ଦନ୍ତାହତ୍ୟା, ଦାନ୍ତ କାଟିନେବା ଘଟଣା: ୧୮୦୦ ଗ୍ରାମର ଦାନ୍ତ ଜବତ, ମାଷ୍ଟର୍‌ମାଇଣ୍ଡ୍‌ର ସଂପର୍କୀୟ ଅଟକ

Advertisment
ଦନ୍ତାହତ୍ୟା, ଦାନ୍ତ କାଟିନେବା ଘଟଣା: ୧୮୦୦ ଗ୍ରାମର ଦାନ୍ତ ଜବତ, ମାଷ୍ଟର୍‌ମାଇଣ୍ଡ୍‌ର ସଂପର୍କୀୟ ଅଟକ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଓ ଜଗନ୍ନାଥପ୍ରସାଦ ରେଞ୍ଜ୍ ଅଧୀନ କନ୍ଧନୂଆପଲ୍ଲୀ କାଜୁ ଜଙ୍ଗଲରେ ଦନ୍ତାହାତୀ ହତ୍ୟା ଓ ଦାନ୍ତ କାଟି ନେବା ଘଟଣାରେ ବନ ବିଭାଗକୁ ସଫଳତା ମିଳିଛି। ଗତମାସ ୨୭ ତାରିଖରେ କନ୍ଧନୂଆପଲ୍ଲୀ ଗ୍ରାମର ନାରାୟଣ ରାଉତକୁ ଗିରଫ କରା ଯାଇଥିଲା। ତେବେ ଦନ୍ତା ହତ୍ୟାର ମାଷ୍ଟରମାଇଣ୍ଡ୍ ତଥା ବୁଗୁଡ଼ା ଥାନା ଅଧୀନ ବିଷ୍ଣୁଚକ୍ର ଗ୍ରାମର ହାଡ଼ିବନ୍ଧୁ ଜେନା ଏବେ ବି ଫେରାର୍ ଅଛି। ଆଜି ମାଷ୍ଟର୍‌ମାଇଣ୍ଡ୍‌ର ସଂପର୍କୀୟ ବୁଗୁଡ଼ା ଥାନା ଅନ୍ତର୍ଗତ ଶଙ୍କୁରୁ ଗ୍ରାମର ବିମଳ ରଞ୍ଜନ ସ୍ୱାଇଁ ଓରଫ୍ ନଣ୍ଡାର ଘର ଉପରେ ବନ ବିଭାଗର ଏକ ଟିମ୍ ଚଢ଼ଉ କରିଥିଲା। ଚଢ଼ଉ ବେଳେ ବାରିପଟ ପାଇଖାନା ନାଳ ତଳେ ପୋତା ଯାଇଥିବା ହାତୀ ଦାନ୍ତକୁ ବନବିଭାଗ ଜବତ କରିଛି। ବିମଳ ହେଉଛି ହାଡ଼ିବନ୍ଧୁର ସଂପର୍କୀୟ। ଦାନ୍ତଟିର ଓଜନ ୧୮୦୦ ଗ୍ରାମ୍। ଖୁବ୍‌ଶୀଘ୍ର ମାଷ୍ଟରମାଇଣ୍ଡ୍ ହାଡ଼ିବନ୍ଧୁ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାଶ ସୂଚନା ଦେଇଛନ୍ତି। ବିମଳକୁ ଅଟକ ରଖି ପଚରାଉଚରା କରାଯାଉଛି।

ଗତମାସରେ ନାରାୟଣ ଗିରଫ ହେବା ପରେ ବନ ବିଭାଗ ତଦନ୍ତକୁ ତ୍ବରାନ୍ବିତ କରିଥିଲା। ତେବ‌େ ମୁଖ୍ୟ ଅଭିଯୁକ୍ତ ହାଡ଼ିବନ୍ଧୁର ସଂପର୍କୀୟ ନଣ୍ଡା ପାଖରେ ଦାନ୍ତ ଥିବା ଜଣାପଡ଼ିବା ପରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶରେ ଆଜି ଭୋର୍‌ରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଶ୍ରୀ ଦାଶ ଓ ବୁଗୁଡ଼ା ଥାନାଅଧିକାରୀ ଚିତ୍ତରଞ୍ଜନ ବେହେରା ସଦଳବଳେ ସଂକୁରୁ ଗ୍ରାମରେ ଥିବା ନଣ୍ଡାର ଘର ଉପରେ ଚଢ଼ଉ କରିଥିଲେ। ଜେରା ପରେ ସେ ଦାନ୍ତଟିକୁ ଘର ବାରିପଟ ପାଇଖାନା ନଳା ତଳେ ପୋତିଥିବା କହିଥିଲା। ଦାନ୍ତଟିକୁ କର୍ମଚାରୀମାନେ ବାହାର କରିଥିଲେ। ଉତ୍ତର ଘୁମୁସର ବନଖଣ୍ଡ ସହକାରୀ ବନସଂରକ୍ଷକ ବିକ୍ରମ ଦେବ  ପଟ୍ଟନାୟକ, ଦକ୍ଷିଣ ଘୁମୁସର ବନଖଣ୍ଡର ପ୍ରଭାକର ନାୟକ, ଜଗନ୍ନାଥପ୍ରସାଦ ବନପାଳ ଇ.ଗଣେଶ ଓ ଅନ୍ୟ କର୍ମଚାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ।

ସୂଚନା ଥାଉକି, ଗତମାସ ୧୭ ତାରିଖ ରାତିରେ ହାଡ଼ିବନ୍ଧୁ ଓ ଅଭିଯୁକ୍ତ ନାରାୟଣ ମିଶି ଦନ୍ତାକୁ ବିଦ୍ୟୁତ୍ ତାର ବିଛାଇ ହତ୍ୟା କରିଥିଲେ। ୧୮ ତାରିଖ ସକ‌ାଳେ ନାରାୟଣର ଘରକୁ ଯାଇ ହାଡ଼ିବନ୍ଧୁ ତାକୁ ଡାକି ଆଣିଥିଲା। ଉଭୟ କରତ ଓ ଛୁରୀ ଧରି କାଜୁ ବଗିଚାରେ ପହଞ୍ଚିଥିଲେ। ଡାହାଣ ଦାନ୍ତଟିକୁ କାଟିଥିଲେ। କିନ୍ତୁ ଶବକୁ ଲେଉଟାଇ ନପାରିବାରୁ ବାମ ଦାନ୍ତଟିକୁ କାଟିପାରି ନଥିଲେ। ୨୦ ତାରିଖରେ ହାତୀଟିର ଗଳିତ ଶବ ମିଳିଥିଲା। ହାଡ଼ିବନ୍ଧୁ ଦାନ୍ତଟିକୁ ତାର ସଂପର୍କୀୟ ନଣ୍ଡାର ଘରେ ଲୁଚାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe