୪୦ ବର୍ଷ ହେଲା ଆଧୁନିକୀକରଣ ହୋଇପାରୁନି : ଠିକାସଂସ୍ଥା ଭରସାରେ ବିଏସ୍‌ଏଲ୍‌

ନିଜ କର୍ମଚାରୀଙ୍କ ପାଇଁ କାମ ନାହିଁ, ଠିକା ଶ୍ରମିକ କାମ କରୁଛନ୍ତି, ନିଜର କ୍ରସର ଖତ ଖାଉଛି, ଠିକା କ୍ରସର ଉତ୍ପାଦନ କରୁଛି

The Economic Times

ରାଜଗାଙ୍ଗପୁର : ଏକଦା ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ଆଦିବାସୀଙ୍କୁ କର୍ମ ସଂସ୍ଥାନ ଯୋଗାଇଥିବା ବିଶ୍ରା ଷ୍ଟୋନ୍‌ ଲାଇମ୍‌ ଏଣ୍ଡ କମ୍ପାନି (ବିଏସ୍‌ଏଲ୍‌)ରେ ଗତ ୪୦ ବର୍ଷ ହେଲା ନୂଆ ନିଯୁକ୍ତି ନାହିଁ। ଖଣିରେ ୨୦ ହଜାର ଶ୍ରମିକରୁ ଏବେ ମାତ୍ର ୬ଶହ ଶ୍ରମିକ କାମ କରୁଛନ୍ତି। ପୁରୁଣା କ୍ରସର ଓ ଯନ୍ତ୍ରପାତି କାମ ଦେଉ ନଥିବାରୁ ଠିକାସଂସ୍ଥା ଭରସାରେ ଉତ୍ପାଦନ ହେଉଛି। ଖଣି ଶ୍ରମିକ ଓ କର୍ମଚାରୀଙ୍କ ପାଇଁ କାମ ନାହିଁ। ଭିତ୍ତିଭୂମି ଅଭାବରୁ ଉତ୍ପାଦନରେ ଠିକା ସଂସ୍ଥାକୁ ନିୟୋଜିତ କରାଯାଉଛି। କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ହାତକୁ ଯିବା ପରେ ମଧ୍ୟ ବିଏସ୍‌ଏଲ୍‌ ଖଣି ଆଧୁନିକୀକରଣ ହୋଇପାରିନାହିଁ।

ଭାରତ ପରାଧୀନ ଥିବା ସମୟରେ ୧୯୧୦ ମସିହାରେ ବ୍ରିଟିଶ କମ୍ପାନି ବାର୍ଡ ଏଣ୍ଡ ଗ୍ରୁପ୍‌ ବିଏସ୍‌ଏଲ୍‌ ଖଣି ଆରମ୍ଭ କରିଥିଲେ। ପ୍ରଥମେ ଏହି ଖଣି କାର୍ଯ୍ୟ ବିଶ୍ରା ଅଞ୍ଚଳରେ ଆରମ୍ଭ ‌ହୋଇଥିଲା। ପରବର୍ତ୍ତୀ ସମୟରେ ବୀରମିତ୍ରପୁର ଅଞ୍ଚଳରେ ପର୍ଯ୍ୟାପ୍ତ ଡୋଲାମାଇଟ୍‌ ଓ ଚୁନପଥର ଠାବ ହେବା ପରେ ବୀରମିତ୍ରପୁରରେ ଖଣି କାର୍ଯ୍ୟ ହୋଇଥିଲା।

ପ୍ରାୟ ୭୦ ବର୍ଷ ଧରି ବେସରକାରୀ ମାଲିକାନାରେ ଖଣି ଚାଲିବା ପରେ ୧୯୮୦ ମସିହାରେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଏହି ଖଣିକୁ ନିଜ ଅଧୀନକୁ ନେଇଥିଲେ। ଇସ୍ପାତ ମନ୍ତ୍ରାଳୟ ଖଣିକୁ ନେବା ପରେ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖା ଦେଇଥିଲା। ନୂଆ କ୍ରସର, ଯନ୍ତ୍ରପାତି ଓ ଅଧିକ ମାନବ ସମ୍ବଳ ନିଯୁକ୍ତି ଦିଆଯାଇ ଖଣିକୁ ଆଧୁନିକୀକରଣ କରାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ୨୦୦୯ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ଏହାକୁ ପବ୍ଲିକ୍‌ ସେକ୍ଟର ୟୁନିଟ୍‌ (ପିଏସ୍‌ୟୁ) ଆର୍‌ଆଇଏନ୍‌ଏଲ୍‌ ଅନ୍ତର୍ଗତ ଇଷ୍ଟର୍ଣ୍ଣ ଇନଭେଷ୍ଟମେଣ୍ଟ ଲିମିଟେଡ (ଇଆଇଏଲ)ର ସବ୍‌ସିଡାରି ବା ସହାୟକ ୟୁନିଟ୍‌ ଭାବେ ଘୋଷଣା କରିଥିଲେ। ଇଆଇଏଲ୍‌ ଠାରୁ ଋଣରେ ଟଙ୍କା ଆଣି ବିଏସ୍‌ଏଲ୍‌କୁ ଚଳାଇବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ଆବଶ୍ୟକ ପରିମାଣର ଅର୍ଥ ମିଳୁ ନଥିବାରୁ ଖଣିର ପୂର୍ଣ୍ଣାଙ୍ଗ ଆଧୁନିକୀକରଣ ହୋଇପାରୁନାହିଁ।

ଅପରପକ୍ଷେ, ବିଏସ୍‌ଏଲ୍‌ର ନିଜସ୍ବ ୩ଟି କ୍ରସର ଅଛି। ଗତ ୨୦୧୨ ମସିହାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏହି କ୍ରସରଗୁଡ଼ିକୁ ମରାମତି କରାଯାଇଥିଲା। କିନ୍ତୁ କ୍ରସରଗୁଡ଼ିକ ଚାଲି ପାରିଲା ନାହିଁ। କାରଣ କ୍ରସର୍‌କୁ ମାଲ ପରିବହନ ପାଇଁ ଡମ୍ପର, ପେ ଲୋଡର, ପୋକଲେନ୍‌ ଭଳି ବହୁ ଯନ୍ତ୍ରପାତି ନାହିଁ। ନିଜସ୍ବ ଶ୍ରମିକ କର୍ମଚାରୀ ଥିଲେ ୩ଟି କ୍ରସର ମଧ୍ୟରୁ ୨ଟି ବନ୍ଦ ଥିବା ବେଳେ ମାତ୍ର ଗୋଟିଏ ଚାଲୁଛି। ଭିତ୍ତିଭୂମି ଠିକ୍‌ ନଥିବାରୁ ଠିକା ସଂସ୍ଥା ନିୟୋଜିତ କରାଯାଇ ଉତ୍ପାଦନ କରାଯାଉଛି। ଖଣି ଭିତରେ ଏବେ ‌ଠିକା ସଂସ୍ଥାର ୩ଟି କ୍ରସର ଚାଲୁଛି। ମାତ୍ର ୧୦/୨୦ କୋଟି ଟଙ୍କା ଖର୍ଚ୍ଚ କରାଗଲେ ଖଣି ଭିତରେ ବିଏସ୍‌ଏଲ୍‌ ନିଜର କ୍ରସରଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିପାରନ୍ତା।

ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବାବେଳେ କୁଶଳୀ ଶ୍ରମିକଙ୍କୁ ନିଯୁକ୍ତି କରି ଉତ୍ପାଦନ ବଢାଇବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe