ପରୀକ୍ଷା ପରେ ବିଶେଷଜ୍ଞଙ୍କ ରିପୋର୍ଟ: ଜଗା ସୁସ୍ଥ, ସୋମବାର ଫେରିବ କନ୍ଧମାଳ

ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ବି ବହନ କରିବେ ସରକାର

ପରୀକ୍ଷା ପରେ ବିଶେଷଜ୍ଞଙ୍କ ରିପୋର୍ଟ: ଜଗା ସୁସ୍ଥ, ସୋମବାର ଫେରିବ କନ୍ଧମାଳ

କଟକ : ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ସ୍ବାସ୍ଥ୍ୟବସ୍ଥା ଠିକ୍‌ ଅଛି। ଦିଲ୍ଲୀ ଏମ୍‌ସର ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଦୀପକ ଗୁପ୍ତା ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ଏ ସଂପର୍କରେ ଏସ୍‌ସିବି ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ମୋଟାମୋଟି ଭାବେ ଜଗା ସଂପୂର୍ଣ୍ଣ ସୁସ୍ଥ ଥିବା ବିଶେଷଜ୍ଞ ଡାକ୍ତରମାନେ ମତ ଦେବା ସହିତ ତାର ପରବର୍ତ୍ତୀ ଆବଶ୍ୟକୀୟ ଚିକିତ୍ସା କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜଗାର ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସରକାରଙ୍କ ତରଫରୁ ବହନ କରାଯାଉଛି ଓ ଆଗକୁ ମଧ୍ୟ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ୨୦୧୫ ଏପ୍ରିଲ ୯ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଦା ଅଞ୍ଚଳରେ ଭୂୟାଁ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କ ଯୋଡ଼ାମୁଣ୍ଡ ଶିଶୁଦ୍ୱୟ ଫିରିଙ୍ଗିଆ ଡାକ୍ତରଖାନାରେ ଜନ୍ମ ହୋଇଥିଲେ। ଜନ୍ମର ୧୫ ଦିନ ପରେ ସେ ଦୁହିଁଙ୍କୁ ଏସ୍‌ସିବି ସ୍ନାୟୁଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ରାଜ୍ୟ ସରକାରଙ୍କ ସହାୟତାରେ ଶିଶୁଦ୍ଵୟଙ୍କୁ ୧୪ ଜୁଲାଇ ୨୦୧୭ରେ ନୂଆଦିଲ୍ଲୀର ଏମସ୍‌ରେ ଆଡ୍‌ମିସନ୍ କରାଯାଇଥିଲା ଏବଂ ନୂଆଦିଲ୍ଲୀର ସେଠାରେ ୬ଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯାଇ ୬ ସେପ୍ଟେମ୍ବର୍‌ ୨୦୧୯ରେ ଡିସ୍‌ଚାର୍ଜ କରାଯାଇ ୭ ସେପ୍ଟେମ୍ବର ୨୦୧୯ରେ ଉଭୟଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଜଗାର ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ବେଳେ କାଳିଆ ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ୨୫ ନଭେମ୍ବର ୨୦୨୦ରେ ଆଖି ବୁଜିଥିଲା। ଜଗା ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାକୁ ପରିବାର ଲୋକ ୨୩ ମାର୍ଚ୍ଚ ୨୦୨୧ରେ ଗାଁକୁ ନେଇଥିଲେ। ବର୍ତ୍ତମାନର ପରୀକ୍ଷା ଓ ଚିକିତ୍ସା ପରେ ଜଗା ସୋମବାର କନ୍ଧମାଳ ଫେରିଯିବ ବୋଲି ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe