ବାଉଁଶୁଣି ମଣ୍ଡିରେ ଚାଷୀ ମୃତ୍ୟୁ ଘଟଣା: ମୃତକଙ୍କ ଖାତାରେ ଧାନ ବିକ୍ରି ଟଙ୍କା

ଉଠାଇ ପାରୁ ନାହାନ୍ତି ପରିବାର ଲୋକ

ସର୍ପାଘାତରେ ନାବାଳିକା ମୃତ

ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ପ୍ୟାକ୍ସ ଧାନ ମଣ୍ଡିକୁ ଖରିଫ ଋତୁର ଧାନ ବିକ୍ରି କରିବା ପାଇଁ ଯମଘାଟି ଗ୍ରାମର ଚାଷୀ ଧରଣୀ ମେହେର (୫୫ ବର୍ଷ) ଗତ ଫେବ୍ରୁଆରି ମାସ ୨୩ ତାରିଖରେ ଧାନ ନେଇ ଆସିଥିଲେ। ତେବେ ହଠାତ୍‌ ସେଠାରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧାନ ବିକ୍ରି ଓ ଧାର କରଜର ମାନସିକ ଚାପ ଯୋଗୁଁ ହୃଦ୍‌ଘାତର କାରଣ ଅଟେ ବୋଲି ସେତେବେଳେ ବିଭିନ୍ନ ଆଲୋଚନା ହୋଇଥିଲା।

ସେ ଯାହା ହେଉନା କାହିଁକି ଧରଣୀଙ୍କ ମୃତ୍ୟୁର ପରଦିନ ହିଁ ଅର୍ଥାତ ୨୪ ତାରିଖରେ ଧରଣୀଙ୍କ ପୁତ୍ର କ୍ଷୀରୋଦଙ୍କ ଆଖି ସ୍କାନ କରାଯାଇ ପ୍ୟାକ୍ସ ପକ୍ଷରୁ ଧରଣୀଙ୍କ ୫୬ କ୍ୱିଣ୍ଟାଲ ଧାନ କିଣା ଯାଇଥିଲା। ଧାନ ବିକ୍ରି ସିନା ହୋଇଗଲା କିନ୍ତୁ ମୃତକଙ୍କ ପୁଅ କ୍ଷୀରୋଦଙ୍କ ବ୍ୟାଙ୍କ ଖାତାକୁ ଧାନ ବିକ୍ରି ଟଙ୍କା କିପରି ଆସିବ ସେନେଇ କୌଣସି ପ୍ରକାର ପଦକ୍ଷେପ ସେତେବେଳେ ପ୍ରଶାସନ ପକ୍ଷରୁ ନିଆ ଗଲା ନାହିଁ। ଫଳରେ ସ୍ବର୍ଗତ ଧରଣୀଙ୍କ ବ୍ୟାଙ୍କ ଖାତାରେ ଧାନ ବିକ୍ରିର ଟଙ୍କା ଜମା ହେଲା। ତେଣୁ ପରିବାର ଲୋକେ ଟଙ୍କା ଉଠାଇ ପାରୁନାହାନ୍ତି।

ସେଥିପାଇଁ ପରିବାର ଲୋକେ ମୃତ୍ୟୁ ପ୍ରମାଣପତ୍ର ଦାଖଲ ସହ ଉତ୍ତରାଧିକାରୀ (ଲିଗାଲ ହେୟାର) ପ୍ରମାଣପତ୍ର  ବୌଦ୍ଧ ତହସିଲରୁ ପାଇବା ପାଇଁ ଗତ ମାର୍ଚ୍ଚ ୧୭ ତାରିଖରେ ଅନ୍‌ଲାଇନରେ ଆବେଦନ କରିଥିଲେ। ତେବେ ଆବେଦନ କରିବାର ୫୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ହେଁ ଉତ୍ତରାଧିକାରୀ ପ୍ରମାଣପତ୍ର ମିଳିପାରି ନାହିଁ। ତେଣୁ ମୃତକଙ୍କ ପରିବାର ଧାନ ବିକ୍ରି ଟଙ୍କା ବ୍ୟାଙ୍କରୁ ଉଠାଇ ପାରୁ ନାହାନ୍ତି। ଫଳରେ ଧାର କରଜ କରିଥିବା ମୃତକଙ୍କ ପରିବାର ଆର୍ଥିକ ସଙ୍କଟରେ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମୃତ ଚାଷୀ ଧରଣୀଙ୍କ ପୁଅ କ୍ଷୀରୋଦ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe