The Business Standard
ଭୁବନେଶ୍ବର: ଓଡ଼ିଶାରେ ଆଗକୁ ବଢ଼ିପାରୁନି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୮ ତାରିଖରେ ମାଲକାନଗିରି ଛୁଇଁବା ପରେ ଆଉ ଅଗ୍ରସର ହେଉ ନାହିଁ। ତିନି ଦିନ ହେଲା ମୌସୁମୀ ଉଭାନ ହୋଇଯାଇଥିବା ବେଳେ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଲାଗିରହିଛି। ଆଜି ଦିନରେ ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୪୩.୫, ବୌଦ୍ଧରେ ୪୩.୨, ଝାରସୁଗୁଡ଼ାରେ ୪୨.୬ ଡିଗ୍ରି ରହିଥିଲା। ବାଲେଶ୍ବର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, ଗଞ୍ଜାମ, ଗଜପତି, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ବଲାଙ୍ଗୀର ଓ ସମ୍ବଲପୁରରେ ଉଷ୍ମ ରାତି ରହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ପୁଣିଥରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ନାହିଁ। ବରଂ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୨ରୁ ୧୫ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ୩୬ରୁ ୩୮ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ରୁ ୪୫ ଡିଗ୍ରି ମଧ୍ୟରେ ରହିବ। ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ଫରକ ଦେଖିବାକୁ ମିଳିବ ନାହିଁ। ଉପକୂଳ ଓଡ଼ିଶାରେ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ବୌଦ୍ଧ, ସୋନପୁର, ବଲାଙ୍ଗୀର, ସମ୍ବଲପୁର ଓ ନୂଆପଡ଼ାରେ ବୁଧବାର ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ରାତ୍ରି ରହିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ବେଳେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଜିଲ୍ଲାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ୧୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର ଓ ବରଗଡ଼ରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗିରହିବ। ୧୫ ତାରିଖରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କଟକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହୋଇପାରେ। ତେବେ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
Follow Us