Image Courtesy of The New Indian Express
କଟକ : ବିଭିନ୍ନ ସରକାରୀ ଡାକ୍ତରଖାନାରେ ସ୍ପେସାଲିଷ୍ଟ୍ ଓ ସିନିୟର ରେସିଡେଣ୍ଟ୍ ଭାବେ କାର୍ଯ୍ୟ କରୁଥିବା ୧୮ ଜଣ ଡାକ୍ତରଙ୍କ ସାର୍ଟିଫିକେଟ୍ ଫେରସ୍ତ ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ସୁବ୍ରତ ପ୍ରଧାନ ଓ ଅନ୍ୟ ୧୭ ଜଣ ଡାକ୍ତରଙ୍କ ଏ ସଂପର୍କିତ ଆବେଦନର ଶୁଣାଣି କରି ଏହି ପ୍ରସଂଗରେ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ସ୍ପେସାଲିଷ୍ଟ ଓ ସିନିୟର୍ ରେସିଡେଣ୍ଟ୍ ଭାବେ କାର୍ଯ୍ୟ କରୁଥିବା ଏହି ଡାକ୍ତରମାନଙ୍କୁ ସେମାନଙ୍କ ସ୍ନାତକୋତ୍ତର (ପିଜି) ପାସ୍ ସାର୍ଟିଫିକେଟ ସହିତ ଅନ୍ୟାନ୍ୟ ସାର୍ଟିଫିକେଟ ଫେରାଇବା ପ୍ରସଂଗ ନେଇ ଏହି ମାମଲା ଦାୟର ହୋଇଛି। ଆବେଦନରେ ଦର୍ଶାଯାଇଛି ଯେ ଏମଡି/ଏମସ୍/ଡିପ୍ଲୋମା ଓ ଏମଡିଏସ୍ ସ୍ନାତକୋତ୍ତର ପାଠ୍ୟକ୍ରମ (ପିଜି ମେଡିକାଲ କୋର୍ସ)ରେ ନାମଲେଖା ପାଇଁ ୨୦୧୮ରେ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷାରେ ଆବେଦନକାରୀ ସଫଳତା ହାସଲ କରିଥିଲେ। ଏହାପରେ ଆବେଦନକାରୀଙ୍କୁ ପିଜି ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ସୁଯୋଗ ମିଳିଥିଲା। ଆବେଦନକାରୀମାନେ ବିଭିନ୍ନ ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରି ୨୦୨୧ ମେ’ରେ ଚୂଡ଼ାନ୍ତ ପରୀକ୍ଷା ଦେଇଥିଲେ। ପରୀକ୍ଷାଫଳ ଗତ ଜୁନ୍ ମାସରେ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ଆବେଦନକାରୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ ଘୋଷଣା କରାଯାଇଥିଲେ ମଧ୍ୟ ସେମାନଙ୍କୁ ପ୍ରୋଭିଜିନାଲ୍ ପାସ୍ ସାର୍ଟିଫିକେଟ, ମାର୍କସିଟ୍ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୭, ଫେବ୍ରୁଆରି ୩ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ ହେବା ପରେ ଦୁଇ ବର୍ଷ ପାଇଁ ସରକାରଙ୍କ ଅଧୀନରେ କାମ କରିବା ଲାଗି ଡାକ୍ତର ବଣ୍ଡ୍ ସ୍ବାକ୍ଷର କରିବେ। ଆବେଦନକାରୀ ସ୍ବାକ୍ଷର କରିଥିବା ଏପରି ବଣ୍ଡ୍ ଅନୁସାରେ ଏବେ ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି। ଆବେଦନକାରୀଙ୍କ ସ୍ନାତକୋତ୍ତର ପାସ୍ ସାର୍ଟିଫିକେଟ ଓ ମାର୍କସିଟ୍, ପାଠ୍ୟକ୍ରମରେ ନାମଲେଖା ବେଳେ ଦାଖଲ କରାଯାଇଥିବା ମାଟ୍ରିକ୍ ଓ ଅନ୍ୟାନ୍ୟ ସାର୍ଟିଫିକେଟ ଫେରାଇବାକୁ ଏସ୍ସିବି ଓ ଏମ୍କେସିଜି ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଜିତ ମିଶ୍ର ମାମଲା ପରିଚାଳନା କରୁଛନ୍ତି।
Follow Us