ସମ୍ବଲପୁର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀଙ୍କୁ ଡି.ଲିଟ୍‌ ପ୍ରଦାନ ପ୍ରସଙ୍ଗ: ପ୍ରତ୍ୟାହାର ପାଇଁ ବଢ଼ୁଛି ଦାବି

Advertisment
ସମ୍ବଲପୁର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀଙ୍କୁ ଡି.ଲିଟ୍‌ ପ୍ରଦାନ ପ୍ରସଙ୍ଗ: ପ୍ରତ୍ୟାହାର ପାଇଁ ବଢ଼ୁଛି ଦାବି

Photo: New Indian Express

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀ ସୁଭାଷ ଚନ୍ଦ୍ର ଗୁପ୍ତାଙ୍କୁ ପ୍ରଦତ୍ତ ସମ୍ମାନସୂଚକ ଡି.ଲିଟ୍ ପ୍ରତ୍ୟାହାର ଦାବି ଦିନକୁ ଦିନ ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ, ବେନିୟମ ଭାବେ ଶ୍ରୀ ଗୁପ୍ତାଙ୍କୁ ଏହି ଉପାଧି ଦେଇଥିବା କାରଣରୁ ଦାୟିତ୍ବ ନେବା ପରଠାରୁ ବିଭିନ୍ନ କାରଣରୁ ବିବାଦ ଘେରରେ ରହିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ସମ୍ବଲପୁର ଜିଲ୍ଲାର ବିଭିନ୍ନ ସଂଗଠନ କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନେ ମିଳିତ ଭାବେ ଏନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଅତୀତରେ ପଶ୍ଚିମ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଡାକ୍ତର ରାମପ୍ରସାଦ ମିଶ୍ର, ବିଘ୍ନରାଜ ପଟେଲ, ବନମାଳୀ ବାବୁଙ୍କ ଭଳି ବ୍ୟକ୍ତିତ୍ବଙ୍କ ନାମ ଡି.ଲିଟ୍‌ ପାଇଁ ସିଣ୍ଡିକେଟ୍‌ ସୁପାରିସ କରିଥିବା ବେଳେ କୁଳାଧିପତିଙ୍କ ଅନୁମୋଦନ ମିଳିପାରିନଥିଲା। ତେବେ, ସୁଭାଷ ଚନ୍ଦ୍ର ଗୁପ୍ତାଙ୍କ ଭଳି ଜଣେ ସାଧାରଣ ଶିଳ୍ପୋ‌ଦ୍ୟୋଗୀଙ୍କୁ ଡି.ଲିଟ୍ ପ୍ରଦାନକୁ ସମ୍ବଲପୁର ବୁଦ୍ଧିଜୀବୀମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ଶ୍ରୀ ଗୁପ୍ତାଙ୍କ ଯେଉଁ ଅଂଚଳର ବାସିନ୍ଦା ସେଇ ଅଞ୍ଚଳର ଆଖପାଖରେ ୪/୫ଟି ବିଶ୍ବବିଦ୍ୟାଳୟ ରହିଥିବାବେଳେ ସେସବୁ ବିଶ୍ବବିଦ୍ୟାଳୟ ତାଙ୍କୁ ଡି.ଲିଟ୍‌ ପ୍ରଦାନ ପାଇଁ ଯୋଗ୍ୟ ଭାବିନାହାନ୍ତି। ଏପରିସ୍ଥଳେ, ସମ୍ବଲପୁର ବିଶ୍ବବିଦ୍ୟାଳୟ କେଉଁ ଆଧାରରେ ତାଙ୍କୁ ଡି.ଲିଟ୍‌ ପ୍ରଦାନ କଲା, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିସହିତ, ଏଥିରେ କିଛି ଅନିୟମିତତା ‌ହୋଇଥିବା ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

କୁଳାଧିପତିଙ୍କୁ ପ୍ରଦତ୍ତ ଦାବିପତ୍ରରେ ବୁଦ୍ଧିଜୀବୀମାନେ ଦର୍ଶାଇଛନ୍ତି ଯେ, ବିଶ୍ବବିଦ୍ୟାଳୟର ଷ୍ଟେଚ୍ୟୁଟ୍‌ର ଖୋଲ‌ାଖୋଲି ଉଲ୍ଲଂଘନ କରାଯାଇଛି। ବିଶ୍ବବିଦ୍ୟାଳୟର ଷ୍ଟେଚ୍ୟୁଟ୍ ଅନୁସାରେ ବିଶିଷ୍ଟ ବ୍ୟକ୍ତି ହୋଇଥିଲେ କିମ୍ବା ଶିକ୍ଷାକ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତି ଡି.ଲିଟ୍ ଉପାଧି ପ୍ରଦାନ କରାଯାଇପାରିବ। ଶ୍ରୀ ଗୁପ୍ତା କିନ୍ତୁ ସେଭଳି କିଛି ନୁହନ୍ତି। ପୁଣି ସିଣ୍ଡିକେଟ୍ ବୈଠକରେ ଦୁଇ ତୃତୀୟାଂଶ ସଭ୍ୟଙ୍କ ଉପସ୍ଥିତିରେ ଡି.ଲିଟ୍‌ ପ୍ରଦାନ ସଂପର୍କିତ ପ୍ରସ୍ତାବ ପାରିତ ହୋଇଥିଲେ, ତାହାକୁ କୁଳାଧିପତିଙ୍କ ପାଖକୁ ସୁପାରିସ କରାଯିବାର ନିୟମ ରହିଛି। ଗତ ୯ ଏପ୍ରିଲରେ ଅନୁଷ୍ଠିତ ସିଣ୍ଡିକେଟ ବୈଠକରେ ଶ୍ରୀ ଗୁପ୍ତାଙ୍କୁ ଡି.ଲିଟ୍ ପ୍ରଦାନ ସଂପର୍କିତ ଏଜେଣ୍ଡା ବି ନଥିଲା କି ଏ ନେଇ କୌଣସି ଆଲୋଚନା ବି ‌ହୋଇନଥିଲା। ପୁଣି, କେଉଁ ସିଣ୍ଡିକେଟ୍ ବୈଠକରେ ଶ୍ରୀ ଗୁପ୍ତାଙ୍କ ନାମ ସୁପାରିସ କରାଯାଇଛି, ତାହା ବି ଅସ୍ପଷ୍ଟ। ଏହି ସଂପୂର୍ଣ୍ଣ ପ୍ରସଙ୍ଗରେ କୌଣସି ସ୍ବଚ୍ଛତା ନାହିଁ। ଏହା କେବଳ ଜଣେ ବ୍ୟକ୍ତିଙ୍କୁ ଡି.ଲିଟ୍‌ ପ୍ରଦାନ ପ୍ରସଙ୍ଗ ନୁହେଁ, ବିଶ୍ବବିଦ୍ୟାଳୟର ପ୍ରଚିଳିତ ନୀତିନିୟମ ସହିତ ସମଗ୍ର ପ୍ରକ୍ରିୟାର ବି ଉଲ୍ଲଂଘନ ହୋଇଛି। ବିଶ୍ବବିଦ୍ୟାଳୟ ପରିଚାଳନା ନିମନ୍ତେ ଥିବା କୁଳପତିଙ୍କ ମାର୍ଗଦର୍ଶିକାର ବି ଉଲ୍ଲଂଘନ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ଶ୍ରୀ ଗୁପ୍ତାଙ୍କୁ ପ୍ରଦତ୍ତ ଡି.ଲିଟ୍‌ ତୁରନ୍ତ ବାତିଲ କରିବା ଏବଂ କୁଳପତି ପ୍ରଫେସର ମିତ୍ତଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ସମ୍ବଲପୁର ଡେପ୍‌ଲପ୍‌ମେଣ୍ଟ ଫୋରମ୍‌ର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ପୂର୍ବତନ ସାଂସଦ ଭବାନୀଶଙ୍କର ହୋତା, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର, ଶିକ୍ଷାବିତ ପ୍ରଫେସର ଶଙ୍କର ପ୍ରସାଦ ପତି, ରାଜେନ୍ଦ୍ର ପଣ୍ଡା, ଓଡ଼ିଶା ସାଂସ୍କୃତିକ ସମାଜର ପୂର୍ବତନ ସଭାପତି ପ୍ରଫୁଲ୍ଲ ହୋତା, ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ଲଜପତ ରାୟ ଆଇନ କଲେଜର ପୁରାତନ ଛାତ୍ର ସଂସଦର ସଭାପତି ସତ୍ୟ ନାରାୟଣ ପଣ୍ଡା, ତ୍ୟାଗର ପ୍ରତିଷ୍ଠାତା ଦୁର୍ଗା ପାଢ଼ୀ ପ୍ରମୁଖ ମିଳିତ ଭାବେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe