ହାତୀ କରିଡର ଟେଣ୍ଡରରେ ଅନିୟମିତତା ପ୍ରସଙ୍ଗ : ରାଜଧାନୀରେ ଅଭିଯୋଗ ପରେ କେନ୍ଦୁଝରରେ ତାତି

ଦିଗପହଣ୍ଡି ଉପକଣ୍ଠରେ ୧୨ ଟିକିଆ ହାତୀପଲ, ବନ, ବିଦ୍ୟୁତ୍ ବିଭାଗ ସଜାଗ

Photo Courtesy of The Financial Express

କେନ୍ଦୁଝର : ନେସ୍କୋ ପକ୍ଷରୁ ହୋଇଥିବା ହାତୀ କରିଡର ଟେଣ୍ଡରରେ ବ୍ୟାପକ ଅନିୟମିତତା ନେଇ ତଥ୍ୟ ପ୍ରମାଣ ସହିତ ଗ୍ରିଡ କର୍ପୋରେସନ ଅଫ୍ ଓଡ଼ିଶାର ସିଏମ୍‌ଡି ଡ. ସୌରଭ ଗର୍ଗଙ୍କ ନିକଟରେ ଅନ୍ୟତମ ଠିକା ସଂସ୍ଥାର ଅରବିନ୍ଦ ମହାନ୍ତି ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗ କେନ୍ଦୁଝର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି।

ଅଭିଯୋଗ ଅନୁସାରେ, କେନ୍ଦୁଝର ଜିଲ୍ଲାରେ ହାତୀ କରିଡର ପାଇଁ ୩୩.୭୦ କୋଟି ଓ ୨୫.୨୪ କୋଟି ଟଙ୍କା ଖର୍ଚ୍ଚ ପାଇଁ ଦୁଇଟି ଟେଣ୍ଡର ହୋଇଥିଲା। ତେବେ ପ୍ରଥମ ଟେଣ୍ଡର ପ୍ରକ୍ରିୟା ୧୫ ମାସ ପର୍ଯ୍ୟନ୍ତ ଶେଷ ନ କରି ଦ୍ବିତୀୟ ଟେଣ୍ଡର କରିବା ଘଟଣାରେ ଏକାଧିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଏଥିନେଇ ନେସ୍କୋର ପ୍ରଶାସନିକ ଅଧିକାରୀ ସବ୍ୟସାଚୀ ପାଢ଼ୀଙ୍କ ବିରୋଧରେ ଗ୍ରୀଡ କର୍ପୋରେସନ ଅଫ୍‌ ଓଡ଼ିଶାର ସିଏମ୍‌ଡି ସୌରଭ ଗର୍ଗଙ୍କୁ ଅଭିଯୋଗ କରିଥିଲେ ଅରବିନ୍ଦ ମହାନ୍ତି। ତେବେ ଏହି ଅଭି‌ଯୋଗ ପାଇବା ପରେ ଅତ୍ୟନ୍ତ ଗୋପନୀୟ ଭାବେ ନେସ୍କୋର ପ୍ରଶାସନିକ ଅଧିକାରୀ ଶ୍ରୀ ପାଢ଼ୀଙ୍କୁ ଏହାର ସତ୍ୟାସତ୍ୟ ଜାଣିବାକୁ ସିଏମ୍‌ଡି ଶ୍ରୀ ଗର୍ଗ ଚିଠି ଲେଖିଥିଲେ। ଏଥିରେ ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ନେଇ ସଂଗିନ ଅଭିଯୋଗ ଥିଲା।

ଅଭିଯୋଗର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁସାରେ, ପ୍ରଥମ ଟେଣ୍ଡର ପ୍ରକ୍ରିୟାରେ ଏପିଏସ୍‌(ଆଡିସିନାଲ ପର୍ଫମାନ୍ସ ସିକ୍ୟୁରିଟି) ଟଙ୍କା ଦାଖଲ ନ କରିବା କାରଣରୁ ଆଦ୍ୟ ଉର୍ଜା ନାମକ ଠିକାସଂସ୍ଥାର ଟେଣ୍ଡର ରଦ୍ଦ (ଚିଠି ନଂ-୫୨୫୫/୯/୭/୨୦୨୦) କରାଯାଇଥିଲା। ପରବର୍ତ୍ତୀ ସମୟରେ ଦ୍ବିତୀୟ ଟେଣ୍ଡରରେ ଏହି ସଂସ୍ଥା ଭାଗ ନେବାବେଳେ ଏହାକୁ ଅଡିଟ୍‌ ଟିମ୍‌ ପ୍ରତିବାଦ କରିଥିଲା। ପ୍ରଥମ ଟେଣ୍ଡରରେ ରଦ୍ଦ ହୋଇଥିବା ପ୍ରତିଯୋଗୀକୁ ଦ୍ବିତୀୟ ଟେଣ୍ଡରେ ସୁଯୋଗ ଦେଇଥିବାରୁ ପ୍ରଶାସନିକ ଅଧିକାରୀ ଶ୍ରୀ ପାଢ଼ୀଙ୍କ ସହିତ ଏହି ଆଦ୍ୟ ଉର୍ଜା ଅନୁଷ୍ଠାନର ଭିତିରି ବୁଝାମଣା ଅଛି ଏବଂ ଏହାର ତଦନ୍ତ କରିବାକୁ ଅଭିଯୋଗ ପତ୍ରରେ ଅନୁରୋଧ କରାଯାଇଥିଲା। ତେବେ ଏହି ଅଭିଯୋଗ ପାଇବା ପରେ ସିଏମ୍‌ଡି କାର୍ଯ୍ୟାଳୟ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କୁ ଚିଠି ଲେଖାଯାଇ ଅଭିଯୋଗ ଉପରେ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ, ସ୍ବାଭାବିକ ଭାବେ ପ୍ରଶାସନିକ ଅଧିକାରୀ ଶ୍ରୀ ପାଢ଼ୀ ରି‌ପୋର୍ଟ ଦେବାକୁ ଥିଲେ ହେଁ ତାହା କରାଯାଇନଥିଲା। ସେପଟେ କେନ୍ଦୁଝର ନେସ୍କୋର ଅଧୀକ୍ଷଣ ଯନ୍ତ୍ରୀଙ୍କ ଜରିଆରେ ଏବେ ଏହି ଅଭିଯୋଗ ପତ୍ର ବିଭିନ୍ନ ଠିକା ସଂସ୍ଥାର ମୋବାଇଲରୁ ମୋବାଇଲକୁ ଘୂରି ବୁଲିବା ସହିତ ଅଭିଯୋଗକୁ ରଫାଦଫା କରିବାକୁ ଉଦ୍ୟମ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ଏବେ କେନ୍ଦୁଝରରେ ଚର୍ଚ୍ଚାର ବିଷୟ ପ‌ାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe