ମହାନଗର ନିଗମରେ ଲାଗୁ ହେଲା ଜାଗା ମିସନ୍, ୫ ସହରର ବସ୍ତିବାସିନ୍ଦାଙ୍କୁ ମିଳିବ ଜମି

ଭୁବନେ‌ଶ୍ୱର : ବସ୍ତିରେ ମିଳୁନି ପାଣି, ଲାଇଟ୍‌

Telegraph India

କ୍ୟାବିନେଟ୍‌ରେ ପାରିତ ହେଲା ୯ ପ୍ରସ୍ତାବ
ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ସତ୍ୟପାଠ ବାଧ୍ୟତାମୂଳକ
ହାଉସିଂବୋର୍ଡ, ବିଡିଏକୁ ୧୪ କୋଟିର ସୁଧ ଛାଡ଼

ଭୁବନେଶ୍ବର : ରାଜ୍ୟର ୫ ମହାନଗର ନଗର ନିଗମରେ ଲାଗୁ ହେଲା ଜାଗା ମିସନ୍। ଏଠାରେ ରହୁଥିବା ବସ୍ତି ବସିନ୍ଦା ଭୂମି ଅଧିକାର ପାଇବେ। ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ସହାୟତା ପାଇବା ସେମାନଙ୍କୁ ସହଜ ହେବ। ଶୁକ୍ରବାର ଦିନ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲୁ ନ ଥିବାରୁ ଅଧ୍ୟାଦେଶ ମାଧ୍ୟମରେ ସରକାର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ ‌କରିବେ। ଏହାଦ୍ବାରା ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ୯୩୮ଟି ବସ୍ତିରେ ବାସ କରୁଥିବା ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ । ଏହି କାର୍ଯ୍ୟ ୬ ମାସ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପୌର ନିର୍ବାଚନ ପୂର୍ବରୁ ୫ଟି ବଡ଼ ସହରର ବସ୍ତିବାସିନ୍ଦାଙ୍କୁ ଖୁସି କରିବାକୁ ସରକାରଙ୍କ ଏହି ରଣନୀତି ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

publive-image

୨୦୨୧ର ଶେଷ କ୍ୟାବିନେଟ୍‌ ବୈଠକ ଶୁକ୍ରବାର ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଣଶିକ୍ଷା, ଉଚ୍ଚଶିକ୍ଷା, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ମୋଟ୍‌ ୯ଟି ପ୍ରସ୍ତାବ ପାରିତ ହୋଇଛି। ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ‘ଓଡ଼ିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଆଇନ-୨୦୧୭’ ପ୍ରଣୟନ କରାଯାଇଥିଲା। ରାଜ୍ୟର ସମସ୍ତ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକ ଏହି ଆଇନ୍‌ର ପରିସରଭୁକ୍ତ ହୋଇଥିଲେ। ଏହା ବାଦ୍ ମହାନଗର ନିଗମଗୁଡ଼ିକରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ମଧ୍ୟ ୨୦୧୭ ମସିହାରେ ‘ଓଡିଶା ମହାନଗର ନିଗମ ଆଇନ -୨୦୦୩’ରେ ଆବଶ୍ୟକ ସଂଶୋଧନ କରି ସମ୍ପତ୍ତିଗତ ଅଧିକାର ସୁରକ୍ଷିତ କରିବା ପାଇଁ ଅନୁରୂପ ବ୍ୟବସ୍ଥା ପ୍ରଣୟନ କରଯାଇଥିଲା। କିନ୍ତୁ ସମ୍ପତ୍ତିଗତ ଅଧିକାର ପ୍ରଦାନ କରିବାର ବ୍ୟବସ୍ଥା ବିଭିନ୍ନ କାରଣରୁ ବିଶେଷ ଅଗ୍ରଗତି ହୋଇପାରି ନାହିଁ। ଏହି ଆଇନ୍‌କୁ କାର୍ଯ୍ୟକାରୀ କରିବାରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା। ସେଥି ପାଇଁ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ପରି ମହାନଗର ନିଗମରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରିବାକୁ ମହାନଗର ନିଗମ ଆଇନ୍‌ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏହାଦ୍ବାରା ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ତଥା ଯେଉଁଠି ସମ୍ପତ୍ତିଗତ ଅଧିକାର ଦେବାରେ କୌଣସି ଅସୁବିଧା ହେବ, ସେହି ସ୍ଥାନରେ ବସ୍ତିବାସିନ୍ଦାଙ୍କୁ ୪୫ ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଉପରେ ଭୂମି ଅଧିକାର ପ୍ରଦାନ କରାଯାଇପାରିବ। ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବେ, ତେବେ ୩୦ ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ। କୌଣସି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହକୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥା ସମ୍ଭବ ୩୦ ବର୍ଗମିଟର ପର୍ଯ୍ୟନ୍ତ ଭୂମି ଯୋଗାଇ ଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା ରଖାଯାଇଛି। ଏହା ଦ୍ବାରା ମହାନଗର ନିଗମଗୁଡ଼ିକରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ସୁରକ୍ଷିତ ହେବା ସହ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ମଧ୍ୟ ଯୋଗାଇ ଦିଆଯାଇପାରିବ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନଙ୍କ ନିମନ୍ତେ ସତ୍ୟପାଠ ଦାଖଲ ବାଧ୍ୟମତାମୂଳକ କରାଯାଇଛି। ଏଥି ପାଇଁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ଓଡ଼ିଶା ପଞ୍ଚାୟତ ସମିତି ଆଇନ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନରେ ଆବଶ୍ୟକ ସଂଶୋଧନକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଗତ ନ‌ଭେମ୍ବର ମାସରେ ରାଜ୍ୟ ନିର୍ବାଚନ କମିସନ୍‌ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ ସମୟରେ ସତ୍ୟପାଠ ଦାଖଲ କରିବାକୁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ପ୍ରଚଳିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଆଇନ ବ୍ୟବସ୍ଥାରେ ସତ୍ୟପାଠ ସମ୍ବନ୍ଧରେ ବ୍ୟବସ୍ଥା ନାହିଁ। ଫଳରେ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରାଯାଇପାରିବ ନାହିଁ। ସେଥି ପାଇଁ ସତ୍ୟପାଠକୁ ଆଇନର ବ୍ୟବସ୍ଥା ମଧ୍ୟରେ ରଖିବାକୁ ପ୍ରଚଳିତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହା ସହ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପ୍ରାଥମିକ ଭାବେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଆଇନଗତ ଅଧିକାର ଦିଆଯାଇଛି।

publive-image in.worldorgs.com

ସାଧାରଣ ପ୍ରଶାସନ ବିଭାଗ ଓ ରାଜସ୍ବ ବିଭାଗରୁ ଜମି ନେଇ ହାଉସିଂ ‌ବୋର୍ଡ ୧୦ଟି ଓ ବିଡିଏ ୬ଟି ଆବାସିକ/ବାଣିଜ୍ୟିକ କମ୍ପ୍ଲେକ୍ସ ପ୍ରକଳ୍ପ କରିଛନ୍ତି। ତେବେ ବିଳମ୍ବିତ କିସ୍ତି ପ୍ରଦାନ ଯୋଗୁ ହାଉସିଂ ବୋର୍ଡ ଓ ବିଡିଏ ଉପରେ ସାଧାରଣ ପ୍ରଶାସନ ଓ ରାଜସ୍ବ ବିଭାଗ ଅତିରିକ୍ତ ସୁଧ ନିର୍ଦ୍ଧାରଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅନେକ ବର୍ଷ ପୂର୍ବରୁ ଶେଷ ହୋଇ ବାସଗୃହଗୁଡ଼ିକର ବିକ୍ରି ଓ ହସ୍ତାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଥିବାରୁ ଏହି ଅତିରିକ୍ତ ସୁଧ ବର୍ତ୍ତମାନ ପରିପ୍ରେକ୍ଷୀରେ ପରିଶୋଧ କରିବା ସମ୍ଭବପର ନୁହେଁ। ଅପର ପକ୍ଷରେ ଘର କିଣିଥିବା ଲୋକମାନେ ଅର୍ଥ ପ୍ରଦାନ ସତ୍ତ୍ବେ ଚୁକ୍ତି ରାଜିନାମା ସମ୍ପାଦିତ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି। ଏହାକୁ ଦୃଷ୍ଟି‌ରେ ରଖି ବିଳମ୍ବିତ କିସ୍ତି ପ୍ରଦାନ ଯୋଗୁ ନିର୍ଦ୍ଧାରିତ ହୋଇଥିବା ସୁଧ ରାଶି ୧୪ କୋଟି ୭୧ ଲକ୍ଷ ଛାଡ଼ ନିମନ୍ତେ ଆସିଥିବା ଏକ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏହା ଦ୍ବାରା ୧୬ଟି ପ୍ରକଳ୍ପର ୫୨୩୫ ଜଣ ଗ୍ରହୀତା ଉପକୃତ ହେବେ ଓ ଦୀର୍ଘ ଦିନ ଧରି ସମ୍ପାଦିତ ହୋଇପାରୁ ନ ଥିବା ଚୁକ୍ତି ରାଜିନାମା ସମସ୍ୟାର ସମାଧାନ ହେବ।

ଗ୍ରାମ୍ୟ ନିର୍ମାଣ ସଂସ୍ଥାର ପୁନର୍ବିନ୍ୟାସ ପ୍ରସ୍ତାବ କ୍ୟାବିନେଟ୍‌ ସ୍ବୀକୃତି ପାଇଛି। ପ୍ରତି ବ୍ଲକ୍‌ରେ ଆର୍‌ଡି ସବ୍‌-ଡିଭିଜନ୍‌ ଅଫିସ୍‌ ଖୋଲିବ ଓ ପ୍ରତି ଅଫିସ୍‌ରେ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରିବେ। ଏହା ବାଦ୍ ରାୟଗଡ଼ାରେ ଏକ ନୂଆ ସର୍କଲ୍‌ ଅଫିସ୍‌, ଉଦଳା, ବଂଶପାଳ ଓ ବଣାଇରେ ୩ଟି ନୂଆ ଡିଭିଜନ୍‌, ଆଉ ଅଧିକ ୮ଟି ନୂଆ ଗୁଣବତ୍ତା ନିୟନ୍ତ୍ରଣ ଡିଭିଜନ୍‌ ଓ ଓଡ଼ିଶା ଖଣି ଅଞ୍ଚଳ ବିକାଶ ନିଗମ ଅଧୀନରେ ୧୦ଟି ପ୍ରକଳ୍ପ ସବ୍‌-ଡିଭିଜନ୍ ସୃଷ୍ଟି କରାଯିବ। ଏଥି ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ଠାରୁ ଆରମ୍ଭ କରି ଯନ୍ତ୍ରୀ ମୁଖ୍ୟ ପର୍ଯ୍ୟନ୍ତ ଆଉ ୧୪୨ଟି ଅଧିକ ପଦବି ସୃଷ୍ଟି କରାଯିବ। ଗ୍ରାମ୍ୟ ନିର୍ମାଣ ସଂସ୍ଥାର କ୍ରମବର୍ଦ୍ଧିଷ୍ଣୁ କାର୍ଯ୍ୟଭାର, ସମ୍ପ୍ରସାରିତ ବଜେଟ୍‌, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ବିଜୁ ସେତୁ ଜରିଆରେ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ପହଞ୍ଚିବା ପାଇଁ ସେତୁ ନିର୍ମାଣ ଓ ଏହି ବିଭାଗର ନିଜସ୍ୱ କୋଠାବାଡ଼ି ସମେତ ରାଜସ୍ୱ, ଗୃହ ଓ ଉଚ୍ଚଶିକ୍ଷା ଇତ୍ୟାଦି ବିଭାଗର କୋଠାବାଡ଼ି ନିର୍ମାଣ ଓ ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ପୁନର୍ବିନ୍ୟାସ ନିଷ୍ପତ୍ତି ନିଆଯାଇଛି।

ଏହା ବାଦ୍ ଓଡ଼ିଶା ସରକାରୀ ମହାବିଦ୍ୟାଳୟ ପ୍ରୟୋଗଶାଳା ସହାୟକ ତଥା ଭଣ୍ଡାର ରକ୍ଷକ(ନିଯୁକ୍ତି ଓ ସେବା ସର୍ତ୍ତ) ନିୟମାବଳୀ, ୨୦୧୭, ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଗ୍ରନ୍ଥାଗାରିକ(ନିଯୁକ୍ତି ଓ ସେବାସର୍ତ୍ତ) ନିୟମାବଳୀ, ୨୦୧୭ ଏବଂ ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଶାରୀରିକ ଶିକ୍ଷା ଶିକ୍ଷକ(ନିଯୁକ୍ତି ଓ ସେବାସର୍ତ୍ତ) ନିୟମାବଳୀ, ୨୦୧୯ର ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe