ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇରେ ରୋଷେଇ: କୋଠଭୋଗ ପାଳିଆ ସେବକ ନିଲମ୍ବିତ

Advertisment

ମହଙ୍ଗା ପଡ଼ିଛି ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇରେ ଅନ୍ନ ମହାପ୍ରସାଦ ରୋଷେଇ। ଶ୍ରୀମନ୍ଦିରର ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ।

ମହଙ୍ଗା ପଡ଼ିଛି ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇରେ ଅନ୍ନ ମହାପ୍ରସାଦ ରୋଷେଇ। ଶ୍ରୀମନ୍ଦିରର ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ।

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା: ୨୦୨୩ରେ ୨୨.୩୪ ଲକ୍ଷ ଓ ୨୦୨୧ରେ ୨୮.୧୦ ଲକ୍ଷ ଟଙ୍କା ମିଳିଥିଲା

ପୁରୀ: ମହଙ୍ଗା ପଡ଼ିଛି ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇରେ ଅନ୍ନ ମହାପ୍ରସାଦ ରୋଷେଇ। ଶ୍ରୀମନ୍ଦିରର ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ତିନିଜଣ ଅମାନିଆ ସୁଆର ମହାସୁଆର ସେବକଙ୍କୁ ଶ୍ରୀମନ୍ଦିର ଓ ରୋଷଘର ପ୍ରବେଶ ନିଷିଦ୍ଧ କରାଯାଇଛି। ଏହି ତିନି ସୁଆର ମହାସୁଆର ସେବକ ହେଲେ ବିଶ୍ବନାଥ ମହାସୁଆର, ମହାବୀର ପଣ୍ଡା ଓ ରାମଚନ୍ଦ୍ର ପଣ୍ଡା। ତିନିଜଣଙ୍କ ଭିତରୁ କୋଠଭୋଗ ପାଳିଆ ବିଶ୍ବନାଥ ମହାସୁଆରଙ୍କୁ ସେବାରୁ ନିଲମ୍ବିତ କରାଯାଇଛି। ପ୍ରବେଶ ନିଷିଦ୍ଧ କଟକଣା କାର୍ଯ୍ୟକାରୀ କରିବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ଦେଉଳକରଣଙ୍କୁ ଆଦେଶ ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ଇତିହାସରେ ଏହା ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ସେବାୟତ ମହଲ ଓ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ଏଭଳି ପଦକ୍ଷେପକୁ ସ୍ବାଗତ କରିଛି। ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ବାରମ୍ବାର ବାରଣ କରିବା ସତ୍ତ୍ବେ କଡ଼େଇରେ ଅନ୍ନ ମହାପ୍ରସାଦ ରୋଷେଇ ଜାରି ରହିବାରୁ ନିଯୋଗ ତରଫରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଏହା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତିନିଜଣ ସୁଆର ମହାସୁଆର ସେବକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସମସ୍ତ ସେବକ ବିଶୃଙ୍ଖଳିତ ନୁହନ୍ତି। କିଛି ବିଶୃଙ୍ଖଳିତଙ୍କ ପାଇଁ ସମସ୍ତେ ବଦନାମ ହେଉଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ହେଲେ, ସେବକମାନେ ଶୃଙ୍ଖଳିତ ହେବେ ଓ ସେବା ମନୋବୃତ୍ତି ରଖି କାମ କରିବେ ବୋଲି ଶ୍ରୀ ମହାସୁଆର କହିଛନ୍ତି। 

    କୋଠଭୋଗ ପାଳିଆ ସେବକ ନିଲମ୍ବିତ
    ତିନିଜଣଙ୍କୁ କାରଣଦର୍ଶାଅ ନୋଟିସ୍‌
    କାର୍ଯ୍ୟାନୁଷ୍ଠାନକୁ ସୁଆର ମହାସୁଆର ନିଯୋଗର ସ୍ବାଗତ

କରୋନା ସମୟରୁ ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇରେ ମହାପ୍ରସାଦ ରନ୍ଧା ହେଉଥିବା ନେଇ ସୁଆର ମହାସୁଆର ନିଯୋଗ ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲା। ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଜଣାଇଥିଲା। ଏହା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଘଟଣାର ତଦନ୍ତ ସହ କଡ଼େଇ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷ ପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମିନଙ୍କୁ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବା ସହ କଡ଼େଇ ଜବତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଓ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରିବାକୁ କହିଥିଲେ।

 ସଂପୃ୍କ୍ତ ସେବକ ଆଦେଶର ଅନୁପାଳନ କରିଛନ୍ତି କି ନାହିଁ, ତାର ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି, ପୂର୍ବ ନିର୍ଦ୍ଦେଶ ପରେ ଅନ୍ୟ ସୁପକାରମାନେ କଡ଼େଇ ବାହାର କରି ନେଇଛନ୍ତି। ତେବେ ଏହି ତିନି ସୁପକାର ବାରଣ ସତ୍ତ୍ୱେ ଲୁହା କଡ଼େଇ ବ୍ୟବହାର କରି ଅନ୍ନ ଡାଲି ରୋଷେଇ କରିଥିବା ଜଣାପଡ଼ିଥିଲା। ତିନି ସୁପକାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ୨୧-ଖ(କ) ଧାରା ଆଧାରରେ ତିନି ସୁପକାରଙ୍କ ମଧ୍ୟରୁ ଜଣେ ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି। ମହାପ୍ରଭୁଙ୍କ ସେବାପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ ତଥା ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଡ. ପାଢୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe