ଧାନକିଣାରେ ଅବ୍ୟବସ୍ଥା, ସମିତି କାର୍ଯ୍ୟାଳୟ ଘେରିଲେ ଚାଷୀ

Advertisment
ଧାନକିଣାରେ ଅବ୍ୟବସ୍ଥା, ସମିତି କାର୍ଯ୍ୟାଳୟ ଘେରିଲେ ଚାଷୀ

ଦଶରଥପୁର: ଦଶରଥପୁର ବ୍ଲକ ନିଜାମପୁର ସମବାୟ ସମିତିରେ ଚାଲୁଥିବା ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଆଜି ବହୁ ଚାଷୀ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦତ୍ତପୁର ପଞ୍ଚାୟତ, ନିଜାମପୁର ପଞ୍ଚାୟତର ଅଂଶ, ଦୁଦୁରାଅନ୍ତା ପଞ୍ଚାୟତର ଅଂଶ ଓ ଶୁଶୁଆ ପଞ୍ଚାୟତର ଅଂଶକୁ ନେଇ ଗଠିତ। ୨୦୨୧ ଡିସେମ୍ବର ୩୦ ସୁଦ୍ଧା ଏହି ସମିତିରେ ମୋଟ ୩୦୩୩ ଜଣ ଚାଷୀ ସଭ୍ୟ ରହିଥିଲେ। ସେଥିମଧ୍ୟରୁ ଅନ୍ ଲାଇନ ମାଧ୍ୟମରେ ୮୩୯ ଜଣ ଚାଷୀ ଧାନ ଦେବା ନିମନ୍ତେ ପଞ୍ଜିକୃତ ହୋଇଥିଲେ।

୫୩୨ ଜଣ ଚାଷୀଙ୍କୁ ସମିତି ମାଧ୍ୟମରେ ଧାନ ଦେବା ନିମନ୍ତେ ଟୋକନ ମିଳିଥିଲା। ଦୁଦୁରାଅନ୍ତା ଗ୍ରାମର ସାଇକୃଷ୍ଣ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ଦେବା ନିମନ୍ତେ ୧୬୯ ଜଣଙ୍କୁ ଟୋକନ ମିଳିଛି। ଏହା ବ୍ୟତୀତ ୧୩୬ ଜଣ ଚାଷୀଙ୍କୁ ଆଦୌ ଟୋକନ ମିଳିନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀମାନେ ଆଜି ଦୀର୍ଘସମୟ ଧରି ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୫ କିଗ୍ରା କଟ୍‌ନି ଓ ଧାନ ଲୋଡ୍‌ ବାବଦରେ ୧୫ ଟଙ୍କା ସମିତି ତରଫରୁ ଆଦାୟ କରାଯାଉଥିବାର ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସମିତିର ସଂପାଦକ ସଂଗ୍ରାମ କେଶରୀ ସାହୁଙ୍କ ସହିତ ଯୋଗାଯୋଗ କରିବାରୁ ସେ ୫ କିଗ୍ରା କଟ୍‌ନି ଓ ୧୫ ଟଙ୍କା ଆଦାୟ କରାଯିବା କଥାକୁ ସ୍ୱୀକାର କରିଥିଲେ। ବଞ୍ଚିତ ଚାଷୀ କିଭଳି ଧାନ ଦେଇପାରିବେ ସେ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିବାର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe