ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ, ବୟସ ଯୋଗ୍ୟତାକୁ ଚାଲେଞ୍ଜ: ହାଇକୋର୍ଟଙ୍କ ଜବାବ ତଲବ

Advertisment

ଆବେଦନକାରୀଙ୍କୁ ପରୀକ୍ଷାରେ ବସିବା ପାଇଁ ଅନ୍ତରୀଣ ଅନୁମତି

ଆବେଦନକାରୀଙ୍କୁ ପରୀକ୍ଷାରେ ବସିବା ପାଇଁ ଅନ୍ତରୀଣ ଅନୁମତି

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ବିରୋଧ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ସରକାରୀ ହାଇସ୍କୁଲରେ ଚୁକ୍ତିଭିତ୍ତିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଲାଗି ଧାର୍ଯ୍ୟ କରାଯାଇଥିବା ବୟସ ଯୋଗ୍ୟତାକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଆବେଦନକାରୀଙ୍କ ଦରଖାସ୍ତର ହାର୍ଡ କପି ଗ୍ରହଣ କରାଯିବ। ତାଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ବିନା ଅନୁମତିରେ ଆବେଦନକାରୀଙ୍କ ଫଳାଫଳ ‌ପ୍ରକାଶ କରାଯିବ ନାହିଁ। ମାମଲାର ଚୂଡ଼ାନ୍ତ ରାୟ ଉପରେ ନିଯୁକ୍ତିର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ କେଆର୍‌ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନସ ରଂଜନ ଜେନା ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଅଗଷ୍ଟ ୨୮ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୩୧୩୬ଟି ଟିଜିଟି (କଳା) ଶିକ୍ଷକ ପଦବି ପାଇଁ ପ୍ରାର୍ଥୀଙ୍କ ନିକଟରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଏହି ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୦୨୧, ଜାନୁଆରି ୧ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବୟସ ସୀମା ୩୨ ବର୍ଷ ଧାର୍ଯ୍ୟ କରାଯାଇଥିଲା। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆବର୍ଗ ଓ ମହିଳାଙ୍କ ପାଇଁ ସର୍ବାଧିକ ବୟସସୀମା ୫ ବର୍ଷ କୋହଳ ବ୍ୟବସ୍ଥା କରାଯାଇଥିଲା। ସର୍ବାଧିକ ବୟସ ସୀମା ନିୟମକୁ ଚାଲେଞ୍ଜ୍‌ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି। ବିଗତ ତିନି ବର୍ଷ ହେବ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନଥିବା ବେଳେ ୨୦୨୧, ଜାନୁଆରି ୧ରୁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ହିସାବକୁ ନେବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟରେ ଦର୍ଶାଯାଇଥିଲା। ବୟସ ସୀମା କୋହଳ କରାଯିବା ଉଚିତ। ନଚେତ ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରିବେ ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏଭଳି ସ୍ଥିତିରେ ସର୍ବାଧିକ ବୟସ ସୀମା ୩ ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe