ହାଇକୋର୍ଟ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ: ଜୁଡିସିଆଲ୍ ଏକାଡେମି ନାଁରେ ବି ଲୁଟ୍

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

ମିଳିଲା ଲାଇବ୍ରେରି ଆସିଷ୍ଟାଣ୍ଟ ନିଯୁକ୍ତିପତ୍ର
ରେଜିଷ୍ଟ୍ରାରଙ୍କ ଦସ୍ତଖତ, ଷ୍ଟାମ୍ପ୍ ଜାଲି
ଲିଫ୍‌ଟ ମେକାନିକ୍ ପାଇଁ ବି ଟଙ୍କା ନେଇଛନ୍ତି

କଟକ : କେବଳ ଓଡ଼ିଶା ହାଇକୋର୍ଟ ନୁହେଁ, ଓଡ଼ିଶା ଜୁଡିସିଆଲ୍ ଏକାଡେମିରେ ବି ଚାକିରି କରାଇଦେବାର ଲୋଭ ଦେଖାଇ ଟଙ୍କା ଠକେଇ ହୋଇଛି। ସଙ୍ଗୀତା ପଣ୍ଡା ନାମକ ଜଣେ ମହିଳାଙ୍କୁ ଜୁଡିସିଆଲ୍ ଏକାଡେମିରେ ଲାଇବ୍ରେରି ଆସିଷ୍ଟାଣ୍ଟ(କ୍ୟାଡର୍-୩ ଗ୍ରୁପ୍‌) ଚାକିରି ଦେବାକୁ କହି ଟଙ୍କା ନିଆଯାଇଥିବା ସମ୍ପର୍କିତ ଜାଲ୍‌ ନିଯୁକ୍ତିପତ୍ର ଲାଲ୍‌ବାଗ ଥାନା ପୁଲିସ ହାତରେ ଲାଗିଛି। ହାଇକୋର୍ଟ ଓ ଜୁଡିସିଆଲ୍ ଏକାଡେମି ନାଁରେ ଏଭଳି ଜାଲ୍‌ ନିଯୁକ୍ତିପତ୍ର ଏବେ ପୁଲିସର ହୋସ୍ ଉଡ଼ାଇ ଦେଲାଣି।

ସୂଚନା ଅନୁଯାୟୀ, କଟକ ସଦର ଝିଙ୍କିରିଆ ଅଞ୍ଚଳର ସୁଜିତ ଦେବତାଙ୍କ ପତ୍ନୀ ସଙ୍ଗୀତା ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଚୟନ କମିଟି ୨୦୨୧ ନଭେମ୍ବର ୧୦ ତାରିଖରେ ଲାଇବ୍ରେରି ଆସିଷ୍ଟାଣ୍ଟ ପଦବି ପାଇଁ ଚୟନ କରିଥିଲା। ତାଙ୍କୁ ୨୦୨୨ ଜାନୁଆରି ୫ ତାରିଖ ସକାଳ ୯ଟା ୩୦ରେ କାର୍ଯ୍ୟରେ ଯୋଗଦେବାକୁ ୨୦୨୧ ଡିସେମ୍ବର ୯ ତାରିଖରେ ଏକ ନିଯୁକ୍ତିପତ୍ର ପଠାଯାଇଥିଲା। ସବୁଠାରୁ ଚକିତ କଲା ଭଳି ଘଟଣା ହେଉଛି ଏହି ପତ୍ର ଜୁଡିସିଆଲ୍ ଏକାଡେମି ଚେୟାରମ୍ୟାନ୍‌, ହାଇକୋର୍ଟର ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍‌, ଜୁଡିସିଆଲ୍ ଏକାଡେମିର ଲାଇବ୍ରେରି ଇନ୍‌-ଚାର୍ଜଙ୍କ ନିକଟକୁ ନକଲ ପଠାଯାଇଥିବା ଦର୍ଶାଯାଇଥିଲା। ଏହି ଅବିକଳ ଚିଠି ମେମୋ ନମ୍ବର ସହିତ ପଠାହୋଇଥିଲା। ସ୍ପେସାଲ୍‌ ଅଫିସର(ଜୁଡିସିଆଲ୍)ଙ୍କ ଦସ୍ତଖତ ଏଥିରେ ରହିଛି। ସେହିଭଳି ଆଉ ଏକ ନିଯୁକ୍ତିପତ୍ର କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ବରର ଅସିତ କୁମାର ସାହୁଙ୍କ ଠିକଣାରେ ଯାଇଛି। ଓଡ଼ିଶା ହାଇକୋର୍ଟର ଚୟନ କମିଟି ତାଙ୍କୁ ହାଇକୋର୍ଟରେ ଲିଫ୍‌ଟ ମେକାନିକ୍(କ୍ୟାଡର୍‌-୩, ଗ୍ରେଡ-ସି-ଗ୍ରୁପ୍‌) ଭାବେ ୨୦୨୨ ଫେବ୍ରୁଆରି ୧୦ ତାରିଖରେ ଚୟନ କରାଯାଇଥିଲା। ୨୦୨୨ ଏପ୍ରିଲ ୨୮ ତାରିଖ ସକାଳ ୯ଟା ୩୦ରେ କାର୍ଯ୍ୟରେ ଯୋଗଦେବାକୁ ପତ୍ରରେ ଦର୍ଶାଯାଇଥିଲା। ଏପ୍ରିଲ ୧୮ ତାରିଖରେ ରେଜିଷ୍ଟ୍ରାର(ଜୁଡିସିଆଲ୍)ଙ୍କ ଦସ୍ତଖତ ଓ ଷ୍ଟାମ୍ପ ଲାଗି ଏହି ଚିଠି ଅସିତ୍‌ଙ୍କ ଠିକଣାରେ ପଠାଯାଇଥିଲା। ଉଭୟ ଚିଠିରେ ଧାର୍ଯ୍ୟ ତାରିଖରେ କାର୍ଯ୍ୟରେ ଯୋଗଦେବା ସମୟରେ ସମସ୍ତ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍, ଆଧାର କାର୍ଡ, ଭୋଟର ଆଇଡି, କୋଭିଡ୍ ଟିକାକାରଣ ସାର୍ଟିଫିକେଟ୍, ସ୍ବାସ୍ଥ୍ୟଗତ ସାର୍ଟିଫିକେଟ୍, କ୍ୟାରେକ୍ଟର୍‌ ସାର୍ଟିଫିକେଟ୍, ଆବାସିକ ପ୍ରମାଣପତ୍ର, ୫୦ ଟଙ୍କିଆ ଷ୍ଟାମ୍ପ୍ ପେପର୍ ଦାଖଲ କରିବାକୁ ଉଲ୍ଲେଖ ରହିଥିଲା।

ଯେଉଁମାନଙ୍କ ନିକଟକୁ ନିଯୁକ୍ତ ପତ୍ର ଯାଇଛି, ସେମାନଙ୍କ ନିକଟରୁ ୫୦ରୁ ୭୦ ହଜାର ଯାଏ ଟଙ୍କା ନିଆଯାଇଛି। ମାଷ୍ଟରମାଇଣ୍ଡ ଭୂଷଣ ପଟ୍ଟନାୟକ ଓ ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରଦୀପ କୁମାର ଶତପଥୀ ଏହି ଟଙ୍କା ନେଇଛନ୍ତି। ହାଇକୋର୍ଟ ଓ ଜୁଡିସିଆଲ୍ ଏକାଡେମି ନାଁରେ ପ୍ରସ୍ତୁତ ହୋଇଥିବା ଜାଲି ନିଯୁକ୍ତିପତ୍ର ସିଡିଏ ସେକ୍ଟର-୯ର ସିଦ୍ଧାର୍ଥ ପଟ୍ଟନାୟକ ନିଜସ୍ବ କମ୍ପ୍ୟୁଟର ଦୋକାନ ପ୍ରସ୍ତୁତ କରିଥିଲା। ଏଭଳି ଶହ ଶହ ବେକାର ଯୁବକଙ୍କୁ ହାଇକୋର୍ଟର ଚୟନ କମିଟି ପକ୍ଷରୁ ଚୟନ କରାଯାଇଥିବା ସଂକ୍ରାନ୍ତ ନିଯୁକ୍ତି ପତ୍ର ଯାଇଥିବା ବେଳେ ଟଙ୍କା ବି ସଂଗ୍ରହ ହୋଇଛି। ଏବେ ଠକେଇର ଶିକାର ହୋଇଥିବା ସମସ୍ତ ଆବେଦନକାରୀଙ୍କୁ ଠାବ କରିବାକୁ ପୁଲିସ ଏକ ଟିମ୍ ଗଠନ କରି ଅନୁଧ୍ୟାନ ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe