୨ ବର୍ଷ ହେଲା ଦିଆଯାଉନି ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’: ସମ୍ମାନ ପ୍ରଦାନରେ ବାରମ୍ବାର ବିଭ୍ରାଟ

Advertisment

ବରପୁତ୍ରଙ୍କ ନାମରେ ନାମିତ ସମ୍ମାନ ପ୍ରତି ବି ବିଭାଗ ବେପରୱା, ୨୦୨୦ରେ କଟକର ଏକ ଅନୁଷ୍ଠାନକୁ ସମ୍ମାନ ପ୍ରଦାନ ପାଇଁ ସୁପାରିସ୍

ବରପୁତ୍ରଙ୍କ ନାମରେ ନାମିତ ସମ୍ମାନ ପ୍ରତି ବି ବିଭାଗ ବେପରୱା, ୨୦୨୦ରେ କଟକର ଏକ ଅନୁଷ୍ଠାନକୁ ସମ୍ମାନ ପ୍ରଦାନ ପାଇଁ ସୁପାରିସ୍

୨ ବର୍ଷ ହେଲା ଦିଆଯାଉନି ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’: ସମ୍ମାନ ପ୍ରଦାନରେ ବାରମ୍ବାର ବିଭ୍ରାଟ

The News Insight

ଭୁବନେଶ୍ବର: ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଛି ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ତଥା ବିକାଶ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ବ୍ୟକ୍ତି ବା ଅନୁଷ୍ଠାନମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସ୍ବୀକୃତି ଜଣାଇବା ଉଦ୍ଦେଶ୍ୟରେ ୨୦୧୮ରେ ଆରମ୍ଭ ହେଲା ଏହି ଭାଷା ସମ୍ମାନ। ପ୍ରଥମ ଦୁଇ ବର୍ଷ ଯଥାରୀତି ପୁରସ୍କାର ପ୍ରଦାନ କରାଗଲା। ତାହା ପରେ ବାହାରିଲା ସଂସ୍କୃତି ବିଭାଗର ପୁରୁଣା ରୋଗ। ବିଭିନ୍ନ ଏକାଡେମିର ସମ୍ମାନ ପରି ଏହି ସମ୍ମାନ ପ୍ରଦାନ ବି ନିୟମିତ ଓ ଶୃଙ୍ଖଳିତ ହୋଇପାରିଲା ନାହିଁ। ଏ ଜାତିର ବରପୁତ୍ରଙ୍କ ନାମରେ ନାମିତ ଏକ ମର୍ଯ୍ୟାଦାଜନକ ସମ୍ମାନ ପ୍ରତି ବିଭାଗର ଏପରି ବେପରୱା ଆଭିମୁଖ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ଓଡ଼ିଆ ଭାଷା, ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ବ୍ୟକ୍ତିବିଶେଷଙ୍କୁ ‘ଓଡ଼ିଶା ସାହିତ୍ୟ ଏକାଡେମି’ ପକ୍ଷରୁ ପ୍ରତିବର୍ଷ ପୁରସ୍କୃତ କରାଯାଉଛି। ବ୍ୟାସକବିଙ୍କୁ ସମ୍ମାନ ଜଣାଇ ତାଙ୍କ ନାମରେ ଏକ ସମ୍ମାନ ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ ୨୦୧୮ ମସିହାରୁ ବିଭାଗ ପକ୍ଷରୁ ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’ ଦିଆଯିବାର ନିଷ୍ପତ୍ତି ହେଲା। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାରର ଘୋଷଣା କଲେ। ଆଉ ଏହା ସଂସ୍କୃତି ବିଭାଗ ପକ୍ଷରୁ ସିଧାସଳଖ ଦିଆଯାଉଥିବା ଏକମାତ୍ର ପୁରସ୍କାର ଭାବେ ନିଜ ଅସ୍ତିତ୍ବ ଜାହିର କଲା। ପୁରସ୍କାର ପାଇଁ ୧ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ମଧ୍ୟ ଘୋଷଣା ହେଲା। ୨୦୧୮ ମସିହା ପାଇଁ ପ୍ରଥମ ଅନୁଷ୍ଠାନ ଭାବେ ବାଲେଶ୍ବରର ‘ଫକୀର ମୋହନ ସାହିତ୍ୟ ପରିଷଦ’ ଏହି ପୁରସ୍କାର ଗ୍ରହଣ କଲା। ଫକୀର ମୋହନଙ୍କ ଜୟନ୍ତୀ ଅବସରରେ ଜାନୁଆରି ୧୪ ତାରିଖ ୨୦୧୯ ମସିହାରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆରମ୍ଭ ହେବା ସହ ଓଡ଼ିଆ ଜାତି ବ୍ୟାସକବିଙ୍କୁ ଏକ ନିଆରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା। ଏହାର ଠିକ୍‌ ବର୍ଷେ ପରେ ବ୍ୟାସକବିଙ୍କ ଜୟନ୍ତୀ ଅବସରରେ କଟକର ସାରସ୍ବତ ଅନୁଷ୍ଠାନ ‘ସାରଳା ସାହିତ୍ୟ ସଂସଦ’କୁ ୨୦୧୯ ମସିହା ପାଇଁ ଏହି ସମ୍ମାନରେ ଭୂଷିତ କରାଗଲା।
ଏହା ପରେ ଅଟକିଗଲା ପୁରସ୍କାର ପ୍ରଦାନ। ୨୦୨୦ ଓ ୨୦୨୧ ପାଇଁ ଏହି ପୁରସ୍କାର ଦିଆଯାଇ ନାହିଁ। କେବେ କରୋନା ଆଳ ତ କେବେ ଚୟନ କମିଟି‌ରେ ମତପାର୍ଥକ୍ୟ ଆଳ। ପୁଣି କେବେ କମିଟିର ସୁପାରିସ୍‌କୁ ସରକାରଙ୍କ ଅଗ୍ରାହ୍ୟ। ଏମିତି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଅନ୍ୟ ପୁରସ୍କାର ପରି ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନରେ ବି ବିଭ୍ରାଟ ଓ ଅବ୍ୟବସ୍ଥା ଆରମ୍ଭ ହୋଇଗଲା। ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ବର୍ଷ ପୁରସ୍କାର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୦ ଡିସେମ୍ବର ମାସରେ ମନୋନୟନ ଆହ୍ବାନ କରି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ପାଖାପାଖି ଦେଢ଼ ବର୍ଷ ବିତିବାକୁ ବସିଥିବା ବେଳେ ଏଯାଏ ସମ୍ମାନ ପାଇଁ ନାମ ଘୋଷଣା ବି ହୋଇପାରିଲା ନାହିଁ। ୨୦୨୦ ପୁରସ୍କାର ପ୍ରଦାନ କରାଯାଇ ନ ଥିବାରୁ ୨୦୨୧ ପାଇଁ ଆଉ ବିଜ୍ଞପ୍ତି ଜାରି ହୋଇନାହିଁ।

‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ-୨୦୨୦’ ପାଇଁ ସଂସ୍କୃତି ନିର୍ଦ୍ଦେଶକଙ୍କ ଆବାହକତ୍ବରେ ସାରସ୍ବତ ଜଗତର ଚାରି ଜଣ ବ୍ୟକ୍ତିଙ୍କୁ ନେଇ ଏକ ଚୟନ କମିଟି ଗଠନ କରାଯାଇଥିଲା। ଏହି କମିଟି ପକ୍ଷରୁ ଉକ୍ତ ପୁରସ୍କାର ପାଇଁ ଦୁଇ ଜଣଙ୍କ ନାମ ଯୁଗ୍ମ ଭାବେ ସୁପାରିସ କରାଯାଇଥିଲା। କିନ୍ତୁ ସଂସ୍କୃତି ମନ୍ତ୍ରୀ ଏହାକୁ ଗ୍ରହଣ ନ କରି ଫାଇଲ୍‌ ଫେରାଇ ଦେଇଥିଲେ ଓ ଜଣଙ୍କ ନାମ ମନୋନୀତ କରିବାକୁ କମିଟିକୁ କହିଥିଲେ। ଏହାରି ଭିତରେ ଚୟନ କମିଟିର ଜଣେ ସଦସ୍ୟଙ୍କ ପରଲୋକ ଘଟିଲା। ଏହା ପରେ ପ୍ରକ୍ରିୟା ପୁଣି ଅଟକିଗଲା। ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବିଭାଗ ସ୍ତରରେ ଆଗ୍ରହ ପ୍ରକାଶ ପାଇଲା ନାହିଁ କି ଫାଇଲ ଫେରାଇଲା ପରେ ମନ୍ତ୍ରୀ ଆଉ ତନାଘନା କଲେ ନାହିଁ।
କିଛି ଦିନ ତଳେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ବୈଠକ ପୁଣି ଥରେ ବସିଥିଲା। ପୂର୍ବରୁ ସୁପାରିସ ହୋଇଥିବା ଦୁଇ ଜଣଙ୍କ ନାମକୁ କମିଟି ଖାରଜ କରିଦେଲା। ଏଥିରେ କଟକର ଏକ ପୁରାତନ ସାରସ୍ବତ ଅନୁଷ୍ଠାନକୁ ‘ତୃତୀୟ ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ-୨୦୨୦’ ପ୍ରଦାନ କରିବାକୁ ସୁପାରିସ୍ କରାଯାଇଛି। ଏହାକୁ ମଧ୍ୟ ସରକାର ଗ୍ରହଣ କରିନେଇଥିବା ସୂଚନା ମିଳିଛି। କିନ୍ତୁ ଏହି ନାମ କେବେ ଘୋଷଣା କରାଯିବ ଓ ସମ୍ମାନ କେବେ ପ୍ରଦାନ କରାଯିବ, ତାହା ଏ ଯାଏ ସ୍ଥିର କରାଯାଇ ନାହିଁ।

ସଂସ୍କୃତି ବିଭାଗ ପକ୍ଷରୁ ପୁରସ୍କାର ପ୍ରଦାନ କରିବା‌ରେ କାହିଁକି ବାରମ୍ବାର ବିଭ୍ରାଟ ହେଉଛି, ତାହା ବୁଝାପଡ଼ୁ ନାହିଁ। ପ୍ରଶ୍ନ ଉଠୁଛି, ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ ପ୍ରଦାନ ପାଇଁ ଏକ କ୍ୟାଲେଣ୍ଡର ତାରିଖ ନିର୍ଦ୍ଧାରଣ ହୋଇଥିଲେ ସୁଦ୍ଧା କାହା ଭୁଲ୍‌ ପାଇଁ ଏଥିରେ ବ୍ୟତିକ୍ରମ ଘଟିଲା? ବିଭାଗକୁ ପୁରସ୍କାର ପାଇଁ କୃତୀ ସନ୍ତାନ ଓ ଅନୁଷ୍ଠାନ ମିଳୁ ନାହାନ୍ତି ନା ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି? ପୁରସ୍କାର ପ୍ରଦାନରେ ବାରମ୍ବାର ବିଭ୍ରାଟ ହେଉଥିଲେ ବି ବିଭାଗ ତାହାକୁ ବ୍ୟବସ୍ଥିତ କରିବାକୁ ଆନ୍ତରିକତା ପ୍ରକାଶ ନ କରିବା ବୁଦ୍ଧିଜୀବୀ ତଥା ସାରସ୍ବତ ବ୍ୟକ୍ତିମାନଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe