ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ୍ର ୪୩ଟି ଗାଁରେ ସୌରଚାଳିତ ରାସ୍ତା ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ବ୍ୟୟ ହୋଇଥିଲା ୧୧.୫୯ କୋଟି। ହେଲେ ଏବେ ଅଧିକାଂଶ ସ୍ଥାନରେ ଏହି ଆଲୋକୀକରଣ ବ୍ୟବସ୍ଥା ଅଚଳ ହୋଇଯାଇଛି।
ଖଣି ପ୍ରଭାବିତ କୋଇଡ଼ା ବ୍ଲକ୍ର ଚୋରଧରା ପଞ୍ଚାୟତର କିଛି ୱାର୍ଡରେ ୨୦୧୬ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ସୌରଚାଳିତ ଆଲୋକୀକରଣ (ଷ୍ଟ୍ରିଟ୍ ଲାଇଟ୍) ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ବ୍ୟୟ ହୋଇଥିଲା ୨୬.୪୦ ଲକ୍ଷ ଟଙ୍କା। କିନ୍ତୁ ଆରମ୍ଭର କିଛି ମାସ ଆଲୁଅ ଜଳିବା ପରେ ସେଥିମଧ୍ୟରୁ ଅନେକ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ସେହି ଆର୍ଥିକବର୍ଷରେ ବାଲିଶଙ୍କରା ବ୍ଲକ୍ କିଞ୍ଜିରକେଲାରେ ୨୨.୨୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିଲା ସୌରଚାଳିତ ଆଲୋକୀକରଣ ବ୍ୟବସ୍ଥା। କିଞ୍ଜିରକେଲା ପଞ୍ଚାୟତ, ମହାବିଦ୍ୟାଳୟ, କୁଳମଣି ହାଇସ୍କୁଲ, ବଜାରଦାଣ୍ଡ, କିଞ୍ଜିରକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ସହ ମହାଦେବ ମନ୍ଦିର, ଜଗନ୍ନାଥ ମନ୍ଦିର, ମାଉସୀ ମା’ ମନ୍ଦିରରେ ଲାଗିଥିଲା ଆଲୋକ। କିନ୍ତୁ ବହୁବର୍ଷ ହେଲା ସେସବୁ ଅଚଳ ହୋଇଯାଇଛି। କେବଳ ଲୁହାଖମ୍ବକୁ ଛାଡ଼ି ଅନ୍ୟ ସବୁ ଉପକରଣ ଖୋଲି ନିଆଯାଇଛି।
କୋଇଡ଼ାର ଚୋରଧରା ଓ ବାଲିଶଙ୍କରାର କିଞ୍ଜିରକେଲା ଭଳି ଜିଲ୍ଲାର ୧୭ଟି ବ୍ଲକ୍ର ୪୩ଟି ଗାଁରେ ୨୦୧୬ରୁ ୨୦୧୮ ମଧ୍ୟରେ ସୌରଚାଳିତ ସଡ଼କ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୧୧.୫୯ କୋଟି ଟଙ୍କା ବ୍ୟୟ ହୋଇଥିଲା ଟେଣ୍ଡରପ୍ରାପ୍ତ ସଂସ୍ଥାକୁ ଛାଡ଼ି କିଛି ପଞ୍ଚାୟତରେ ଅନୁମତି ନଥିବା ସଂସ୍ଥା ମାଧ୍ୟମରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଥିଲା। ସୌରଚାଳିତ ରାସ୍ତା ଆଲୋକୀକରଣରେ ବଡ଼ଧରଣର ଅନିୟମିତତା ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ଚଳାଇଛି।
ପଡ଼ାଗୁଡ଼ିକୁ ବିନା ବିଜୁଳିରେ ଆଲୁଅ ପହଞ୍ଚାଇବାକୁ ଏ ବ୍ୟବସ୍ଥା କରାଯାଇଥିଲା। ହେଲେ ସେସବୁ ପୁଣି ଅନ୍ଧାରକୁ ଚାଲିଗଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୧୧ କୋଟି ଅନ୍ଧାରରେ ମିଳେଇଗଲା ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ‘ଷ୍ଟ୍ରିଟ୍ ଲାଇଟ୍ ଲାଗିଥିଲା, କିନ୍ତୁ ଠିକ୍ ଭାବେ ଦେଖାରଖା ନକଲେ ୫ ବର୍ଷରେ ସ୍ବାଭାବିକ ଭାବେ ତାହା ଖରାପ ହୋଇଯାଏ। କିଛି ପଞ୍ଚାୟତ ଅନୁମତି ନଥିବା ସଂସ୍ଥା ଜରିଆରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇଥିଲେ, ଭିଜିଲାନ୍ସ ତା’ର ତଦନ୍ତ ଚଳାଇଛି।’
Follow Us