ଶେରଗଡ଼ରୁ ପୁରୀ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍ ଏସି ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଆମାନେ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ: ମୁଖ୍ୟମନ୍ତ୍ରୀ

ଶେରଗଡ଼ରୁ ପୁରୀ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍ ଏସି ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ଓ ପୁରୀ ମଧ୍ୟରେ ‘ଜଗନ୍ନାଥ ଏକ୍ସପ୍ରେସ୍ ଏସି ବସ୍’ ଚଳାଚଳ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ପତାକା ଦେଖା‌ଇ ଏହାର ଶୁଭାରମ୍ଭ କରିଛନ୍ତି। ଓଏସ୍‌ଆର୍‌ଟିସି ପକ୍ଷରୁ ଏହି ବସ୍ ସେବା ଆରମ୍ଭ ହୋଇଥିବାରୁ ଶେରଗଡ଼ରେ ଖୁସିର‌ ଲହରି ଖେଳିଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି, ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ଼ର ଜନସାଧାରଣ ସୁବିଧାରେ ପୁରୀ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ। ବିଶେଷକରି, କାର୍ତ୍ତିକ ମାସରେ ଗଞ୍ଜାମ ଜିଲ୍ଲାରୁ ବହୁ ଜନସାଧାରଣ ହବିଷ ପାଇଁ ପୁରୀ ଆସୁଥିବାରୁ ଏହି ସେବା ସେମାନଙ୍କ ପାଇଁ ବିଶେଷ ଭାବରେ ସହାୟକ ହୋଇପାରିବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ୫-ଟି ବିଦ୍ୟାଳୟ ରୂପାନ୍ତରଣ ହେଉ ଅଥବା ମନ୍ଦିର ରୂପାନ୍ତରଣ, ସବୁଥିରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ମା’ତାରାତାରିଣୀଙ୍କ ମନ୍ଦିର ରୂପାନ୍ତରଣ ଜିଲ୍ଲାବାସୀଙ୍କୁ ଆନନ୍ଦ ଦେଇଛି। ଏହାସହ ସ୍କୁଲ୍ ରୂପାନ୍ତରଣ ଛାତ୍ରଛାତ୍ରୀ ଏବଂ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଏହି ଅବସରରେ ପଞ୍ଚାୟତିରାଜ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପରିଷଦ ଜାତୀୟସ୍ତରରେ ‘ଶ୍ରେଷ୍ଠ ଜିଲ୍ଲା ପରିଷଦ’ ପୁରସ୍କାର’ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଶେରଗଡ଼ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍, ଯାତ୍ରୀ ବିଷ୍ଣୁପ୍ରିୟା ମହାରଣା, ପୂର୍ବତନ ସମିତିସଭ୍ୟ କାଳୁ ଗୌଡ଼, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବିଡିଓ ଶିବାଶିଷ ବରାଳ, ତହସିଲଦାର ତ୍ରିଦେବ ରଥ, ହିଞ୍ଜିଳି ବିଡିଓ ସୁବ୍ରତ ଜେନା, ଶେରଗଡ଼ ବ୍ଲକ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ପାଣିଗ୍ରାହୀ, ନିବେଦିତା ପ୍ରଧାନ, ହୀନ ବେହେରା, ହୃଷୀକେଶ ପାଢ଼ୀ, ଶେରଗଡ଼ ଥାନାଧିକାରୀ ମନୋଜ କୁମାର ପ୍ରଧାନ, ସିଡିପିଓ ଗୀତାରାଣୀ ରାଉଳ, ଅନିଲ କୁମାର ମହାପାତ୍ର ଓ ପ୍ରମୋଦ କୁମାର ପାତ୍ରଙ୍କ ସମେତ ବ୍ଲକ୍‌ର ସମସ୍ତ ଜନପ୍ରତିନିଧିମାନେ ଉପସ୍ଥିତ ରହି ଭିସି ମାଧ୍ୟମରେ ଯୋଡ଼ି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe