ଇସ୍କନ୍‌ର ଅଦିନିଆ ରଥଯାତ୍ରା ବନ୍ଦ

Advertisment

ଇସ୍କନ୍‌ର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲା ପରେ ଇସ୍କନ୍‌ କର୍ତ୍ତୃପକ୍ଷ ନରମିଛନ୍ତି। ନଭେମ୍ବର ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ୍ ସହରରେ ହେବାକୁ ଥିବା ଏହି ରଥଯାତ୍ରା ବନ୍ଦ କରାଯାଇଛି ବୋଲି ଇସ୍କନ୍‌ ପକ୍ଷରୁ...

ଇସ୍କନ୍‌ର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲା ପରେ ଇସ୍କନ୍‌ କର୍ତ୍ତୃପକ୍ଷ ନରମିଛନ୍ତି। ନଭେମ୍ବର ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ୍ ସହରରେ ହେବାକୁ ଥିବା ଏହି ରଥଯାତ୍ରା ବନ୍ଦ କରାଯାଇଛି ବୋଲି ଇସ୍କନ୍‌ ପକ୍ଷରୁ...

ffhfsfsh

ଭୁବନେଶ୍ବର/ପୁରୀ: ଇସ୍କନ୍‌ର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲା ପରେ ଇସ୍କନ୍‌ କର୍ତ୍ତୃପକ୍ଷ ନରମିଛନ୍ତି। ନଭେମ୍ବର ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ୍ ସହରରେ ହେବାକୁ ଥିବା ଏହି ରଥଯାତ୍ରା ବନ୍ଦ କରାଯାଇଛି ବୋଲି ଇସ୍କନ୍‌ ପକ୍ଷରୁ ବିଧିବଦ୍ଧ ଭାବେ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି। ଏହା ବଦଳରେ ସେହିଦିନ ସେଠାରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଇସ୍କନ୍‌ର ହ୍ୟୁଷ୍ଟନ୍ ଶାଖାର ୱେବ୍‌ସାଇଟ୍‌ରେ ରଥଯାତ୍ରା କାର୍ଯ୍ୟସୂଚୀ ଥିବା ସୂଚନାକୁ ହଟାଯାଇ ନାହିଁ। ଇସ୍କନ୍‌ ପକ୍ଷରୁ ପ୍ରାୟ ମାସେ କିମ୍ବା ଦୁଇ ମାସ ବ୍ୟବଧାନରେ ବିଶ୍ବର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ‌ଆୟୋଜିତ କରାଯାଉଛି। ନଭେମ୍ବର ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ୍ ସହରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ ଆଗକୁ ନାଇଜେରିଆରେ ଏହାକୁ ପାଳନ ପାଇଁ ଇସ୍କନ୍‌ ଘୋଷଣା କରିଯାଇଥିଲା। ଏହା ଶ୍ରୀମନ୍ଦିର ପରମ୍ପରରା ଉଲ୍ଲଂଘନ ବୋଲି ଅଭିଯୋଗ କରି ବିଭିନ୍ନ ଅନୁଷ୍ଠାନ, ଭକ୍ତ, ସେବାୟତ ଜୋର୍‌ଦାର ପ୍ରତିବାଦ କରିଥିଲେ। ଆଜି ପୂର୍ବାହ୍ନରେ ଗଜପତି ମହାରାଜା ଏକ ସାମ୍ବାଦିକ ସମ୍ମିଳନୀ ଡାକି ଭୀଷଣ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଜଣାଇଥିଲେ ଯେ ଇସ୍କନ୍‌କୁ ବାରମ୍ବାର ବୁଝାଇବା ସତ୍ତ୍ବେ ସେମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଏହାକୁ ଆଉ ବରଦାସ୍ତ କରାଯିବନି। ଇସ୍କନ୍‌ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗଜପତି କହିଥିଲେ, ଜଗନ୍ନାଥ ହେଉଛନ୍ତି ମୂଳ ବିଗ୍ରହ। ପରମ୍ପରା ଅନୁଯାୟୀ ହିଁ ଜଗନ୍ନାଥଙ୍କ ପର୍ବ ପାଳନ କରିବା ଉଚିତ। କେବଳ ଦୁଇଟି ଉତ୍ସବରେ ମହାପ୍ରଭୁଙ୍କୁ ଗର୍ଭଗୃହରୁ ବାହାରକୁ ଆସିଥାନ୍ତି। ଏଥିପାଇଁ ମହାପ୍ରଭୁ ନିଜେ ହିଁ ଇନ୍ଦ୍ରଦ୍ୟୁମ୍ନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ଅନୁମତି, ତାଙ୍କ ଇଚ୍ଛାରେ ହିଁ ରଥଯାତ୍ରା ଆୟୋଜିତ ହେଉଛି। ଜଗନ୍ନାଥଙ୍କ ବିଗ୍ରହ ରଖି ପୂଜାର୍ଚ୍ଚନା କରିବାରେ କାହାକୁ ବାରଣ କରାଯାଉନାହିଁ। ମାତ୍ର ତାହା ବିଧି ଅନୁଯାୟୀ ହେବା ଉଚିତ। ହ୍ୟୁଷ୍ଟନରେ ଚଳିତମାସ ୩ତାରିଖରେ ଇସ୍କନ ପକ୍ଷରୁ ସ୍ନାନଯାତ୍ରା ପାଇଁ ‌ଘୋଷଣା ହୋଇଥିଲା। ଏହାକୁ ବିରୋଧ କରାଯିବାରୁ ସେମାନେ ତାହାକୁ ବାତିଲ କରିଛନ୍ତି। ମାତ୍ର ଆସନ୍ତା ୯ତାରିଖରେ ରଥଯାତ୍ରା ପାଇଁ ସେମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହାକୁ ବାତିଲ କରାଯିବା ନେଇ କୌଣସି ସୂଚନା ଆସିନାହିଁ। 

ଭକ୍ତଙ୍କ ଭାବନାକୁ ସମ୍ମାନ ଜଣାଇ ବନ୍ଦ କଲୁ: ଇସ୍କନ୍‌
ମଙ୍ଗଳବାର ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ ଗଜପତି ମହାରାଜା
‘ପରମ୍ପରା ଅନୁଯାୟୀ ଜଗନ୍ନାଥଙ୍କ ପର୍ବ ପାଳିତ ହେଉ’

ଗଜପତି ଆହୁରି ମଧ୍ୟ କହିଥିଲେ ଯେ ୨୦୨୧ ମସିହାରେ ଇସ୍କନ୍‌ ବ୍ୟୁରୋ ପକ୍ଷରୁ ଏକ ପ୍ରସ୍ତାବ ପାରିତ ହେବା ସହ ଦେଶ ଭିତରେ କୌଣସି ସ୍ଥାନରେ ଅଦିନିଆ ସ୍ନାନଯାତ୍ରା କିମ୍ବା ରଥଯାତ୍ରା ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ହେଲେ ବିଶ୍ବରେ ଯେଉଁ ଯେଉଁ ରାଷ୍ଟ୍ରରେ ଇସ୍କନ୍‌ ରହିଛି ତାହା ଇସ୍କନ୍‌ ବ୍ୟୁରୋ ନୁହେଁ, ବରଂ ଇସ୍କନ୍‌ ଗ୍ଲୋବାଲ ବଡି କାଉନସିଲ(ଜିବିସି) ଅଧୀନରେ ଆସୁଛି। ଆସନ୍ତାବର୍ଷ ମାର୍ଚ୍ଚରେ ଇସ୍କନ୍‌ ପରିଚାଳନା ପରିଷଦ କମିସନର ବୈଠକ ରହିଛି। ବିଶ୍ବବ୍ୟାପୀ ଅଦିନିଆ ରଥଯାତ୍ରା ସଂପର୍କରେ ସେଠାରେ ଆଲୋଚନା କରାଯିବ। ଯଦି ବୈଠକରେ ଅଦିନିଆ ରଥଯାତ୍ରା ବନ୍ଦ ନେଇ କୌଣସି ନିଷ୍ପତ୍ତି ହେବନାହିଁ, ତା‌ହେଲେ ବିକଳ୍ପ ବ୍ୟବସ୍ଥାଭାବେ କୋର୍ଟରେ ଆଶ୍ରୟ ନେବୁ। ଇସ୍କନ୍‌ କର୍ତ୍ତୃପକ୍ଷ ହେଉଛନ୍ତି ମୁଖ୍ୟତଃ କୃଷ୍ଣ ଉପାସକ। ସମଗ୍ର ବିଶ୍ବରେ ଗୋଟିଏ ଦିନରେ ଗୌଡ଼ୀୟ ପରମ୍ପରାରେ ଜନ୍ମାଷ୍ଟମୀ ପାଳନ କରୁଛନ୍ତି। ମାତ୍ର ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ବ୍ୟତିକ୍ରମ କରୁଛନ୍ତି। ଇସ୍କନ୍‌ର ଏଭଳି ଅଦିନିଆ ରଥଯାତ୍ରା ପାଳନ ସଂପର୍କରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୂଚନା ଦିଆଯାଇଛି। ସରକାର ଚାହିଁଲେ ନିଜ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ଗଜପତି କହିଛନ୍ତି। 
ଗଜପତି ମହାରାଜାାଙ୍କ ସାମ୍ବାଦିକ ସମ୍ମିଳନୀରେ ସାରା ବିଶ୍ବର ଜଗନ୍ନାଥ ଭକ୍ତମାନେ ଇସ୍କନ୍‌ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ଝାଡ଼ିଥିଲେ।

ଏହା ପରେ ସନ୍ଧ୍ୟାରେ ଭୁବନେଶ୍ବର ଇସ୍କନ୍‌ର ଉପସଭାପତି ତୁକାରାମ ଦାସ ଏକ ପ୍ରେସ୍ ବିବୃତି ଜାରି କରି କହିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଓଡ଼ିଆ ଭକ୍ତଙ୍କ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ରଥଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଇସ୍କନ୍‌ ପରିଚାଳନା ପରିଷଦର ସଦସ୍ୟ ଅନୁତ୍ତମ ପ୍ରଭୁଙ୍କ ସହ ଆଲୋଚନା ପରେ ଇସ୍କନ୍‌ର ଜାତୀୟ ଯୋଗାଯୋଗ ନିର୍ଦ୍ଦେଶକ ଯୁଧିଷ୍ଠିର ଗୋବିନ୍ଦ ପ୍ରଭୁ ଏହି ସୂଚନା ଦେଇଛନ୍ତି। ଆମର ମୂଳ ଆଭିମୁଖ୍ୟ ହେଉଛି ସାରା ବିଶ୍ବରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଧାର୍ମିକ ପ୍ରଚାର ଓ ଭଗବତ ଗୀତାଙ୍କ ବାର୍ତ୍ତା ପହଞ୍ଚାଇବା। ଇସ୍କନ୍‌ ସଦାସର୍ବଦା ବୈଦିକ ସଂସ୍କୃତିର ବୈଜ୍ଞାନିକ ଓ ନୈତିକ ଉପସ୍ଥାପନାକୁ ଗୁରୁତ୍ବ ଦେଇଆସୁଛି। କିନ୍ତୁ ନିଜ ନିଜ ଅଞ୍ଚଳରୁ ଟଙ୍କା ଆଦାୟ କରି ଇସ୍କନ୍‌ ବିଦେଶରେ ଖର୍ଚ୍ଚ କରୁଛି ବୋଲି ଯେଉଁ ଅଭିଯୋଗ ଆସୁଛି, ତାହା ସଂପୂର୍ଣ୍ଣ ମିଥ୍ୟା। ଇସ୍କନ୍‌ ଯାହା ବି ଦାନରେ ପାଏ, ତାହା ସାଧୁସନ୍ଥ, ଗୋସେବା ଆଦିରେ ଖର୍ଚ୍ଚ କରେ। ସନାତନ ଧର୍ମ ନାଁରେ ଇସ୍କନ୍‌ ଖ୍ରୀଷ୍ଟିଆନ ସଂଗଠନ ଓ ଧର୍ମର ପ୍ରଚାରପ୍ରସାର ଅଭିଯୋଗ ବି ସଂପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି ଶ୍ରୀ ଦାସ କହିଛନ୍ତି। ଇସ୍କନ୍‌ ଅନୁଷ୍ଠାନକୁ ବଦନାମ କରିବା ପାଇଁ ଏଭଳି ଅପପ୍ରଚାର ନିନ୍ଦନୀୟ। ବରିଷ୍ଠ ସେବାୟତ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଇସ୍କନ୍‌ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ରଥଯାତ୍ରା ବନ୍ଦ କରିବାର ଯେଉଁ ନିଷ୍ପତ୍ତି ନେଇଛି, ତାହା ସ୍ବାଗତଯୋଗ୍ୟ। ଏଥିପାଇଁ ଇସ୍କନ୍‌ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଜଣାଉଛୁ। ଏଥିସହ ଆଗାମୀ ଦିନରେ ଏଭଳି ଅଦିନ ରଥଯାତ୍ରା ଆୟୋଜନ କରି ବିଭ୍ରାନ୍ତି ନ କରିବାକୁ ନିବେଦନ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe