ଯୁବତୀଙ୍କୁ ଲିଫ୍ଟ ଦେବା ମହଙ୍ଗା ପଡ଼ିଲା, ଗୋଡ଼ଧରି କ୍ଷମା ମାଗିଲେ ଯୁବକ

Advertisment
ଯୁବତୀଙ୍କୁ ଲିଫ୍ଟ ଦେବା ମହଙ୍ଗା ପଡ଼ିଲା, ଗୋଡ଼ଧରି କ୍ଷମା ମାଗିଲେ ଯୁବକ

Freepik

ଜମନକିରା: ଜମନକିରା ବ୍ଲକ୍ ଏକ ନିର୍ଦ୍ଦିଷ୍ଟ ପଂଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ (ଜିଆରଏସ) ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ମହଙ୍ଗା ପଡ଼ିଛି। ଉକ୍ତ ଯୁବତୀଙ୍କୁ ଗୋଡ଼ ଧରି କ୍ଷମା ମାଗିବା ପରେ ଯୁବତୀ ନିଜ ଅଭିଯୋଗକୁ ଫେରାଇ ନେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୋମବାର ରାତିରେ କୌଣସି କାମରେ ଜିଆର୍‌ଏସ ଯାଉଥିବା ବେଳେ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ଜଣେ ପ୍ରାପ୍ତ ବୟସ୍କା ଯୁବତୀ ଅଟକାଇ ଲିଫ୍ଟ ମାଗିଥିଲେ। ଜିଆର୍‌ଏସ୍‌ ମଧ୍ୟ ମନା ନ କରି ଲିଫ୍ଟ ଦେଇଥିଲେ। ଅଧା ରାସ୍ତା ଯିବା ପରେ ଉକ୍ତ ଯୁବତୀଙ୍କୁ ମୋର ସଠିକ୍ ପରିଚୟ କିଛି ନ ଜାଣି କାହିଁକି ଲିଫ୍ଟ ମାଗିଲ ବୋଲି ଜିଆର୍‌ଏସ୍‌ ଜଣକ କହିଥିଲେ। ମୁଁ ଯଦି କିଛି ଭୁଲ କରି ବସେ ନିଛାଟିଆ ଜାଗା ପୁଣି କିଟିମିଟି ଅନ୍ଧାର ରାତିରେ ତୁମେ କାହାକୁ କହିବ ବୋଲି କହିଥିବା ଚର୍ଚ୍ଚା ହେଉଛି।

ଏଭଳି କଥା ଶୁଣି ଯୁବତୀ ଅତ୍ୟନ୍ତ ଭୟଭୀତ ହୋଇ ଯିବା ସହ ଜିଆର୍‌ଏସ୍‌ ଚଳାଉ ଥିବା ବାଇକ୍ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଯୁବତୀ ତଳେ ପଡ଼ି ଆହତ ହୋଇଥିଲେ। ତାଙ୍କୁ କିଏ କିଭଳି ଉଦ୍ଧାର କଲେ କିଛି ଜଣା ପଡ଼ି ନାହିଁ। ତାଙ୍କୁ ଆହତ ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରୁ ଏମ୍ଏଲ୍‌ସି ରିପୋର୍ଟ ଆଧାରରେ ଜମନକିରା ପୁଲିସ୍ ଉକ୍ତ ଜିଆର୍‌ଏସ୍‌ଙ୍କୁ ଘରୁ ଧରି ନେଇଥିଲା। ଯୁବତୀ ଓ ଜିଆର୍‌ଏସ୍‌ଙ୍କୁ ପୁଲିସ୍ ପଚରାଉଚରା ପରେ ମାମଲା ଆପୋସ ସମାଧାନ କରାଯାଇଥିଲା। ଜିଆର୍‌ଏସ୍‌ ଜଣକ ଗୋଡ଼ ଧରି କ୍ଷମା ମାଗିବା ପରେ ଯୁବତୀ ନିଜ ଅଭିଯୋଗ ଫେରାଇ ନେଇଛନ୍ତି। ଜମନକିରା ଆଇଆଇସି ପ୍ରେମଜିତ୍ ଦାସଙ୍କୁ ପଚାରିବାରୁ ମାମଲାଟି ଆପୋଷ ସମାଧାନ ହୋଇଯାଇଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe