ଓସାକ୍ସ ଟିଆଇ ଚୟନରେ ଅନିୟମିତତା

Advertisment
ଓସାକ୍ସ ଟିଆଇ ଚୟନରେ ଅନିୟମିତତା

osacs.nic.in

ଭୁବନେଶ୍ବର : ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ)ରେ ଟାର୍ଗେଟ୍‌ ଇଣ୍ଟରଭେନସନ୍ ବା ଟିଆଇ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। କିଛି ନିର୍ଦ୍ଦିଷ୍ଟ ଏନ୍‌ଜିଓ ସଂସ୍ଥାକୁ ଓସାକ୍ସର ଅଧିକାରୀ ଅହେତକୁ ଅନୁକମ୍ପା ଦେଖାଇଥିବା ନଜରକୁ ଆସିଛି। ଏଥିରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା କୁହାଯାଉଛି। ଏକାଧିକ ସଂସ୍ଥା ଏଭଳି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂଘ(ନାକୋ) ପାଖରେ ପହଞ୍ଚିବା ପରେ ୧୫ଦିନ ଭିତରେ ଏହାର ତଦନ୍ତ କରିବା ଲାଗି ଓସାକ୍ସକୁ ନିର୍ଦେଶ ଦିଆଯାଇଛି। ମାତ୍ର ବର୍ତମାନସୁଦ୍ଧା ଏହାର କୌଣସି ତଦନ୍ତ ଆରମ୍ଭ ହୋଇ ନ ଥିବା ସୂଚନା ମିଳିଛି।

ରାଜ୍ୟରେ ଏଚ୍‌ଆଇଭି ଓ ତୃତୀୟଲିଙ୍ଗୀଙ୍କ ପାଇଁ ଜିଲ୍ଲାସ୍ତରରେ ବିଭିନ୍ନ ଏନ୍‌ଜିଓ ସଂସ୍ଥାଙ୍କୁ ଦାୟିତ୍ବ ଦିଆଯାଇଛି। ଯାହା ଟିଆଇ ଭାବେ ପରିଚିତ। ରାଜ୍ୟର ୫ଟି ଜିଲ୍ଲାରେ କିଛିବର୍ଷ ହେବ ଟିଆଇ ନିଯୁକ୍ତି ଦିଆଯାଇନାହିଁ। ଯାହାଫଳରେ ସଂପୃକ୍ତ ଜିଲ୍ଲାଗୁଡ଼ିକରେ ଏଚ୍‌ଆଇଭି ସଂକ୍ରାନ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ୨୦୨୦ ମସିହାରେ ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ଖୋର୍ଧା ଜିଲ୍ଲାରେ ଟିଆଇ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଲଡବ୍ଲୁଏସ୍‌ ବା ଲିଙ୍କ୍‌ ୱାକର୍ସ ସ୍କିମ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏଥିରେ ଟିଆଇ ଚୟନରେ ନାକୋ କରିଥିବା ନିର୍ଦେଶାବଳୀର ଉଲ୍ଲଂଘନ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟିଆଇ ଚୟନ ପାଇଁ ଆବେଦନ କରିଥିବା ସଂସ୍ଥାର ଯାଞ୍ଚ ପାଇଁ ଏକ ୩ ଜଣିଆ ଯୁଗ୍ମ ମୂଲ୍ୟାଙ୍କନ ଟିମ୍ ବା ଜିଏଟି ସଂପୃକ୍ତ ସଂସ୍ଥାକୁ ପରିଦର୍ଶନ କରିବା ସହିତ ତାହାର କାର୍ଯ୍ୟଶୈଳୀର ଅନୁଧ୍ୟାନ କରିଥାଏ। ପରବର୍ତୀ ସମୟରେ ସଂପୃକ୍ତ ସଂସ୍ଥାମାନଙ୍କ ମଧ୍ୟରୁ କିଛି ସଂସ୍ଥାର ତାଲିକା ପ୍ରସ୍ତୁତ ହୋଇଥାଏ। ସଂସ୍ଥାମାନଙ୍କ ସ୍କୋରକୁ ବିଚାରକୁ ନେଇ ବୈଷୟିକ କମିଟି ସଂପୃକ୍ତ ସଂସ୍ଥାର ନାମ ପ୍ରସ୍ତାବ ଦେଇଥାଏ। ହେଲେ ଏହି ୫ଟି ଟିଆଇର ଚୟନ ସମୟରେ ଏସବୁର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି।

୩ଜଣିଆ ଜିଏଟିରେ କେବଳ ଓସାକ୍ସ ବାହାରର ୨ଜଣ ଥିବା ବେଳେ ଓସାକ୍ସର ବୈଷୟକ କମିଟିର ଜଣେ ସଦସ୍ୟଙ୍କୁ ରଖାଯାଇ ନ ଥିଲା। ଏପରିକି ଜିଏଟି ଦେଇଥିବା ପ୍ରସ୍ତାବ ଉପରେ ମଧ୍ୟ ସଂସ୍ଥାମାନଙ୍କ ଚୟନକୁ ବିଚାରକୁ ନିଆଯାଇଥିବା କୁହାଯାଉଛି। ପୂର୍ବ ବର୍ଷଗୁଡ଼ିକରେ ଯେଉଁ ସଂସ୍ଥା ଠିକ୍‌ରେ କାମ କରିପାରି ନ ଥିବା ଅଭିଯୋଗରେ ଓସାକ୍ସରୁ ବାଦ୍ ପଡ଼ିଥିଲା; ଚଳିତ ଟିଆଇ ଚୟନରେ ସଂପୃକ୍ତ ସଂସ୍ଥାକୁ ସାମିଲ କରିବା ଲାଗି ନିଷ୍ପତ୍ତି ହୋଇଛି। ତେଣୁ ଓସାକ୍ସର ଉପରୁ ତଳ ପର୍ଯ୍ୟନ୍ତ ସମେସ୍ତ ଏହି ଅନିୟମିତତାରେ ସାମିଲ ରହିଥିବା ଆଶଙ୍କାକୁ ଅଧିକ ଦୃଢ଼ୀଭୂତ କରୁଛି। ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ଟିଆଇ ଚୟନ ପ୍ରକ୍ରିୟାରେ ଉଲ୍ଲଂଘନ ହୋଇଥିବା ନଜରକୁ ଆସିଥିଲା। ପରବର୍ତୀ ସମୟରେ ଜିଆଇପିଏ ସଂସ୍ଥା ପକ୍ଷରୁ ନାକୋ ନିକଟରେ ଅଭିଯୋଗ ହୋଇଥିଲା। ନାକୋ ପକ୍ଷରୁ ଗତମାସ ୨୧ତାରିଖରେ ଓସାକ୍ସ କର୍ତୃପକ୍ଷଙ୍କୁ ଚିଠି ଲେଖାଯିବା ସହିତ ୧୫ଦିନ ଭିତରେ ଏହାର ତଦନ୍ତ କରିବାକୁ କୁହାଯାଇଥିଲା। ଏହା ଭିତରେ ୧୫ଦିନ ବିତି ଯାଇଥିବା ବେଳେ ଓସାକ୍ସ ପକ୍ଷରୁ କେଉଁ କାରଣ ପାଇଁ ଏହାର ତଦନ୍ତ କରାଯାଉନାହିଁ ତାହା ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି।

ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଡା.ଉର୍ମିଳା ମିଶ୍ରଙ୍କୁ ଏ ସଂପର୍କରେ ଯୋଗାଯୋଗ କରାଯାଇଥିଲା। ଶ୍ରୀମତୀ ମିଶ୍ର ଏହାକୁ ନେଇ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ଶେଷରେ କହିଥିଲେ, ସଂପୃକ୍ତ ସଂସ୍ଥା ସଂପୂର୍ଣ୍ଣ ଓସାକ୍ସକୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଛନ୍ତି। ଏ ଦୃଷ୍ଟିରୁ ଓସାକ୍ସର ଏହାର ତଦନ୍ତ କରିପାରିବ ନାହିଁ। ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିବା ସେ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe