ଲୁହାପଥର ପହିବହନ ବନ୍ଦ, ସଂକଟରେ ଟ୍ରକ୍‌ ମାଲିକ

ଲୁହାପଥର ପହିବହନ ବନ୍ଦ, ସଂକଟରେ ଟ୍ରକ୍‌ ମାଲିକ

ଆନନ୍ଦପୁର : ଚାରିମାସ ହେ‌ଲା ଲୁହାପଥର ପରିବହନ ବନ୍ଦ ରହିଛି। ଫଳରେ ଆନନ୍ଦପୁର ଉପଖଣ୍ଡରେ ମାଳମାଳ ଟ୍ରକ୍‌ ଏବେ ଗାଁ ଦାଣ୍ଡରେ ଛିଡ଼ା ହୋଇଛନ୍ତି। ଚକ ଗଡ଼ୁ ନଥିବାରୁ ଗାଡ଼ି ମାଲିକଙ୍କ ଅବସ୍ଥା ମଧ୍ୟ ବେହାଲ ହୋଇଛି। ମାସିକ କିସ୍ତି ଦେଇପାରୁ ନଥିବାରୁ ଫାଇନାନ୍ସ କମ୍ପାନି କର୍ତ୍ତୃପକ୍ଷଙ୍କ ତାଗିଦ ସହିବାକୁ ପଡ଼ୁଛି।

ଆନନ୍ଦପୁର ଉପଖଣ୍ଡରେ କେନ୍ଦୁଝର ଟ୍ରକ୍‌ ମାଲିକ ସଂଘର ସଦସ୍ୟ ଥାଇ ୧୫ ଶହରୁ ଊର୍ଦ୍ଧ୍ବ ଟ୍ରକ୍‌ ଲୁହାପଥର ପରିବହନରେ ନିୟୋଜିତ ହୋଇଛନ୍ତି। ଅନେକ ବେକାରୀ ଯୁବକ ଫାଇନାନ୍ସ କମ୍ପାନିଠାରୁ ଋଣ ଆଣି ଟ୍ରକ୍‌ ବ୍ୟବସାୟ କରୁଛନ୍ତି। ଚାରିମାସ ହେଲା କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣିଖାଦାନରୁ ଲୁହାପଥର ପରିବହନ ବନ୍ଦ ରହିଛି। ଟ୍ରକ୍‌ଗୁଡ଼ିକ ରାସ୍ତାକଡ଼ରେ ଛିଡ଼ା ହୋଇଛନ୍ତି। କେବଳ ରାଜ୍ୟର ବିଭିନ୍ନ କଳକାରଖାନାକୁ ଗନ୍ଧମାର୍ଦ୍ଦନ ଖଣିରୁ ସୀମିତ ସଂଖ୍ୟକ ଟ୍ରକ୍‌ରେ ଖଣିଜ ପରିବହନ ‌ହେଉଛି। ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ନିୟମ ଉଲ୍ଲଘଂନ କରି ସିରିଏଲ ଲୋଡିଂ ହେଉ ନଥିବାରୁ ଆନନ୍ଦପୁର ଅଞ୍ଚଳର ଟ୍ରକଗୁଡ଼ିକ ଦିନଦିନ ଧରି ପାର୍କିଂସ୍ଥଳରେ ଛିଡ଼ା ହେଉଛନ୍ତି। ସଂଘ ପକ୍ଷରୁ ସିରିଏଲ୍‌ ଲୋଡିଂ ପାଇଁ ନିର୍ଦେଶ ଥିଲେ ମଧ୍ୟ କର୍ମଚାରୀମାନେ ଏହାକୁ ମାନୁ ନାହାନ୍ତି। ଲୋଡିଂ ଟୋକନ ହଜାରେ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏନେଇ ସଂଘର ଜଣେ କାର୍ଯ୍ୟନିର୍ବାହୀ ସଦସ୍ୟ ତିନିଜଣ କର୍ମଚାରୀଙ୍କ ନାମରେ ଟାଉନ ଥାନାରେ ଏତଲା ଦେଇଥିବାବେଳେ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

publive-image

ସେହିପରି ସଂଘର ବରିଷ୍ଠ କର୍ମକର୍ତ୍ତାମାନେ କେବଳ ନିଜ ଅନୁଗତଙ୍କ ଟ୍ରକ୍‌କୁ ଲୋଡିଂ ଦେଉଥିବାରୁ ଏହାକୁ ନେଇ ଗାଡ଼ି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଚାରିମାସ ହେଲା ଟ୍ରକ୍‌ ଗୁଡ଼ିକ ଛିଡ଼ା ହୋଇଥିବାରୁ ମାଲିକଙ୍କ ଅବସ୍ଥା ସଂଗିନ ହେଲାଣି। ରୋଜଗାର ନଥିବାରୁ ଗାଡ଼ି ମାଲିକମାନେ କିସ୍ତି ଦେଇପାରୁ ନାହାନ୍ତି। କରଜ କରି ରୋଡ୍‌ ଟ୍ୟାକ୍ସ, ପରମିଟ୍, ବୀମା, ଫିଟନେସ୍ ବାବଦକୁ ଅର୍ଥ ଦେଉଥିବା କହିଛନ୍ତି। ଫାଇନାନ୍ସ କମ୍ପାନି ପକ୍ଷରୁ ଗାଡ଼ି ମାଲିକଙ୍କୁ କିସ୍ତି ପ୍ରଦାନ ପାଇଁ ବାରମ୍ବାର ନୋଟିସ କରାଯାଉଥିବାରୁ ସେମାନେ ମାନସିକ ଚାପରେ ଥିବା ପ୍ରକାଶ କରିଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ମାଲିକମାନେ ବାଧ୍ୟ ହୋଇ ଟ୍ରକ୍‌ ବିକ୍ରି କରିଦେବେ ବୋଲି ସଂଘର କର୍ମକର୍ତ୍ତା ସୁଦୀପ କୁମାର ସାହୁ କହିଛନ୍ତି।

ସେହିପରି ଖାଲି ଟ୍ରକ୍‌ ଗୁଡ଼ିକ ଦୀର୍ଘଦିନ ଛିଡ଼ା ହୋଇଥିବାରୁ ଦୁର୍ବୃତ୍ତମାନେ ସେଥିରୁ ବ୍ୟାଟେରି, ଡାଇନାମା, ଷ୍ଟେପିନ୍ ଚୋରି କରି ନେଉଛନ୍ତି। ଏନେଇ ଘସିପୁରା ଓ ଆନନ୍ଦପୁର ଥାନାରେ ଏକାଧିକ ଅଭିଯୋଗ ହୋଇଛି। ଆନନ୍ଦପୁର, ନଦୁଆଁରେ ବ୍ୟାଟେରି ଚୋରି ରୢାକେଟ ସକ୍ରିୟ ହୋଇଛନ୍ତି। ଗତ ସପ୍ତାହରେ ଘସିପୁରାର ଶ୍ରୀଧର ସାହୁଙ୍କ ଟ୍ରକ୍‌ରୁ ବ୍ୟାଟେରି ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଲୁହାପଥର ପରିବହନ ବନ୍ଦ ଯୋଗୁଁ କେବଳ ଗାଡ଼ି ମାଲିକ ନୁହନ୍ତି ଡ୍ରାଇଭର, ହେଲପର୍‌, ଗ୍ୟାରେଜ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe