ଧାନ ସଂଗ୍ରହରେ କୋଟିଏ ଟଙ୍କାର ଅନିୟମିତତା

ଯାଜପୁରରେ ଅଖା ଘୋଟାଲା: ୭ବର୍ଷରେ ଚାଷୀଙ୍କ ୧୩ କୋଟି ହଡ଼ପ

ସମ୍ବଲପୁର, ବରଗଡ଼ ଜିଲ୍ଲାର ୮୩ ପ୍ୟାକ୍ସ ଖାଇଗଲେ ଚାଷୀ ଟଙ୍କା
୫ ବର୍ଷ ପୁରୁଣା ରିପୋର୍ଟ ବାହାର କଲା କର୍ପୋରେସନ

ଭୁବନେଶ୍ବର : ସମ୍ବଲପୁର, ବରଗଡ଼ ଜିଲ୍ଲାର ସମୁଦାୟ ୮୩ଟି ପ୍ୟାକ୍ସ ଖରିଫ ଧାନ ସଂଗ୍ରହରେ ୧ କୋଟି ୨୮ ଲକ୍ଷ ୩୮ ହଜାର ୧୮୦ ଟଙ୍କାର ଅନିୟମିତତା ଧରାପଡ଼ିଛି। ୨୦୦୯ରୁ ୨୦୧୪ ମସିହା ମଧ୍ୟରେ ଏହି ପ୍ୟାକ୍ସ ଗୁଡ଼ିକ ମଣ୍ଡି ପରିଚାଳନାରେ ମାତ୍ରାଧିକ ଖର୍ଚ, ଧାନ ସର୍ଟେଜ, ଧାନ କମିସନ ସୁଧ ବାବଦରେ ବ୍ୟାପକ ଦୁରୂପଯୋଗ ହୋଇଥିବା ନେଇ ଅଡିଟ ରିପୋର୍ଟରେ ଜଣାପଡ଼ିଛି। ଏସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସମବାୟ ବିଭାଗର ଡେପୁଟି ରେଜିଷ୍ଟ୍ରାର ବରଗଡ଼, ସମ୍ବଲପୁର ଜିଲ୍ଲାର ଡିଆରସିଏସ, ବରଗଡ଼, ସମ୍ବଲପୁର, ପଦ୍ମପୁର, ରେଢାଖୋଲର ଏଆରସିଏସଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଅଡିଟ୍‌ ରିପୋର୍ଟ ପ୍ରକାଶିତ କରିବାକୁ ୫ ବର୍ଷ କାହିଁକି ଲାଗିଲା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିଯୋଗୁଁ ବିଭାଗୀୟ ଆଭିମୁଖ୍ୟ ମଧ୍ୟ ସନ୍ଦେହ ଘେରରେ ରହିଛି।

ସୂଚନା ଅନୁଯାୟୀ, ଧାନମଣ୍ଡିରେ ନିୟୋଜିତ ଶ୍ରମିକମାନଙ୍କୁ ନିର୍ଦିଷ୍ଟ ପ୍ରାପ୍ୟ ବ୍ୟବସ୍ଥା ରହିଛି। ମାତ୍ର ୮୩ଟି ପ୍ୟାକ୍ସ ସରକାରଙ୍କ ଧାର୍ଯ୍ୟ ଦର ଠାରୁ ୪୯ ଲକ୍ଷ ୩୦ ହଜାର ୧୬ ଟଙ୍କା ଅଧିକ ଖର୍ଚ କରିଥିବା ଅଡିଟରେ ଜଣାପଡ଼ିଛି। ଏଥିମଧ୍ୟରେ ସମ୍ବଲପୁର ଜିଲ୍ଲାର ସାହାସପୁର ସମବାୟ ସମିତି ସର୍ବାଧିକ ୨ ଲକ୍ଷ ୯୩ ହଜାର, ଠେମରା ୧ ଲକ୍ଷ ୧୧ ହଜାର ୨୭୫ ଟଙ୍କା, ରେଙ୍ଗାଲି ସମବାୟ ସମିତି ୪୪ ହଜାର ୩୧୪, ବରଗଡ଼ ଜିଲ୍ଲାର ସୋହେଲା ସମବାୟ ସମିତି ୩ ଲକ୍ଷ ୬୦ ହଜାର, ପାଣିମୋରା ସମବାୟ ସମିତି ୮ ଲକ୍ଷ ୮୪ ହଜାର ୩୫୫, ସରକଣ୍ଡା ସମିତି ୬ ଲକ୍ଷ ୮୮ ହଜାର ୯୨୩ ଖର୍ଚ୍ଚ କରିଛନ୍ତି। ଆହୁରି ମଧ୍ୟ ଧାନମଣ୍ଡିରେ ଓଜନ ପରେ ମିଲଗୁଡ଼ିକ ନେବା ପରେ ୬୯ ଲକ୍ଷ ୬୬ ହଜାର ୧୭୦ ଟଙ୍କାର ଧାନ ଧାନ ସର୍ଟେଜ ହୋଇଥିବା ଜଣାପଡ଼ିଥିଲା। ଏଥିମଧ୍ୟରେ ବରଗାଁରେ ୩ ଲକ୍ଷ ୬୩ ହଜାର, ସାହାସପୁରରେ ୧୭ ଲକ୍ଷ ୪୨ ହଜାର, ରେମେଡ଼ରେ ୯ ଲକ୍ଷ ୮ ହଜାର, ବତେମୁରାରେ ୨୧ ହଜାର, ପରମାଣପୁରରେ ୮୪ ହଜାର ୭୦୫ ଟଙ୍କା, ସଙ୍କର୍ମାରେ ୭ ଲକ୍ଷ ୫ ହଜାର, ପାରୁଆଭାଡ଼ିରେ ୯ ଲକ୍ଷ ୬୯ ହଜାର, ଯୁଯୁମୁରାରେ ୨୦ ଲକ୍ଷ ୬୮ ହଜାର ଟଙ୍କାର ଧାନ ସର୍ଟେଜ ହୋଇଥିବା ଅଡିଟରୁ ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଉନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ମିଲ ମାଲିକମାନେ ଧାନ ଉଠାଇବାରେ ବିଳମ୍ବ କରୁଥିବାରୁ ଅନେକ ଦିନ ଧରି ଧାନ ପଡ଼ିରହି ନଷ୍ଟ ହେବା ସହିତ ଚୋରି ମଧ୍ୟ ହୋଇଥିଲା। ଏଥିଯୋଗୁଁ ସର୍ଟେଜ ହୋଇଥିବା ସମବାୟ ସମିତି ପକ୍ଷରୁ କୁହାଯାଇଛି। ତୃତୀୟତଃ ଧାନ କମିସନ ସୁଧର ଦୁରୂପଯୋଗ ବାବଦରେ ୮ ଲକ୍ଷ ୧୫ ହଜାର ଅନିୟମିତତା ସମ୍ପର୍କରେ ଅଡିଟ ରିପୋର୍ଟରେ ପ୍ରକାଶିତ ହୋଇଛି। ସୋସାଇଟି ଚାଷୀଙ୍କ ଠାରୁ ଧାନ କ୍ରୟ ବାବଦରେ କର୍ପୋରେସନ ପକ୍ଷରୁ ସୋସାଇଟିକୁ ନିର୍ଦିଷ୍ଟ ଅର୍ଥ ଦିଆଯାଏ। ଏହି ଟଙ୍କା କର୍ପୋରେସନ ସମବାୟ ବ୍ୟାଙ୍କ ଜରିଆରେ ସମବାୟ ସମିତିକୁ ଯାଇଥାଏ। ଏଥିରେ ଅନିୟମିତତା ହୋଇଥିବା କୁହାଯାଇଛି। ଏଥି ଅନ୍ତର୍ଗତରେ ଆଡଗାଁ ସୋସାଇଟି ୧ ଲକ୍ଷ ୭୪ ହଜାର, ମାନେଶ୍ବର ସମିତିରେ ୨ ଲକ୍ଷ ୮ ହଜାର, ବତେମୁରାରେ ୧୪୯ ହଜାରକୁସୁମିରେ ୧ ଲକ୍ଷ ୨୬ ହଜାର ଟଙ୍କାର ଦୁରୂପଯୋଗ ହୋଇଛି। ଅନ୍ୟାନ୍ୟ ଖର୍ଚ ବାବଦରେ ୧ ଲକ୍ଷ ୨୬ ହଜାର ଟଙ୍କାର ଅନିୟମିତତା ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe