ଏମ୍‌ସରେ ଆରମ୍ଭ ହେଲା ଜଗାର ଚିକିତ୍ସା, ଚିକିତ୍ସା ଦାୟିତ୍ୱ ନେଲେ ରାଜ୍ୟ ସରକାର

Advertisment
ଏମ୍‌ସରେ ଆରମ୍ଭ ହେଲା ଜଗାର ଚିକିତ୍ସା, ଚିକିତ୍ସା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଶେରଗଡ଼ : ବିରଳ ଚର୍ମରୋଗରେ ଆକ୍ରାନ୍ତ ଜଗାର ଚିକିତ୍ସା ଦାୟିତ୍ୱ ଶେଷରେ ରାଜ୍ୟ ସରକାର ବହନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁର ପ୍ରଭାକର ପ୍ରଧାନଙ୍କ ସାନ ପୁଅ ଜଗାର ଚିକିତ୍ସା ଆଜିଠାରୁ ଭୁବନେଶ୍ବର ଏମ୍‌ସ୍‌ରେ ଆରମ୍ଭ ହୋଇଛି।

ଆଜି ଶେରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରର ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଅଧିକାରୀ ଡା.ସତ୍ୟ ନାରାୟଣ ପଲାଇଙ୍କ ନେତୃତ୍ୱରେ ଏକ ଡାକ୍ତରୀ ପ୍ରତିନିଧିଦଳ ଗୋଠଗାଁ ଯାଇ ଜଗାକୁ ଧରି ଭୁବନେଶ୍ୱର ଏମ୍‌ସ୍‌କୁ ଯାଇଥିଲେ। ସାଙ୍ଗରେ ଜଗାର ବାପା ଓ ମାଆ ମଧ୍ୟ ଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଜଗାକୁ ଚର୍ମ ବିଭାଗରେ ଭର୍ତ୍ତି କରାଯାଇଥିଲା। ଜଗାର ସ୍ୱାସ୍ଥ୍ୟ ସମସ୍ୟା ନେଇ ବାରମ୍ବାର ‘ସମ୍ବାଦରେ ରିପୋର୍ଟ ପ୍ରକାଶ ପରେ ବୁଧବାର ରାତିରେ ଗଞ୍ଜାମ ଜିଲ୍ଲାପାଳ ଗୋଠଗାଁ ଯାଇ ଜଗାର ସ୍ବାସ୍ଥ୍ୟାବସ୍ଥା ଦେଖିଥିଲେ। ତୁରନ୍ତ ରେଡ୍‌କ୍ରସ୍‌ ପାଣ୍ଠିରୁ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ଅଧିକ ଚିକିତ୍ସା ନିମନ୍ତେ ଏମ୍‌ସ ନେବା ବ୍ୟବସ୍ଥା କରିଥିଲେ।

ସୂଚନାଯୋଗ୍ୟ, ଜଗାକୁ ଏବେ ୧୦ ବର୍ଷ ବୟସ। ସେ ଭୟଙ୍କର ଚର୍ମରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି। ଅର୍ଥାଭାବରୁ ମଧ୍ୟ ବାପା ପ୍ରଭାକର ପୁଅର ଚିକିତ୍ସାକୁ ଅଧାରୁ ବନ୍ଦ କରି କେବଳ ଭାଗ୍ୟକୁ ନିନ୍ଦି ଭଗବାନଙ୍କ ଭରସାରେ ରହିଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ସହାୟତାର ହାତ ପରିବାର ଲୋକଙ୍କୁ ଆଶା ଯୋଗାଇଛି। କାରଣ ଜଗା ପୂର୍ବରୁ ତାର ୪ ଭଉଣୀ ଓ ୨ ଭାଇ ମଧ୍ୟ ସେହି ସମାନ ଚର୍ମରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ। ଫଳରେ ଏହି ରୋଗ ପରିବାର ପାଇଁ ସତେ ଯେମିତି ଅଭିଶାପ ପାଲଟିଯାଇଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଜଗା ଜନ୍ମ ହେବା ପରେ ପୁଣି ପ୍ରଭାକରଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। କାରଣ ଜଗା ବି ସେହି ଭୟଙ୍କର ରୋଗରେ ଆକ୍ରାନ୍ତ ଥିଲା। ଜନ୍ମର ମାତ୍ର ଅଧଘଣ୍ଟା ପରେ ହିଁ ତାର ଦେହରୁ ଚମ ଛାଡ଼ି ଝଡ଼ିବା ଆରମ୍ଭ ହୋଇଥିଲା। ଧାରକରଜ କରି ଚିକିତ୍ସା ପାଇଁ ପ୍ରଭାକର ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲେ ବି କୌଣସି ସୁଫଳ ମିଳୁ ନଥିଲା। ବି‌ଶେଷ କରି ଖରା ଦିନରେ ଜଗାର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି। ଶରୀର ଜଳା‌ପୋଡ଼ା କାରଣରୁ ଦିନତମାମ ସେ ପାଣିକୁଣ୍ଡ ମଧ୍ୟରେ ବସି ରହୁଛି। ଶେଷରେ ସମସ୍ତ ସରକାରୀ ସ୍ବାସ୍ଥ୍ୟ ସୁବିଧାରୁ ବଞ୍ଚିତ ପ୍ରଭାକର ପୁଅର ଚିକିତ୍ସା ପାଇଁ ଶେରଗଡ଼ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ସହାୟତା ମିଳିପାରି ନଥିଲା। ପୂର୍ବରୁ ୬ ସନ୍ତାନଙ୍କୁ ହରାଇ ସାରିଥିବା ପ୍ରଭାକର ଜଗାକୁ ବଞ୍ଚାଇବାକୁ ସବୁ ପ୍ରୟାସ କରି ବି ବିଫଳ ହୋଇଥିଲେ। ଏ କଥା ପ୍ରଥମେ ସମ୍ବାଦ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପ୍ରୟାସ ହୋଇଥିଲା। ଆଜି ସରକାର ଜଗାର ଚିକିତ୍ସା ଦାୟିତ୍ବ ନେବା ପରେ ପରିବାର ଲୋକ କିଛି ମାତ୍ରାରେ ଆଶ୍ବସ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe