେସ୍‌ବୁକ୍‌ରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଘଟଣାରେ ହସ୍ତକ୍ଷେପ କରିବା ସହ ଘଟଣା ସଂପର୍କରେ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏହି ଭୁଲ୍‌ ପାଇଁ ରେଳ ବିଭାଗ ଓ ଆଇଆର୍‌ଟିସି ପକ୍ଷରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯିବା ସହ ଏହି ପୋଷ୍ଟରକୁ ପ୍ରତ୍ୟାହାର କରି ନିଆଯାଇଛି। ‘ଆମର ଏହି ଭୁଲ୍‌ ଦ୍ୱାରା ଅଗଣିତ ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀଙ୍କ ମନରେ ଦୁଃଖ ଦେଇଥିବାରୁ ଆମେ ଦୁଃଖିତ ହେବା ସହ ଭବିଷ୍ୟତରେ ଆଉ ଏପରି ଭୁଲ୍‌ର ପୁନରାବୃତ୍ତି ହେବ ନାହିଁ’ ବୋଲି କହିଛନ୍ତି ଆଇଆର୍‌ଟିସିିର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ସୁଦୀପ୍ତ ମୁଖାର୍ଜୀ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଏହିପରି ଏକ ଘଟଣାକ୍ରମରେ ଗତବର୍ଷ ଅକ୍ଟୋବର ୨୯ ତାରିଖରେ ଏୟାର ଇଣ୍ଡିଆ ମଧ୍ୟ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲା। ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀମାନଙ୍କ ନିମନ୍ତେ ପ୍ରକାଶିତ ‘ଶୁଭ ଯାତ୍ରା’ ନାମକ ପତ୍ରିକାରେ ପ୍ରକାଶିତ ଏକ ଆଲେଖ୍ୟରେ ଲେଖା ଯାଇଥିଲା ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଯାତ୍ରୀମାନଙ୍କୁ ଆମିଷ ଖାଦ୍ୟ ପରସା ଯାଇଥାଏ। ଏହାକୁ ନେଇ ଓଡ଼ିଶାରେ ନିଆଁ ଜଳିବା ପରେ ଏହି ଅକ୍ଷମଣୀୟ ଭୁଲ୍‌ ପାଇଁ ଏୟାର ଇଣ୍ଡିଆ ମଧ୍ୟ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe