India Rail Info
ସମ୍ବଲପୁର : ହାୱଡ଼ା-ଟିଟିଲାଗଡ଼-ହାୱଡ଼ା (୧୨୮୭୧/୧୨୮୭୨) ଦୈନିକ ଇସ୍ପାତ୍ ଏକ୍ସପ୍ରେସ୍କୁ ସପ୍ତାହରେ ୪ ଦିନ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ରେଳବାଇ ବୋର୍ଡ ନିର୍ଦ୍ଦେଶରେ ଦକ୍ଷିଣ ପୂର୍ବ ରେଳପଥ ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୮ ତାରିଖରେ ହାୱଡ଼ାରୁ ବାହାରିବାକୁ ଥିବା ଏହି ଟ୍ରେନ୍ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଗଡ଼ିବ। ସେହିପରି ପରଦିନ ଅର୍ଥାତ୍ ୯ ତାରିଖରୁ ଏହା କଣ୍ଟାବାଞ୍ଜିରୁ ହାୱଡ଼ା ଅଭିମୁଖେ ଯାତ୍ରାରମ୍ଭ କରିବ। ପ୍ରତି ରବିବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଦିନ ହାୱଡ଼ାରୁ ଛାଡ଼ିବାକୁ ଥିବା ଟ୍ରେନ୍ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଯିବ। ସେହିପରି ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଦିନ ଏହା କଣ୍ଟାବାଞ୍ଜିରୁ ଛାଡ଼ିବ। ଅବଶିଷ୍ଟ ୩ ଦିନ ଅର୍ଥାତ୍ ମଙ୍ଗଳବାର, ଗୁରୁବାର ଓ ରବିବାର ଦିନ ଏହା ପୂର୍ବ ଭଳି ଟିଟିଲାଗଡ଼ରୁ ଛାଡ଼ିବ। ସୋମବାର, ବୁଧବାର ଓ ଶନିବାର ଦିନ ହାୱଡ଼ାରୁ ଛାଡ଼ୁଥିବା ଟ୍ରେନ୍ ଟିଟିଲାଗଡ଼ରେ ଅଟକିବ। ନିର୍ଦ୍ଧାରିତ ଦିନ ମାନଙ୍କରେ ଏହା ଭୋର ୪ଟା ୧୫ରେ କଣ୍ଟାବାଞ୍ଜି ଛାଡ଼ି ୪ଟା ୫୫ରେ ଟିଟିଲାଗଡ଼ ପହଞ୍ଚିବ।
ସେହିପରି ଫେରନ୍ତା ପଥରେ ଏହା ରାତି ୭ଟା ୫୫ରେ ଟିଟିଲାଗଡ଼ ଛାଡ଼ି ରାତି ୮ଟା ୩୫ରେ କଣ୍ଟାବାଞ୍ଜିରେ ପହଞ୍ଚିବ। ଟିଟିଲାଗଡ଼ରୁ ହାୱଡ଼ା ମଧ୍ୟରେ ଏହାର ପହଞ୍ଚିବା ଓ ଛାଡ଼ିବା ସମୟ ଅପରିବର୍ତ୍ତିତ ରହିବ। ଏଣିକି ହାୱଡ଼ା-କଣ୍ଟାବାଞ୍ଜି-ହାୱଡ଼ା ଇସ୍ପାତ୍ ଏକ୍ସପ୍ରେସ୍ ନୂଆ ନମ୍ବର ୨୨୮୬୧/୨୨୮୬୨ରେ ଚାଲିବ। ଅପର ପକ୍ଷରେ ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ୍ ଏକ୍ସପ୍ରେସ୍ର ପୂର୍ବ ନମ୍ବର ୧୨୮୭୧/୧୨୮୭୨ ଅପରିବର୍ତ୍ତିତ ରହିବ। ଇସ୍ପାତ୍ ଏକ୍ସପ୍ରେସ୍ର ଏହି ସଂପ୍ରସାରଣ ଯୋଗୁଁ କଣ୍ଟାବାଞ୍ଜି ଅଞ୍ଚଳରେ ଲୋକେ ଆନନ୍ଦ ପ୍ରକାଶ କରିଥିବାବେଳେ କଳାହାଣ୍ଡି ଜିଲ୍ଲାର ଲୋକେ ନିରାଶ ହୋଇଛନ୍ତି। କାରଣ ପୂର୍ବରୁ ଏହାକୁ ଭବାନୀପାଟଣା-ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଦାବି ହୋଇ ଆସୁଥିଲା। ତେବେ ସପ୍ତାହକୁ ୩ ଦିନ ବାକି ଥିବାରୁ ସେହି ଦିନ ମାନଙ୍କରେ ଭବାନୀପାଟଣା, ଜୁନାଗଡ଼ ସଂପ୍ରସାରଣ ସଂଭାବନା ଉଜ୍ଜୀବିତ ରହିଛି। ଅପରପକ୍ଷରେ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥିବାରୁ ଆଗାମୀ ଦିନରେ ଇସ୍ପାତ୍ ଏକ୍ସପ୍ରେସ୍କୁ ରାୟପୁର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇ ପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।
Follow Us