ପାରଳାର ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା: ଓଡ଼ିଶାର ଦ୍ବିତୀୟ ବୃହତ୍ତମ

Advertisment
ପାରଳାର ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା: ଓଡ଼ିଶାର ଦ୍ବିତୀୟ ବୃହତ୍ତମ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ଗଙ୍ଗବଂଶୀୟ ରାଜା ଜଗନ୍ନାଥ ନାରାୟଣ ଦେବ ପାରଳାଖେମୁଣ୍ଡିରେ ଶ୍ରୀରାଧାକାନ୍ତ ମନ୍ଦିର (ବଡ଼ମଠ) ଏହା ନିକଟରେ ଜଗନ୍ନାଥମଠ ନିର୍ମାଣ କରି ଯଥାକ୍ରମେ ଶ୍ରୀରାଧାକାନ୍ତ ଓ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ଏହା ଆନୁମାନିକ ୧୭୬୭ ଓ ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ହୋଇଥିବା ଗବେଷକ ମତ ଦିଅନ୍ତି। ସେହି ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିରେ ଜଗନ୍ନାଥ ଚେତନା ଓ ସଂସ୍କୃତିର ପ୍ରଚାରପ୍ରସାର ହୋଇ ଆସୁଛି। ଜଗନ୍ନାଥ ମନ୍ଦିରଟି ପ୍ରଥମେ ମଠ ଆକୃତିରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ସେହି ପ୍ରାଚୀନ ମନ୍ଦିରକୁ ଭାଙ୍ଗି ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରଥମେ ତିନିଟି ରଥ ନିର୍ମାଣ କରାଯାଉଥିଲା। କୌଣସି କାରଣରୁ ମଧ୍ୟବର୍ତ୍ତୀ କାଳରେ ତିନିଟି ରଥ ପରିବର୍ତ୍ତେ ଗୋଟିଏ ରଥ ନିର୍ମାଣ କରି ରଥଯାତ୍ରା ହୋଇ ଆସୁଥିଲା। ଜମିଦାରୀ ଉଚ୍ଛେଦ ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମୟରେ ପରିଚାଳନାଗତ ସୁବିଧା ପାଇଁ ରଥଯାତ୍ରାର ଦାୟିତ୍ୱ ସର୍ବସାଧାରଣଙ୍କ ପକ୍ଷରୁ ଗଠିତ କମିଟି ଉପରେ ନ୍ୟସ୍ତ କରିଥିଲେ। କିନ୍ତୁ ମନ୍ଦିର ପରିଚାଳନାର ସମସ୍ତ ଅଧିକାର ରାଜପରିବାର ଅଧୀନରେ ଆଜି ପର୍ଯ୍ୟନ୍ତ ରହି ଆସିଛି। ପରବର୍ତ୍ତୀ ସମୟରେ ପାରଳାରେ ରଥଯାତ୍ରା ସହ ସ୍ଥାନୀୟ ପ୍ରଶାସନ ଯୋଡ଼ି ହେବା ସହ ସବୁବର୍ଗର ଲୋକଙ୍କ ଉପସ୍ଥିତରେ ପ୍ରତିବର୍ଷ ନୂତନ ଭାବେ ଯାତ୍ରା କମିଟି ସମ୍ପ୍ରସାରଣ କରାଯାଇ ନୂତନ ସଭ୍ୟ ଓ ପୁରାତନ ସଭ୍ୟଙ୍କୁ ନେଇ ସୁରୁଖୁରୁରେ ପରିଚାଳନା ହୋଇ ଆସୁଛି। ଏଠାକାର ରଥଯାତ୍ରା ପୁରୀ ପରେ ବାରିପଦା ଓ କେନ୍ଦୁଝର ସହ ତୁଳନୀୟ। କେହି କେହି ଏହି ଯାତ୍ରାକୁ ଓଡ଼ିଶାର ଦ୍ବିତୀୟ ବୃହତ୍ତମ ରଥଯାତ୍ରା ବୋଲି କହନ୍ତି।
ପୁରୀ ଗଜପତି ଛେରାପହଁରା କଲାଭଳି ଏଠାରେ ମଧ୍ୟ ପାରଳାର ଗଜପତି ଛେରାପହଁରା କରନ୍ତି। ପ୍ରଥମେ ବଳଭଦ୍ର ଠାକୁରଙ୍କ ରଥ, ପରେ ମା’ସୁଭଦ୍ରାଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇ ସେହି ଦିନ ହିଁ ଶ୍ରୀଗୁଣ୍ଡିଚା ବାଡ଼ିରେ ପହଞ୍ଚାଇ ଦିଆଯାଏ।

ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ପୁରୁଷ ମାନେ ଟାଣୁଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣନ୍ତି। ରଥ ଗୁଣ୍ଡିଚାବାଡ଼ିକୁ ଯାତ୍ରା ବେଳେ ରାସ୍ତାରେ ଶ୍ରୀଜିଉମାନଙ୍କୁ ପୋଡ଼ପିଠା ଭୋଗ କରାଯିବାର ଏଠାକାର ବିଧି ରହିଛି। ଶ୍ରୀଗୁଣ୍ଡିଚାରେ ଯଥାବିଧି ଠାକୁରମାନଙ୍କୁ ଆଡ଼ପ ମଣ୍ଡପକୁ ନିଆଯାଏ। ସେଠାରେ ଠାକୁରମାନଙ୍କୁ ମତ୍ସ୍ୟ, କଚ୍ଛପ ଆଦି ବିଭିନ୍ନ ବେଶ କରିବାରେ ପରମ୍ପରା ଚଳି ଆସିଛି। ବାହୁଡ଼ା ପୂର୍ବଦିନ ସର୍ବସାଧାରଣଙ୍କ ପାଇଁ ଏକ ଭୋଜି ଓ ବ୍ରାହ୍ମଣ ଭୋଜନ ବ୍ୟବସ୍ଥା ଏଠାର ଏକ ନିଆରା ପରମ୍ପରା। ନଅ ଦିନର ଯାତ୍ରା ପରେ ବାହୁଡ଼ା ଯାତ୍ରା ହୁଏ। ରାସ୍ତାରେ ଶ୍ରୀଜିଉମାନେ ଏକାଦଶୀ ପାଳନ କରନ୍ତି ଓ ପୁଣି ପରଦିନ ରଥଟଣା ହୋଇ ନିର୍ଣ୍ଣିତ ଶୁଭ ବେଳାରେ ନୀଳାଦ୍ରି ବିଜେ କରନ୍ତି। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଦୂରଦୂରାନ୍ତରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାବେଶ ସହ ଏହି ଗଣ ଉତ୍ସବ ଗୁଣ୍ଡିଚା ଯାତ୍ରାରୁ ବ୍ୟାସପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe