ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ : ରାଜ୍ୟ ସରାକରଙ୍କୁ ନୋଟିସ୍, ମିଳିଲାନି ରହିତାଦେଶ

Advertisment
ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : ରାଜ୍ୟ ସରକାରଙ୍କ ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ପ୍ରଦାନ ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫କୁ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ସଂପର୍କିତ ବିଜ୍ଞପ୍ତି ଉପରେ ଆଜି ହାଇକୋର୍ଟ କୌଣସି ରହିତାଦେଶ ଜାରି କରି ନାହାନ୍ତି। ଏପରି ନିଷ୍ପତ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି ପାଇଁ ପ୍ରାର୍ଥନା କରି ଆବେଦନକାରୀଙ୍କ ପକ୍ଷରୁ ଅନ୍ତରୀଣ ପିଟିସନ୍ ଦାୟର କରାଯାଇଥିଲେ ମଧ୍ୟ ହାଇକୋର୍ଟ ଏହି ପ୍ରସଂଗରେ କିଛି ଆଦେଶ ପ୍ରଦାନ କରି ନାହାନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ମଦ ଦୋକାନ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ସ୍ବଚ୍ଛତା ଓ ଅଧିକ ରାଜସ୍ବ ଆଦାୟ ପାଇଁ ସରକାର ଲଟେରି ବ୍ୟବସ୍ଥା ସପକ୍ଷରେ ନିଷ୍ପତ୍ତି ନେଇଥିଲେ। ଧାର୍ଯ୍ୟ ଲାଇସେନ୍ସ ଫିର ୨୦ ପ୍ରତିଶତ ବଢ଼ାଇ ଏହି ଲଟେରି କରାଯିବ ବୋଲି କୁହାଯାଇଥିଲା। ୧୫ବର୍ଷରୁ ଅଧିକ ସମୟ ଧରି ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ୧୦ ପ୍ରତିଶତ ବର୍ଦ୍ଧିତ ଦରରେ ନବୀକରଣ କରାଯାଉଥିବା ବେଳେ ସରକାର ଚଳିତବର୍ଷ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। ରାଜ୍ୟରେ ଥିବା ସମସ୍ତ ବିଦେଶୀ ଠିପି ବନ୍ଦ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ଲଟେରି ଜରିଆରେ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ହେବାକୁ ଥିବା ଏହି ଲଟେରି ବ୍ୟବସ୍ଥାରେ ପୁରୁଣା ବ୍ୟବସାୟୀଙ୍କ ସମେତ ନୂଆ ବେପାରୀଙ୍କୁ ମଧ୍ୟ ସୁଯୋଗ ମିଳିବ। ଏଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ। ଲଟେରିରେ ନାମ ଆସିଲେ ମଦ ଦୋକାନ ଲାଇସେନ୍ସ ମିଳିବ। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଆସନ୍ତା ଆର୍ଥିକବର୍ଷ ଆରମ୍ଭ ପୂର୍ବରୁ ଜିଲ୍ଲାପାଳମାନେ ଲଟେରି କରି ନୂଆ ବ୍ୟବସାୟୀ ଚିହ୍ନଟ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏପରି ଲଟେରି ବ୍ୟବସ୍ଥାକୁ କେତେକ ପୁରୁଣା ବ୍ୟବସାୟୀ ବିରୋଧ କରୁଛନ୍ତି। ନିଲାମ ନ କରି ଲଟେରି ବ୍ୟବସ୍ଥା ଗ୍ରହଣ କରାଯିବା ଦ୍ବାରା ବ୍ୟାପକ ସମସ୍ୟା ସୃଷ୍ଟି ହେବ ବୋଲି କେତେକ ଅଭିଯୋଗ କରିଛନ୍ତି। ଏପରି ନିଷ୍ପତ୍ତିକୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଛି। ଅବକାରୀ ସଚିବ, କମିସନର ଓ ଲଟେରି କମିଟିକୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe