୩ ଦିନ ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Advertisment
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଓ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଲଘୁଚାପ ଦକ୍ଷିଣ ବାଂଲାଦେଶ ଅଞ୍ଚଳରେ ସ୍ଥିର ରହିଛି। ଯାହା ଫଳରେ ସମୁଦ୍ର ପତ୍ତନ ଠାରୁ ୭ କିମି ଉପରେ ବାତ୍ୟାକ୍ଷେତ୍ର ସୃଷ୍ଟି ହେବା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା କ୍ରମଶଃ ଉତ୍ତର ଓ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ସୁଦ୍ଧା ବାଂଲାଦେଶ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ବଡ଼ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ ରାଜ୍ୟରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ହେବ। ଏଥିପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ୨୧ ତାରିଖରୁ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ସୂଚନା ମିଳିଛି।

ଆଜି ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ତାଳଚେରରେ ସର୍ବାଧିକ ୫୫ ମିମି ବର୍ଷା ହୋଇଥିବା ବେଳେ ରାଉରକେଲାରେ ୩୭.୪, ସୁନ୍ଦରଗଡ଼ରେ ୨୭.୭, ବଲାଙ୍ଗୀରରେ ୨୫.୫, ଅନୁଗୁଳରେ ୨୨, ଭଦ୍ରକରେ ୧୪, ସୋନପୁରରେ ୧୩.୮, ଗୋପାଳପୁରରେ ୧୩.୬, କଟକରେ ୧୨.୨ ଓ ମାଲାକନଗିରିରେ ୧୧.୪ ମିମି ବର୍ଷା ରେକର୍ଡ କରାଯାଇଛି। ୧୦ରୁ ଊର୍ଦ୍ଧ୍ବ ସହରରେ ବର୍ଷା ପରିମାଣ ୧୦ ମିମି ଠାରୁ କମ୍‌ ରେକର୍ଡ କରାଯାଇଛି। ୧୮ ତାରିଖରେ ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ୨୧ ପରେ ବର୍ଷାର ପରିମାଣ କମିବ। ଅନ୍ୟପଟେ ଚଳିତ ମୌସୁମୀରେ ୭୬୦.୦ ମିମି ସ୍ୱାଭାବିକ ବର୍ଷା ହେବା କଥା। କିନ୍ତୁ ୬୮୦.୫ ମିମି ବର୍ଷା ହୋଇଛି। ଏହା ୧୦ ପ୍ରତିଶତ ନିଅଣ୍ଟିଆ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe