ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗ : କଟାକ୍ଷ କଲେ ପିସିସି ସଭାପତି

Advertisment
ଏବିପିର ‘ଦେଶ୍‌ କା ମୁଡ୍‌’ ସର୍ଭେ : ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ଘରୋଇ ଟିଭି ଚାନେଲ୍‌ ଏବିପି ପକ୍ଷରୁ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କଟୁ ସମାଲୋଚନା କରିଛନ୍ତି। କହିଛନ୍ତି ଯେ ସବୁ କ୍ଷେତ୍ରରେ ଓଡ଼ିଶା ତଳେ ଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ କିପରି ଏକ ନମ୍ବର ସ୍ଥାନ ପାଇଛନ୍ତି ତାହା ସେ ହିଁ ଜାଣନ୍ତି। ସେହିପରି ମୋଦୀ ସରକାର କିପରି ଦେଶର ଗଣତନ୍ତ୍ରକୁ ବିପନ୍ନ କରିଛନ୍ତି ସେ ନେଇ ମଧ୍ୟ ଶ୍ରୀ ପଟ୍ଟନାୟକ କଟାକ୍ଷ କରିଛନ୍ତି। ଏକ ପ୍ରେସ୍‌ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁଠୁ ଲୋକପ୍ରିୟ ବୋଲି ଶୁଣିଲେ ଖୁସି ଲାଗୁଛି। କିନ୍ତୁ ଏଠାରେ ଚାଷୀ ହତାଶ। ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହା ପାଳନ କରନ୍ତି ନାହିଁ। ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ, ଦାଦନ ସଂଖ୍ୟା ବଢ଼ିଚାଲିଛି। ସେହିପରି ନାରୀ ନିର୍ଯାତନା, ଅପହରଣ, ପିଲାଚୋରି, ରାଜନୈତିକ ହିଂସା, ଦୁର୍ନୀତି ବ୍ୟାପି ଚାଲିଛି। ତଥାପି ମୁଖ୍ୟମନ୍ତ୍ରୀ ପ୍ରଥମ ସ୍ଥାନରେ ରହିବା ଆଶ୍ଚର୍ଯ୍ୟର କଥା।

publive-image

ଦେଶରେ ବି ସମାନ ଦଶା। ଅଚ୍ଛେଦିନ ଆସିବ ବୋଲି ମୋଦୀ ସରକାର ପ୍ରତିଶ୍ରୁତି ଦେଇଥିଲେ। ୭ ବର୍ଷ ଭିତରେ ଏ ଦେଶର ଅବସ୍ଥା କଣ ହୋଇଛି, ତାହା ଆମେ ସମସ୍ତେ ଅନୁଭବ କରୁଛୁ। ସବୁ ପରମ୍ପରା ଭଙ୍ଗ କରି ମୋଦୀ ସରକାର ଟ୍ରମ୍ପଙ୍କ ପାଇଁ ପ୍ରଚାର କଲେ ଓ ତାଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଇଲେ। ଟ୍ରମ୍ପଙ୍କ କି ଅବସ୍ଥା ହେଲା ସମସ୍ତେ ଜାଣନ୍ତି। ଆଜି ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ। ବିକାଶ କିଛି ନାହିଁ। ଦୁର୍ନୀତି ଚରମ ସୀମାରେ ପହଞ୍ଚିଲାଣି। ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି। ଏବେ ଭାରତରେ ବିଚିତ୍ର ଅବସ୍ଥା ଆସି ପହଞ୍ଚିଛି। ପୁରାଣ ଯୁଗରେ କଂସ ମହାରାଜ କୃଷ୍ଣଙ୍କୁ ଦେଖିବା ପରେ ଯେପରି ଟଳି ପଡ଼ିଥିଲେ, ସେହିପରି ଦେଶକୁ ଯେଉଁମାନେ ରସାତଳକୁ ନେଉଛନ୍ତି, ସେମାନଙ୍କ ଅବସ୍ଥା ବି ସେପରି ହେବ। ପୁଣି ଥରେ ଗଣତନ୍ତ୍ର ପ୍ରତିଷ୍ଠା ହେବ। ଲୋକେ ବୁଝିପାରିଲେ ରାଜ୍ୟରେ ବି ଦୁର୍ନୀତିର ମୂଳ ଉତ୍ପାଟନ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe