ନବ ଦାସ ହତ୍ୟାକାଣ୍ଡକୁ ୪ ଦିନ ପୂରି‌ଲା, ହତ୍ୟାର କାରଣ ସଂପର୍କରେ ମୁହଁ ଖୋଲୁନି ଗୋପାଳ

Advertisment
ନବ ଦାସ ହତ୍ୟାକାଣ୍ଡକୁ ୪ ଦିନ ପୂରି‌ଲା, ହତ୍ୟାର କାରଣ ସଂପର୍କରେ ମୁହଁ ଖୋଲୁନି ଗୋପାଳ

The News Insight

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୪ ଦିନ ପୂରି ଯାଇଛି। ନବଙ୍କ ଛାତିରେ ଗୁଳି ମାରିଥିବା ଗାନ୍ଧୀଛକ ଫାଣ୍ଡିର ଏଏସ୍‌ଆଇ ଗୋପାଳ ଦାସକୁ ବୁଧବାର କ୍ରାଇମବ୍ରାଞ୍ଚ ୪ ଦିନଆ ରିମାଣ୍ଡରେ ନେଇଛି। ମଙ୍ଗଳବାର କ୍ରାଇମ ବ୍ରାଞ୍ଚ ୧୦ ଦିନ ପାଇଁ ଜେଏମ୍‌ଏଫ୍‌ସି କୋର୍ଟରେ ରିମାଣ୍ଡ ଆବେଦନ କରିଥିଲେ। ତେବେ ଜେଏମ୍‌ଏଫ୍‌ସି ୪ ଦିନ ରିମାଣ୍ଡ ମଞ୍ଜୁର କରିଥିଲେ।

ରିମାଣ୍ଡ ମଞ୍ଜୁର ହେବା ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ଆଜି ଦିନ ୧୧ ଟାରେ କୋର୍ଟ ପରିସରରୁ ବ୍ୟାପକ ପୁଲିସ ଫୋର୍ସ ସହିତ କଡ଼ା ସୁରକ୍ଷାରେ ଅଭିଯୁକ୍ତ ଗୋପାଳର ମୁହଁରେ କପଡ଼ା ‌ଘୋଡ଼ାଇ ଝାରସୁଗୁଡ଼ା ଓଏସ୍‌ଏପି ଦ୍ବିତୀୟ ବାଟାଲିୟନକୁ ନେଇଥିଲେ। ଆଗରେ ଓ ପଛରେ ଦୁଇଟି ପୁଲିସ ଭ୍ୟାନ୍‌ ସହିତ ଅଭିଯୁକ୍ତକୁ ଓଏସ୍‌ଏପି ପରିସରରେ ଥିବା ଏକ କୋଠରିରେ ରଖା ଯାଇଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଡାକ୍ତର ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ବଛା ବଛା ଅଫିସର୍‌ମାନେ ଅପରାହ୍ଣ ୨ଟା ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଗୋପାଳକୁ  ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଥିଲେ। ମଧ୍ୟାହ୍ନ ଭୋଜନ ପରେ ପୁଣି ଜେରା ଆରମ୍ଭ ହୋଇଥିଲା। ଗୋପାଳ ହତ୍ୟା କରିଥିବା ସ୍ବୀକାର କରୁଥିଲେ ମଧ୍ୟ ହତ୍ୟା ପଛର କାରଣ ସଂପର୍କରେ କ୍ରାଇମବ୍ରାଞ୍ଚ ଅଧିକାରୀମାନଙ୍କ ପ୍ରଶ୍ନକୁ ଚତୁରତାର ସହିତ ଏଡ଼ାଇ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।

ବ୍ୟାପକ ସୁରକ୍ଷା ମଧ୍ୟରେ କ୍ରାଇମ୍‌ ବ୍ରାଞ୍ଚର ଜେରା
ସ୍ବାଭାବିକ ରହୁଛି ଅଭିଯୁକ୍ତର ବ୍ୟବହାର
ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁଳି ମିଳୁନି

ରାଜ୍ୟ ମନ୍ତ୍ରିମଣ୍ଡଳର ଏତେ ବଡ଼ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ସର୍ବସାଧାରଣରେ ହତ୍ୟା କରିଥିବା ଗୋପାଳ ମନରେ ତିଳେ ମଧ୍ୟ ଅନୁଶୋଚନା ଥିବା ଜଣାପଡ଼ୁନାହିଁ ବୋଲି କହାଯାଉଛି। ଗୋପାଳକୁ ଗିରଫ କରି ୩୦ ତାରିଖ କୋର୍ଟ ଚାଲାଣ ପରେ ଝାରସୁଗୁଡ଼ା ଉପକାରାଗାରେ ଆଜି ସକାଳ ପର୍ଯ୍ୟନ୍ତ ରଖା ଯାଇଥିଲା। ଜେଲରେ ଥିବା ସମୟରେ  ଗୋପାଳର ବ୍ୟବହାର ସଂପୂର୍ଣ୍ଣ ସ୍ବାଭାବିକ ଥିବା ବେଳେ ହତ୍ୟାଭଳି ଏକ ଜଘନ୍ୟ କାଣ୍ଡ ଭିଆଇ ମଧ୍ୟ ତା’ ମନରେ ଆଦୌ ପଶ୍ଚାତାପ ଥିଲା ଭଳି ଜଣାପଡ଼ୁ ନଥିବା କିଛି ଜେଲ କର୍ମଚାରୀଙ୍କ ଠାରୁ ଜଣାଯାଇଛି। ଜେଲରେ ସେ ଖୁସି ମନରେ ଖାଇଥିବା ଜଣାଯାଇଛି। କ୍ରାଇମବ୍ରାଞ୍ଚ ଏହି ମାମଲାକୁ ଅତି ଗୁରୁତ୍ବ ଦେଇ ତଦନ୍ତ ଆରମ୍ଭ କରିଛି। ତଦନ୍ତ କରୁଥିବା ତିନାଟି କମିଟିର ଅଫିସର୍‌ ମାନଙ୍କ ମଧ୍ୟରେ ଏକାଧିକ ସବ୍‌କମିଟି ଗଠନ କରାଯାଇଛି।

ଏହି କମିଟିର ସଦସ୍ୟମାନେ ବିକ୍ଷିପ୍ତ ଭାବରେ ବିଭିନ୍ନ ସ୍ଥାନରେ ତଥ୍ୟ ସଂଗ୍ରହ କରୁଥିବା ଜଣାଯାଇଛି। ଆଜି ଏହି ଅଧିକାରୀମାନେ ଶତାଧିକ ଲୋକଙ୍କୁ ଜେରା କରିଥିବା ଜଣାଯାଇଛି। ଘଟଣା ଦିନ ମନ୍ତ୍ରୀ ଯେଉଁ ଇନୋଭା (ଓଡି ୧୫ୟୁ ୬୧୯୭)ରେ ଥିଲେ ସେହି କାର ଓ ପଛକୁ ଲାଗି ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଆଉ ଏକ କାର୍‌ (ଓଡି ୧୫ ଟି ୦୧୮୩)କୁ ବଡ଼ମାଲ ଥାନା ପରିସରରେ କ୍ରାଇମବ୍ରଞ୍ଚ ପକ୍ଷରୁ ଗତକାଲି ଓ ଆଜି ଦୁଇ ଦିନ ଧରି ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁଳି ଏପର୍ଯ୍ୟନ୍ତ କୁ କ୍ରାଇମବ୍ରାଞ୍ଚ ପାଇ ପାରି ନଥିବା ଜଣାଯାଇଛି। ଅଭିଯୁକ୍ତ ଗୋପାଳ ଠାରୁ ହତ୍ୟାର କାରଣ ନଜାଣିବା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ଜେରା ଜାରି ରଖିବେ ଓ ହତ୍ୟାକାଣ୍ଡ ଦିନ ସେ ତା’ର ଅଭିଯାନ କିଭଳି ଆରମ୍ଭ କରିଥିଲା। କେମିତି ପ୍ରସ୍ତୁତ ହୋଇଥିଲା କାହା ସହିତ ଘଟଣା ସ୍ଥଳକୁ ଯାଇଥିଲା। ସେଠାକୁ ବାଇକରେ ଯାଇ ବାଇକ ପାର୍କ କରିବା ପରେ ହତ୍ୟାପାଇଁ କେମିତି ଯୋଜନା ରଚିଥିଲା ତା’ର ସିନ୍‌ ରିକ୍ରିଏସନ କରିବା ସହିତ ଏହାର ଭିଡିଓ ଉତ୍ତୋଳନ କରାଯିବ ବୋଲି ଜଣାଯାଇଛି। ତେବେ ତଦନ୍ତରେ କ’ଣ ସଫଳତା ମିଳିଛି ହତ୍ୟା କାରଣ ସଂପର୍କରେ ଗୋପାଳ କାହିଁକି ମୁହଁ ଖୋଲୁନି ସେ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe