ହାଇକୋର୍ଟରେ ପୁଣି ସ୍କୁଲ ଫି’ ବୃଦ୍ଧି ପ୍ରସଙ୍ଗ: ସରକାରଙ୍କ ନିକଟରୁ ଜବାବ ତଲବ

Advertisment

ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ଫି’ର ଭବିଷ୍ୟତ

ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ଫି’ର ଭବିଷ୍ୟତ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ସ୍କୁଲ ଫି ବୃଦ୍ଧି ପ୍ରସଂଗ ପୁଣି ହାଇକୋର୍ଟରେ ପହଞ୍ଚିଛି। କେତେକ ଘରୋଇ ସ୍କୁଲ ବେଆଇନ ଭାବେ ସ୍କୁଲ ଫି’ ବୃଦ୍ଧି କରିଛନ୍ତି ବୋଲି ଦର୍ଶାଇ ଅଭିଭାବକଙ୍କ ସଂଘ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଚାରି ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଦ୍ବାରା ଆଦାୟ କରାଯାଉଥିବା ଫି’ ପ୍ରସଙ୍ଗର ଭବିଷ୍ୟତ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ବାରା ଧାର୍ଯ୍ୟ ଫି’ ଯଦି ଛାତ୍ରଛାତ୍ରୀ ଜମା କରନ୍ତି ତେବେ ମାମଲାର ଚୂଡାନ୍ତ ଫଳାଫଳ ଉପରେ ଏହି ପ୍ରସଂଗ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ‌ନିୟମ ଉଲ୍ଲଂଘନ କରି କେତେକ ଘରୋଇ ସ୍କୁଲ ଫି’ ବୃଦ୍ଧି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଣଶିକ୍ଷା ସଚିବଙ୍କ ମଧ୍ୟସ୍ଥତାରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଥିଲା। କିନ୍ତୁ ଏହି ଏମଓୟୁକୁ କେତେକ ସ୍କୁଲ ମାନୁ ନାହାନ୍ତି। ସ୍କୁଲ ଫି’ କେତେକ ସ୍କୁଲ ବୃଦ୍ଧି କରିଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ବର୍ଦ୍ଧିତ ସ୍କୁଲ ଫି ଦାବି କରାଯାଉ ଥିବାବେଳେ ଏହି ଅବଧିରେ ଅଧିକାଂଶ ଦିନ କ୍ଲାସରୁମ୍‌ ଶିକ୍ଷା ବନ୍ଦ ଥିଲା। ନିର୍ଦ୍ଦିଷ୍ଟ ଦିନ କେବଳ ସ୍କୁଲରେ କ୍ଲାସରୁମ୍ ଶିକ୍ଷା ପ୍ରଦାନ କରାଯାଇଥିବା ବେଳେ ବର୍ଦ୍ଧିତ ସ୍କୁଲ ଫି ଦାବି କରାଯାଉଛି। ଗତ ୨୮ ତାରିଖରୁ ସ୍କୁଲରେ ଅଫ୍ ଲାଇନ କ୍ଲାସ ଆରମ୍ଭ ହୋଇଥିବା ବେଳେ ଯେଉଁ ପିଲାମାନେ ବର୍ଦ୍ଧିତ ଫି ଦେବାକୁ ମନା କରୁଛନ୍ତି ସେମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଅନୁମତି ଦେଉନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀ ସମୟରେ ସ୍କୁଲ ଫି ଛାଡ ପ୍ରସଂଗ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ୨୦୨୦ରେ ଏ ନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ସ୍କୁଲ ଫି’ ଛାଡ ପ୍ରସଂଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଣଶିକ୍ଷା ସଚିବଙ୍କ ମଧ୍ୟସ୍ଥତାରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଥିଲା। ହାଇକୋର୍ଟ ଏ ସଂପର୍କିତ ମାମଲାର ଚୂଡାନ୍ତ ରାୟ ୨୦୨୧, ଜାନୁଆରି ୭ରେ ପ୍ରକାଶ କରିଥିଲେ। ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରି ଏମଓୟୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାସତ୍ବେ ଏହି ଶିକ୍ଷା ବର୍ଷରେ କେତେକ ସ୍କୁଲ ଫି’ ବୃଦ୍ଧି କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe