ଲାଗିଗଲା ୬୦ବର୍ଷରୁ ଅଧିକ ସମୟ: ଲଣ୍ଡାପାହାଡ଼ ଏବେ ସବୁଜବନାନୀ

Advertisment
ଲାଗିଗଲା ୬୦ବର୍ଷରୁ ଅଧିକ ସମୟ: ଲଣ୍ଡାପାହାଡ଼ ଏବେ ସବୁଜବନାନୀ

ମଳୟ ରଞ୍ଜନ ସାହୁ
ରାଉରକେଲା: ଇସ୍ପାତସହରର ସୁରକ୍ଷା ପାଚେରି ଦୁର୍ଗାପୁର ସଂରକ୍ଷିତ ପାହାଡ଼। ଲଣ୍ଡାପାହାଡ଼ ନାମରେ ପରିଚିତ ଏହି ପାହାଡ଼ ଏବେ ଜଙ୍ଗଲରେ ଭରୂପର। ରାଉରକେଲା ବନଖଣ୍ଡ କର୍ମଚାରୀ, ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ, ରାଉରକେଲା ଇସ୍ପାତ କାରଖାନା ଓ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ଉଦ୍ୟମ ଯୋଗୁ ଏହା ନୂଆରୂପ ନେଇଛି। ତେବେ ବ‌ର୍ଷେ କି ଦି’ବର୍ଷ ନୁହେଁ, ଲଣ୍ଡା ପାହାଡ଼କୁ ସବୁଜିମା ୬୦ରୁ ଅଧିକ ବର୍ଷ ଲାଗିଛି। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ପୂର୍ବରୁ ଦୁର୍ଗାପୁର ପାହାଡ଼ ପାଦଦେଶରେ ‘ଦୁର୍ଗାପୁର’ ନାଁରେ ଛୋଟିଆ ଗାଁ ଥିଲା। ଏହି ଗାଁର ନାଁ ଅନୁସାରେ ପାହାଡ଼ ନାଁ ଥିଲା ଦୁର୍ଗାପୁର। ଛେଣ୍ଡକଲୋନି କଳିଙ୍ଗବିହାରରୁ ସେକ୍ଟର-୨୧ ନୟାବଜାର ଏନ୍‌ଟିପିସି ପର୍ଯ୍ୟନ୍ତ ଲମ୍ବିଛି। ସହରର ମଧ୍ୟଦେଇ ଯାଇଥିବା ପାହାଡ଼ର କ୍ଷେତ୍ରଫଳ ହେଉଛି ୪୩୦ ହେକ୍ଟର। ଇସ୍ପାତ କାରଖାନା ପ୍ରତିଷ୍ଠା ପରେ ଯାତାୟାତର ପ୍ରତିବନ୍ଧକ ସାଜିଥିବା ପାହାଡ଼କୁ ଚିରି ରାସ୍ତା ତିଆରି ହୋଇଛି। ପରବର୍ତ୍ତୀ ସମୟରେ ଛେଣ୍ଡକଲୋନି ଓ ସେକ୍ଟର-୨୧ ପାହାଡ଼କୁ ଚିରି ରିଂ’ରୋଡ୍‌ ନିର୍ମାଣ ହୋଇଛି। ସେତେବେଳେ ଲଣ୍ଡାପାହାଡ଼କୁ ସବୁଜିମା କରିବା ରାଉରକେଲା ବନବିଭାଗ ଓ ଆର୍‌ଏସ୍‌ପି ନିକଟରେ ବଡ଼ ଆହ୍ବାନ ଥିଲା। ପ୍ରତିବର୍ଷ ହଜାରହଜାର ଚାରା ଲାଗୁଥିଲା ସତ, ମାତ୍ର ଗଛଗୁଡ଼ିକୁ ବଞ୍ଚାଇବା କଷ୍ଟକର ଥିଲା। ସେତିକି ଗଛ ଲାଗୁଥିବା ତା’ର ୭୦ ପ୍ରତିଶତ ପାହାଡ଼ ତାତିରେ ଶିଝି ମରିଯାଉଥିଲା। ପାହାଡ଼ ପାଦଦେଶରେ ଲାଗିଥିବା ଗଛଗୁଡ଼ିକ ବଢ଼ିବା ପରେ ସେଗୁଡ଼ିକୁ ବସ୍ତିବାସିନ୍ଦା କାଟି ବି ନେଉଥିଲେ। ଫଳରେ କେମିତି ଲଣ୍ଡାପାହାଡ଼କୁ ସବୁଜିମା କରାଯିବ, ତାକୁ ନେଇ ଚିନ୍ତାରେ ରହିଥିଲେ ଉଭୟ ଆର୍‌ଏସ୍‌ପି ଓ ରାଉରକେଲା ବନବିଭାଗ।

ଏହାପରେ ପାହାଡ଼ ଚତୁଃପାର୍ଶ୍ବରେ ଗଢ଼ି ଉଠିଥିବା ବସ୍ତିର କିଛି ବୁଦ୍ଧିଜୀବୀଙ୍କୁ ଉଭୟ ଆର୍‌ଏସ୍‌ପି ଓ ବନବିଭାଗ ଅଧିକାରୀ ଏକାଠି କରିଥିଲେ। ସବୁଜ ପାହାଡ଼ ସୃଷ୍ଟି କରିବାକୁ ସଂକଳ୍ପ ନେଇଥିଲେ। ପ୍ରତିବର୍ଷ ବନମହୋତ୍ସବରେ ଆର୍‌ଏସ୍‌ପିର ଉଦ୍ୟାନବିଭାଗ ଯେତିକି ଚାରା ଲଗାଉଥିଲା, ତା’ର ୫ ଗୁଣା ଅଧିକ ଚାରାରୋପଣ କରିବା ଆରମ୍ଭ କରିଥିଲା ରାଉରକେଲା ବନବିଭାଗ। ଗଛଗୁଡ଼ିକର ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦେବାସହ ବସ୍ତିବାସିନ୍ଦାଙ୍କୁ ମାସମାସ ଧରି ବୁଝାଯାଇଥିଲା। ବନସୁରକ୍ଷା କର୍ମୀ ଓ ସ୍ଥାନୀୟବସ୍ତିର କିଛି ସାମାଜିକ ଅନୁଷ୍ଠାନ ମଧ୍ୟ ଗଛସୁରକ୍ଷାରେ ସାମିଲ ହୋଇଥିଲେ। ଆଜିପର୍ଯ୍ୟନ୍ତ ଦୁର୍ଗାପୁର ପାହାଡ଼ରେ ପ୍ରାୟ ୧୫ ଲକ୍ଷରୁ ଅଧିକ ବିଭିନ୍ନ ପ୍ରକାର ଗଛ ଲଗାଇବାରେ ବି ସକ୍ଷମ ହୋଇଥିଲେ। ଫଳସ୍ବରୂପ ଇସ୍ପାତସହରର ଲଣ୍ଡାପାହାଡ଼କୁ ଏବେ ଯିଏ ଦେଖୁଛି, ସେ ସାବାସି ଦେବାକୁ ପଛାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe