ଉଠା ସେଚ ପ୍ରକଳ୍ପ: ପୋଷା ଚାଲିଛନ୍ତି ଠିକାଦାର, ଲକ୍ଷ୍ୟ ପୂରଣରେ କେତେ ସଫଳ ହିସାବ ନାହିଁ

୧୮୬ କୋଟି ଟଙ୍କାର ୟୁସି ଦାଖଲ ହୋଇନାହିଁ

ଉଠା ସେଚ ପ୍ରକଳ୍ପ: ପୋଷା ଚାଲିଛନ୍ତି ଠିକାଦାର, ଲକ୍ଷ୍ୟ ପୂରଣରେ କେତେ ସଫଳ ହିସାବ ନାହିଁ

IndiaMART

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ଚାରିଟି ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୮୬ କୋଟି ୯୫ ଲକ୍ଷ ୫୬ ହଜାର ଟଙ୍କା ଦିଆଯାଇଥିବା ବେଳେ କାମର ହିସାବ ନାହିଁ କି ଏ ପର୍ଯ୍ୟନ୍ତ ବିନିଯୋଗ ପତ୍ର ଦାଖଲ ହେଉନାହିଁ। ଲାଇନ୍‌ ବିଭାଗର କିଛି ଅସାଧୁ ଅଧିକାରୀ ଓ ରାଜନେତାଙ୍କୁ ହାତ କରି ଖଣିଜ ପାଣ୍ଠିକୁ ଠିକାଦାରମାନେ ତାଙ୍କ ପକେଟକୁ ନେବାରେ ସଫଳ ହେଉଥିବାବେ‌ଳେ ଯେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ଖର୍ଚ୍ଚ କରାଯାଉଛି ତାର ପ୍ରକୃତ ଲକ୍ଷ୍ୟ ପୂରଣ ହେଉନାହିଁ।

ଖଣିଜ ପାଣ୍ଠିରୁ ଭୁବନେଶ୍ବରରେ ଅବସ୍ଥାପିତ ନିର୍ବାହୀ ଯନ୍ତ୍ରୀଙ୍କୁ ଲଖନପୁର ବ୍ଲକ୍‌ର ମହୁଲପାଲିରେ ଏକ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ୨୯ କୋଟି ୨୯ ଲକ୍ଷ ୫୯ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ମଞ୍ଜୁର ହୋଇଥିବା ସବୁ ଟଙ୍କା ରିଲିଜ୍‌ ହୋଇ ସାରିଥିବାବେଳେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ସାରିଛି ଓ ଏଥିରେ ୧୨ ଶହ ହେକ୍ଟର ଜଳସେଚନ ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟ ୩ଟି ପ୍ରକଳ୍ପ କାମକୁ ୩  ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ଅଗ୍ରଗତି ନେଇ କୌଣସି ତଥ୍ୟ ମିଳୁନାହିଁ। ଝାରସୁଗୁଡ଼ାସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ ମଧ୍ୟ କୌଣସି ଅଧିକାରୀ ଉପସ୍ଥିତ ରହୁନାହାନ୍ତି।

୨୦୧୮-୧୯ ଆର୍ଥିକ ବର୍ଷରେ ବାଞ୍ଜିବୋରାହା ମେଗା ଉଠା ଜଳସେଚନ ପାଇଁ  ୪୪ କୋଟି ୫୧ ଲକ୍ଷ ୮୧ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏଥିରୁ ପ୍ରଥମ ପର୍ଯ୍ୟାୟରେ ୧୩ କୋଟି ୩୫ ଲକ୍ଷ ୫୪ ହଜାର ୩୦୦ ଟଙ୍କା ରିଲିଜ କରାଯାଇଥିଲା। ତେବେ ଏହି ପ୍ରକଳ୍ପ କାମ ଏଯାଏ ଆଗେଇ ପାରିନଥିବା ଜଣାଯାଇଛି। ସେହି ପରି ୨୦୧୮-୧୯ ଆର୍ଥିକ ବର୍ଷରେ ଚାଁଟିପାଲି-୧ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୪୬ କୋଟି ୮୨ ଲକ୍ଷ ୧୮ ହଜାର ଟଙ୍କା ଏବଂ ଚାଁଟିପାଲି-୨ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୬୬ କୋଟି ୩୧ ଲକ୍ଷ ୯୮ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଚାଁଟିପାଲି-୧ ପ୍ରକଳ୍ପ ପାଇଁ ୧୪ କୋଟି ୪ ଲକ୍ଷ ୬୫ ହଜାର ୩୦୦ ଟଙ୍କା ଓ ଚାଁଟିପାଲି-୨ ପ୍ରକଳ୍ପ ପାଇଁ ୧୯ କୋଟି ୮୯ ଲକ୍ଷ ୫୯ ହଜାର ୪୦୦ ଟଙ୍କା ରିଲିଜ କରାଯାଇଥିଲା। ସବୁ ପ୍ରକଳ୍ପରେ ଟେଣ୍ଡର ଖୋଲିଥିବା, ସର୍ଭେ ସରିଥିବା, ପମ୍ପହାଉସ କାମ ଚାଲିଥିବା ଓ ନିର୍ମାଣ ସାମଗ୍ରୀ କ୍ରୟ କରାଯାଉଥିବା ଦର୍ଶାଯାଇଥିବା ବେଳେ ପ୍ରକଳ୍ପ ଗୁଡ଼ିକ ସଂପୂର୍ଣ୍ଣ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe