ହୀରାକୁଦ ବିସ୍ଥାପିତଙ୍କ ଥଇଥାନରେ ବିଳମ୍ବ ପ୍ରସଂଗ: ଓଡ଼ିଶା, ଛତିଶଗଡ଼ ମୁଖ୍ୟ ସଚିବଙ୍କ ସମେତ ୫ ଜିଲ୍ଲାପାଳଙ୍କୁ ନୋଟିସ୍‌

୪ ଲକ୍ଷ ଗରିବ ପରିବାରକୁ ମିଳିନି ୫ ମାସର ଗହମ: ମୁଖ୍ୟ ସଚିବଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍‌

Image Courtesy of India Wispers

ସମ୍ବଲପୁର : ହୀରାକୁଦ ବିସ୍ଥାପିତଙ୍କ ଥଇଥାନ ଓ କ୍ଷତିପୂରଣ ପ୍ରଦାନରେ ବିଳମ୍ବ ମାମଲାରେ ଜାତୀୟ ମାନବାଧିକାର ଆୟୋଗ ପୁଣିଥରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟ ସଚିବ ତଥା ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଆଦି ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ୬ ସପ୍ତାହ ମଧ୍ୟରେ ଏହାର ଜବାବ ରଖିବାକୁ ଆୟୋଗ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍ କୋର୍ଟର ଆଇନ୍‌ଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ୫ ବର୍ଷ ପୁରୁଣା ଆବେଦନ ଆଧାରରେ ପୂର୍ବରୁ ଆୟୋଗ ଉଭୟ ରାଜ୍ୟର ମୁଖ୍ୟ ସଚିବଙ୍କୁ ଉତ୍ତର ମାଗିଥିଲେ। ଏହାର ଜବାବରେ ଛତିଶଗଡ଼ ସରକାର ସେହି ରାଜ୍ୟରେ କ୍ଷତିପୂରଣର ଦାବିଦାର ସେଭଳି କେହି ବିସ୍ଥାପିତ ନଥିବା ଦର୍ଶାଇଥିବାବେଳେ ଓଡ଼ିଶା ସରକାର ସବୁ ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇ ସାରିଲାଣି, ଆଉ କେହି ବାକି ନାହାନ୍ତି ବୋଲି ଦର୍ଶାଇଥିଲେ। ଏହାର ପ୍ରତିବାଦରେ ଶ୍ରୀ ତ୍ରିପାଠୀ ଉଭୟ ରାଜ୍ୟ ସରକାରଙ୍କ କୈଫିୟତକୁ ମିଥ୍ୟା ଦର୍ଶାଇ ତଥ୍ୟ ଓ ଦସ୍ତାବେଜ ସହ ପୁଣି ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ବିଚାର କରି ଆୟୋଗ ପୁନଃ ଉପରୋକ୍ତ ନୋଟିସ୍ ଜାରି କରିଛନ୍ତି।

ନିଜ ଆବେଦନରେ ଶ୍ରୀ ତ୍ରିପାଠୀ ଦର୍ଶାଇଥିଲେ ଯେ ହୀରାକୁଦ ଦ୍ବାରା ୨୬,୫୬୧ ପରିବାର ବିସ୍ଥାପିତ ହୋଇଥିବାବେଳେ ମାତ୍ର ୨ ହଜାର ପରିବାରକୁ ହିଁ ଜମି ପଟ୍ଟା ମିଳିଛି। ଅନ୍ୟ ସମସ୍ତଙ୍କୁ ୧୦ ଡିସିମିଲ୍ ଲେଖାଏଁ ଘର ଡିହ ଯୋଗାଇ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ବି ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଅଧିକ ପରିବାର ଏଥିରୁ ବଞ୍ଚିତ ହୋଇ ରହିଛନ୍ତି। ହୀରାକୁଦ ବନ୍ଧର ଉଚ୍ଚତା ହ୍ରାସ କାରଣରୁ ଅଧିଗୃହୀତ ‌ବହୁ ଜମିରେ ଏବେ ବି ସେହି ଜମିର ମୂଳ ମାଲିକ ବା ବାସିନ୍ଦା ମାନେ ରହୁଛନ୍ତି ଓ ଚାଷ କରୁଛନ୍ତି। କିନ୍ତୁ ସେମାନଙ୍କୁ ତାଙ୍କ ଜମିର ଅଧିକାର ମିଳୁ ନାହିଁ କି ଉକ୍ତ ଜମିରୁ ଉପାର୍ଜିତ ଫସଲ ବିକ୍ରି କରିବାର ସୁବିଧା ବି ପାଉ ନାହାନ୍ତି।

ଓଡ଼ିଶାର ଉପରୋକ୍ତ ୫ ଜିଲ୍ଲା ସମେତ ଛତିଶଗଡ଼ର ରାୟଗଡ଼ ଓ ସୁରୁଗୁଜା ଜିଲ୍ଲା ପ୍ରଶାସନର ଅ‌ବହେଳାପୂର୍ଣ୍ଣ କାର୍ଯ୍ୟ କାରଣରୁ ଆଜି ବି ହଜାର ହଜାର ପରିବାର ନିଜ ନ୍ୟାଯ୍ୟ ହକ୍ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହାବ୍ୟତୀତ ଆହୁରି ଅନେକ ପ୍ରସଂଗ ଶ୍ରୀ ତ୍ରିପାଠୀ ଉତ୍‌ଥାପନ କରିଥିଲେ। ଏହା ଉପରେ ବିଚାର କରି ମାନବାଧିକାର ଆୟୋଗ ଦୁଇ ମୁଖ୍ୟ ସଚିବ ‌ସମେତ ୫ ଜିଲ୍ଲାପାଳଙ୍କୁ ୬ ସପ୍ତାହ ମଧ୍ୟରେ ଉତ୍ତର ରଖିବା ପାଇଁ ନୋଟିସ୍ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe