କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇତିଶ ପ୍ରଧାନଙ୍କ ଇସ୍ତଫା

Advertisment
କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇତିଶ ପ୍ରଧାନଙ୍କ ଇସ୍ତଫା

ଭୁବନେଶ୍ବର: ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଇ-ମେଲ୍‌ ଯୋଗେ ଏଆଇସିସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି। ଦ​ଳରୁ ଇସ୍ତଫା ଦେବା ନେଇ ଶ୍ରୀ ପ୍ରଧାନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି କେତୋଟି ପ୍ରଶ୍ନର ଉତ୍ତର ରଖିବାକୁ ସେ ଆହ୍ବାନ କରିଛନ୍ତି। ଅନ୍ୟପଟେ ଗତ ୨୩ ତାରିଖରେ କଂଗ୍ରେସ ଭବନରେ ନୂତନ ଯୁବ କଂଗ୍ରେସ ସଭାପତିଙ୍କ ଦାୟିତ୍ବ ଗ୍ରହଣକୁ ନେଇ ଘଟିଥିବା ଗଣ୍ଡଗୋଳ ବେଳେ ଶ୍ରୀ ପ୍ରଧାନ ଉପସ୍ଥିତ ଥିଲେ। ଦଳରେ ଅନୁଶାସନ ପାଇଁ ଗତକାଲି ପିସିସି ଶୃଙ୍ଖଳା କମିଟି ବୈଠକ ବସିଥିଲା। ପ୍ରାୟ ୬ ଜଣ ଯୁବନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ସୁପାରିସ କରାଯାଇଛି। ଏଆଇସିସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଶ୍ରୀ ପ୍ରଧାନ ନିଜ ଆଡ଼ୁ ଦଳ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଛି।

ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ, ରଥଯାତ୍ରାକୁ ନେଇ ଅଯଥାରେ ରାଜ୍ୟ ସରକାରଙ୍କ ବଦନାମ କରାଯାଉଛି। ଆଡଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜାଙ୍କ ସହ ପିସିସି ସଭାପତିଙ୍କ ପାରିବାରିକ ସମ୍ପର୍କ ରହିଛି। କରୋନା ମହାମାରୀରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସରକାର ଉଦ୍ୟମ ଜାରି ରଖିଥିବାବେଳେ ଆଡଭୋକେଟ୍‌ ଜେନେରାଲ୍‌ ଓ ବିରୋଧୀ ନେତା ହାତ ମିଶାଇ ସରକାରଙ୍କୁ ବଦନାମ କରିବା ପାଇଁ ଉଦ୍ୟମ କରିଛନ୍ତି। ଯୁବ କଂଗ୍ରେସ ନେତା ସ୍ମୃତି ରଞ୍ଜନ ଲେଙ୍କାଙ୍କ ଦାୟିତ୍ବ ଗ୍ରହଣ ଦିନ କଂଗ୍ରେସ ଭବନରେ ଯେଉଁ ତୁମୁଳକାଣ୍ଡ ଘଟିଲା ସେଥିରେ ପିସିସି ସଭାପତିଙ୍କ ହାତ ରହିଛି। ପୂର୍ବରୁ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କଂଗ୍ରେସ ଭବନ ଆସିଥିବାବେଳେ ଯେଉଁ ବାଉନ୍‌ସର ଆସିଥିଲେ ସେ ସମ୍ପର୍କରେ ପିସିସି ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ସେ ତଦନ୍ତ ରିପୋର୍ଟ କୁଆଡ଼େ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe