୭ ବର୍ଷ ହେଲା ୧୨ ମାଓପ୍ରବଣ ଅଞ୍ଚଳରେ ରାସ୍ତା ନିର୍ମାଣ ବନ୍ଦ: ବର୍ଷା ଦିନରେ ଦୁର୍ଦ୍ଦଶା ଭୋଗୁଛନ୍ତି ବନବାସୀ

୭ ବର୍ଷ ହେଲା ୧୨ ମାଓପ୍ରବଣ ଅଞ୍ଚଳରେ ରାସ୍ତା ନିର୍ମାଣ ବନ୍ଦ: ବର୍ଷା ଦିନରେ ଦୁର୍ଦ୍ଦଶା ଭୋଗୁଛନ୍ତି ବନବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଅଭୟାରଣ୍ୟବାସୀଙ୍କ ଗମନାଗମନ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧୨ଟି ରାସ୍ତାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ଗତ ୭ ବର୍ଷ ହେବ ଏସବୁ ରାସ୍ତାକାମ ବନ୍ଦ ହୋଇଯାଇଛି। ଫଳରେ ବନବାସୀମାନେ ବର୍ଷା ଦିନରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି। ସୂଚନା ଅନୁସାରେ, ୨୦୧୭ରେ ବାଟିବାହାଲରୁ ସୁନାବେଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ସେହିପରି ଚେରେଚୁଆଁରୁ କାଙ୍କେରମେଞ୍ଜ, ଚେରେଚୁଆଁରୁ କାଙ୍କେରମେଞ୍ଜ, କୋଟ୍ରାବେଡ଼ାରୁ ଦେଓସିଲ, ସୁନାବେଡ଼ାରୁ ଗାତିବେଡ଼ା, ସୁନାବେଡ଼ାରୁ ଜାମଗାଁ, ସୁନାବେଡ଼ା- ସୋ‌ସେଙ୍ଗ, କାଙ୍କେରମେଞ୍ଜ- କେରମେଲି- ପେଠିଆପାଲି ଓ ଗୋଳାବନ୍ଧ ରାସ୍ତା, ଗାତିବେଡ଼ାରୁ ଢେକୁନପାଣି, ସୋସେଙ୍ଗରୁ ଗୁଣ୍ଟ୍ରିପାଣି, ସୋସେଙ୍ଗରୁ ରୁପିଆଲ, କେଛପଖାନରୁ ଶିବନାରାୟପୁର, ସୁନାବେଡ଼ାରୁ ଜୁନାପାଣି, କୋଟ୍ରାବେଡ଼ାରୁ କେଛପଖାନ ରାସ୍ତା, ଜୁନାପାଣିରୁ ସନବାହାଲି, ପଣ୍ଟ୍ରପାଣି ରାସ୍ତା, ଟିକ୍ରାପଡ଼ାରୁ ସନ୍ତୋଷପଡ଼ା ରାସ୍ତା କାମ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଆରମ୍ଭ ହୋଇଥିଲା। ତେବେ ସୁନାବେଡ଼ା ଅଭୟାରଣ୍ୟରେ ବନ ବିଭାଗ ଅନୁମତି ଦେଇନଥିବାରୁ ଏହି ରାସ୍ତା କାମ ୭ ବର୍ଷ ହେବ ବନ୍ଦ ହୋଇଯାଇଛି। ତେବେ ବର୍ତ୍ତମାନ ରାଜ୍ୟ ସରକାର ପକ୍ଷରୁ ସୁନାବେଡ଼ା ଅଭୟାରଣ୍ୟରେ ୨ଟି ରାସ୍ତା ନିର୍ମାଣ କରିବାକୁ ଅନୁମତି ମିଳିଛି। ବାକି ୧୦ଟି ରାସ୍ତା କାମ ଗତ ୭ ବର୍ଷ ହେବ ବନ୍ଦ ହୋଇଯାଇଛି। ରାସ୍ତା ନଥିବାରୁ ବନବାସୀ ପ୍ରତିଦିନ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ କଷ୍ଟରେ ବାଇକ୍‌ଟିଏ ଯାଇ ପାରୁଛି। ତେବେ ବର୍ଷା ୩ ମାସ ରାସ୍ତାରେ ପାଣି ଜମି ରାସ୍ତା କାଦୁଅ ହୋଇଯିବାରୁ ଯାତାୟାତ ସମ୍ଭବ ହୋଇପାରୁ ନାହିଁ। ସରକାରଙ୍କଠାରେ ବାରମ୍ବାର ଗୁହାରି କରି ବନବାସୀମାନେ ନିରାଶ ହୋଇପଡ଼ିଛନ୍ତି। ଏ ବାବଦରେ ନୂଆପଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିବାରୁ ସେ ଫୋନ୍‌ ଉଠାଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe