ରାୟଗଡ଼ା: ଆଦିବାସୀ ଅଧିଷ୍ୟୁତ ରାୟଗଡ଼ା ଜିଲ୍ଲାରେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ଚେକ୍ ଡ୍ୟାମ ନିର୍ମାଣ କରାଯାଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ଡ୍ୟାମ୍ଗୁଡ଼ିକ ନିର୍ମାଣ ହୋଇଥିବା ବେଳେ ଚାଷ ଜମିକୁ ପାଣି ମାଡୁନାହିଁ। ଫଳରେ ଏକର ଏକର ଚାଷ ଜମିରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ରୋଜଗାର ନପାଇ ଗ୍ରାମାଚଂଳର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ଚାଷ ଜମିକୁ ପାଣି ମାଡିବା ପାଇଁ ସରକାର କିଛି ବ୍ୟବସ୍ଥା ନକଲେ ଆଗାମୀ ସାଧାରଣ ନିର୍ବାଚନରେ ଲୋକେ ଭାଗ ନେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଚାଷ ଜମିକୁ ପାଣି ମାଡୁନାହିଁ। ଫଳରେ ପ୍ରତିବର୍ଷ ମରୁଡ଼ି ପରିସ୍ଥିତିର ଶିକାର ହଉଛୁ। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏଣୁ ଆଗାମୀ ନିର୍ବାଚନରେ ଆମେ ସମୂହ ଭୋଟ ବର୍ଜନ କରିବୁ। ପ୍ରଶାସନକୁ ଏପରି କଡ଼ା ଚେତାବନୀ ଦେଇଛନ୍ତି ରାୟଗଡ଼ା ସଦର ବ୍ଳକ ତାଡମା ପଚାଂୟତ ଅନ୍ତର୍ଗତ କଲିଂ ଗ୍ରାମର ଲୋକେ। ଏହି ଆଦିବାସୀ ଅଚଂଳରେ ଜଳସେଚନର ସୁବିଧା ନଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରତିବର୍ଷ ଫସଲ ଠିକ ଭାବେ ହେଉନାହିଁ। ଲୋକେ ବର୍ଷାକୁ ଅପେକ୍ଷା କରି ଚାଷବାସ କରୁଥିବା ବେଳେ ବର୍ଷା ନହେଲେ ଫସଲ ହୁଏନାହିଁ। ଫଳରେ ଲୋକେ ବାଧ୍ୟ ହୋଇ କାମଧନ୍ଦା ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। କେବଳ ସରକାରଙ୍କ ପକ୍ଷରୁ ମିଳୁଥୁବା ପିଡିଏସ୍ ଚାଉଳ ପାଇ ଲୋକେ ଅଭାବରେ ଜୀବନ କାଟୁଛନ୍ତି।
କଲିଂ ଗ୍ରାମ ନିକଟ ଦେଇ ଚିରସ୍ରୋତା ଝଞ୍ଜାବତି ନଦୀ ପ୍ରବାହିତ ହଉଥିବା ବେଳେ ପାଣି ଜମିକୁ ମାଡୁନାହିଁ। ଗତ ୧୦ ବର୍ଷ ତଳେ ଏନଆରଇଜିଏସ ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନଦୀର ପାଶ୍ୱର୍ରେ ଏକ ଚେକ ଡ୍ୟାମ୍ ନିର୍ମାଣ ହୋଇଥିଲା। କିନ୍ତୁ ସଠିକ ସ୍ଥାନରେ ଡ୍ୟାମ୍ ନିର୍ମାଣ ହୋଇନଥିବା ବେଳେ ଏହା ଶୁଖିଲା ପଡ଼ି ଜଙ୍ଗଲରେ ପରିଣତ ହୋଇଗଲାଣି। ଫଳରେ ଡ୍ୟାମ୍ ମାଧ୍ୟମରେ ପାଣି ଜମିକୁ ମାଡୁନାହିଁ। ଫଳରେ ସ୍ଥାନୀୟ ଲୋକେ ନିଜ ପରିଶ୍ରମରେ ନଦୀରେ ବନ୍ଧ ପକାଇ ଟିଣ ଯୋଗେ ପାଣି ଆଣି ମାତ୍ର ୩ ରୁ ୪ ଏକର ଜମିରେ ପନିପରିବା ଚାଷ କରିପାରୁଥିବା ବେଳେ ବାକି ୫୫ ଏକର ଚାଷ ଜମି ପଡ଼ିଆ ପଡୁଛି ବୋଲି କହିଛନ୍ତି କଲିଂ ଗ୍ରାମର ନାଗେଶ୍ବର କାଡ୍ରାକା ଓ କୁମୁଟି କାଡ୍ରାକା।
ଏହି ଗ୍ରାମରେ ପାଖାପାଖି ୬୬ଟି ପରିବାର ବାସ କରନ୍ତି। ଏମାନଙ୍କର ମୂଖ୍ୟ ଜୀବିକା ଚାଷ। କିନ୍ତୁ ପାଣିର ଅଭାବ ଯୋଗୁଁ ରବି ରୁତୁରେ ମଧ୍ୟ ଚାଷ ଜମି ଆଁ କରିଥିବା ଦେଖିବାକୁ ମିଳିଛି। ଲୋକେ ଆର୍ଥିକ ସ୍ୱଛଳ ନଥିବା ଯୋଗୁଁ ଅଭାବ ଅନାଟନରେ ଜୀବନ ବିତାଉଛନ୍ତି। ଚଳିତ ବର୍ଷ ଫସଲ ଭଲ ନହବାରୁ କଲିଂ ଗ୍ରାମର ଅନେକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଚେକ୍ ଡେମର ପୁନରୁଦ୍ଧାର କରି ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ନଚେତ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ସ୍ଥିତିର ଅନୁଧ୍ୟାନ କରାଯାଇ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।
Follow Us